ହାଇଦ୍ରାବାଦ:ବିଦାୟ ନେଉଛି ଘଟଣାବହୁଳ ବର୍ଷ ୨୦୨୩ । ବିଗତ ବର୍ଷଗୁଡ଼ିକ ଭଳି ୨୦୨୩ ମଧ୍ୟ ଅନେକ କ୍ଷେତ୍ରରେ ଉପଲବ୍ଧିର ବର୍ଷ ହୋଇପାରିଛି । ୨୦୨୩ର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି ମହିଳା ସଶକ୍ତିକରଣର ସଫଳ ଅଧ୍ୟାୟ । ଯେଉଁଠି ଜଳ, ସ୍ଥଳ ଓ ଆକାଶ ପଥରେ ନିଜର ଆଧିପତ୍ୟ ବିସ୍ତାର କରିଛି ନାରୀ । ଜଣେ ନାରୀ କେବଳ ମାଆ, ଭଉଣୀ କି ବୋହୂ ଭାବେ ଘରର ଦେଖାରଖା କରିବ ତାହା ନୁହେଁ, ବରଂ ଦେଶ ଓ ସମାଜର ରକ୍ଷା ମଧ୍ୟ କରିପାରିବ । ପୁରୁଷ ପ୍ରାଧାନ୍ୟ ଦେଶରେ ଆତ୍ମ ନିର୍ଭରଶୀଳ ପାଇଁ ସଂଘର୍ଷ କରୁଥିବା ନାରୀ ଆଜି ପୁରୁଷ ସହିତ ସମକକ୍ଷ ହୋଇ ଶାରୀରିକ, ମାନସିକ ସ୍ତରରେ ମଜଭୁତ ହେବା ସହ ଦେଶ ସେବାରେ ନିଜକୁ ନିୟୋଜିତ କରିପାରିଛି । ଚଳିତ ବର୍ଷ ଭାରତୀୟ ସେନା, ନୌସେନା ଓ ବାୟୁସେନାରେ ପ୍ରତିନିଧିତ୍ବ କରି ଚମକି ଉଠିଛନ୍ତି ଭାରତୀୟ ମହିଳା । ଗାଲାଣ୍ଟ୍ରି ଆୱାର୍ଡଠୁ ଆରମ୍ଭ କରି ସୁରକ୍ଷା ବାହିନୀର କମାଣ ସମ୍ଭାଳିବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି ମହିଳା ।
ବିଦାୟୀ ବର୍ଷ ୨୦୨୩ରେ ଭାରତୀୟ ମହିଳା ଇତିହାସ ସୃଷ୍ଟି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଲିଙ୍ଗ ସମାନତା' ଦୃଷ୍ଟିଭଙ୍ଗୀକୁ ଆଉ ପାଦେ ଆଗେଇ ନେଇଛନ୍ତି । ଚଳିତ ବର୍ଷ ମହିଳାଙ୍କ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ମହତ ନିଷ୍ପତ୍ତି ନେଇଥିଲେ । ମାତୃତ୍ବ, ଶିଶୁ ଯତ୍ନ ଏବଂ ପୋଷ୍ୟ ଶିଶୁ ସନ୍ତାନ ସମୟରେ ସେନାରେ କାର୍ଯ୍ୟରତ ମହିଳା ସୈନ୍ୟ, ନୌସେନା ଏବଂ ବାୟୁସେନା ଅଧିକାରୀଙ୍କୁ ଛୁଟି ପ୍ରଦାନ ଲାଗି ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଯାହାଫଳରେ ମହିଳାମାନେ ଏହି ସମୟରେ ଛୁଟି ନେଇପାରିବେ । ଏହାବାଦ୍ ଭାରତୀୟ ନୌସେନାରେ ୧ ହଜାରରୁ ଅଧିକ ମହିଳା ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିଥିଲା । ଏ ସମ୍ପର୍କରେ ଗତ ଡିସେମ୍ବର ୧ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର ସୂଚନା ଦେଇଥିଲେ ।
ଭାରତୀୟ ପ୍ରତିରକ୍ଷା ବାହିନୀରେ ଚଳିତ ବର୍ଷ ସାମିଲ ହୋଇଛନ୍ତି ଅନେକ ବୀରାଙ୍ଗନା । ଯେଉଁମାନେ ମହିଳା ସଶକ୍ତିକରଣର ଉଦାହରଣ ପାଲଟିଛନ୍ତି । ଏହି ବୀରାଙ୍ଗନାଙ୍କୁ ଦେଖିଲେ ଥରି ଉଠୁଛି ଶତ୍ରୁର ଛାତି । ତେବେ ଆସନ୍ତୁ ଇଣ୍ଡିଆନ ଡିଫେନ୍ସ ଫୋର୍ସରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଥିବା ଭାରତୀୟ ମହିଳାଙ୍କ ସମ୍ପର୍କରେ ଜାଣିବା...
୧. ସ୍କ୍ବାଡ୍ରନ ମୁଖ୍ୟ ମନୀଷା ପାଢୀ:-ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) ଭାବେ ଦାୟିତ୍ବ ଗ୍ରହଣ କରି ସାରା ରାଜ୍ୟକୁ ଗୌରବାନ୍ବିତ କରିଥିଲେ ଓଡ଼ିଆ ଝିଅ ମନୀଷା ପାଢ଼ୀ । ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ଏଡିସି ଭାବେ ମନୀଷାଙ୍କୁ ନଭେମ୍ବର ୩୦ରେ ନିଯୁକ୍ତି ଦେଇଥିଲେ । ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର ହେଉଛନ୍ତି ମନୀଷା । ଏହା ପୂର୍ବରୁ ସେ ବିଦାର ଏୟାର ଫୋର୍ସ ଷ୍ଟେସନ ବିଦାର, ପୁଣେ ଓ ଭଟିଣ୍ଡା ଭଳି ୩ଟି ସ୍ଥାନରେ କାର୍ଯ୍ୟ କରିସାରିଛନ୍ତି । ମନୀଷାଙ୍କ ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ । ତାଙ୍କର ବାପା ଓ ମାଆ ଭୁବନେଶ୍ବରରେ ରହୁଥିବା ବେଳେ ସେ ରାଜଧାନୀ ସ୍ଥିତ ସିଭି ରମଣ କଲେଜ ଅଫ ଇଞ୍ଜିନିୟରିଂରେ ଶିକ୍ଷାଲାଭ କରିଥିଲେ । ମନୀଷା ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତ ହେବା ମହିଳା ସଶକ୍ତିକରଣ ଉପରେ ଏହା ଏକ ବଡ଼ ଉପଲବ୍ଧି ନିଶ୍ଚିତ ।
୨. ଲେଫ୍ଟନାଣ୍ଟ କମାଣ୍ଡର ପ୍ରେରଣା ଦେୱସ୍ଥଲୀ:- ଭାରତୀୟ ନୌସେନା, କମାଣ୍ଡର ପ୍ରେରଣା ଦେୱସ୍ଥଲୀଙ୍କୁ ପ୍ରଥମ ମହିଳା ଅଧିକାରୀ ଭାବେ ନିଯୁକ୍ତି ଦେଇ ଇତିହାସ ସୃଷ୍ଟି କରିଥିଲା । ଫଳରେ ନୌସେନାର ଯୁଦ୍ଧପୋତକୁ ନିର୍ଦ୍ଦେଶ ଦେବାରେ ପ୍ରଥମ ମହିଳା କମାଣ୍ଡର ହୋଇପାରିଛନ୍ତି ପ୍ରେରଣା । ଏବେ ପ୍ରେରଣା କୁଶଳୀ ବିଧ୍ଵଂସକ ଯୁଦ୍ଧପୋତ ଆଇଏନଏସ ଚେନ୍ନାଇରେ ପ୍ରଥମ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରତ । ନୌସେନା ଏପରି ଘୋଷଣା ପରେ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ମହିଳା ଅଫିସରଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଥିଲା । 'ସମସ୍ତ ଭୂମିକା-ସମସ୍ତ ରାଙ୍କ'କୁ ଦୃଷ୍ଟିରେ ରଖି ମହିଳାଙ୍କୁ ନିଯୁକ୍ତି ଦେଇଥିଲା ଭାରତୀୟ ନୌସେନା । କମାଣ୍ଡର ପ୍ରେରଣା ମୁମ୍ବାଇ ଅଧିବାସୀ ହୋଇଥିବା ବେଳେ ସେ ୨୦୦୯ ମସିହାରେ ଭାରତୀୟ ନୌସେନାରେ ନିଯୁକ୍ତି ପାଇଥିଲେ । ଏହାବାଦ୍ ସେ ଗୋଆ ଆଇଏନଏସ ତ୍ରିଙ୍କଟରେ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ତୁଲାଇଥିଲେ ।
୩. ଗ୍ରୁପ କ୍ୟାପ୍ଟେନ ଶୈଳଜା ଧାମି:-ଭାରତୀୟ ବାୟୁସେନାର ପ୍ରଥମ ମହିଳା ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ଗ୍ରୁପ କ୍ୟାପ୍ଟେନ ଶୈଳଜା ଧାମି । ସେ ଫ୍ରଣ୍ଟଲାଇନ କମ୍ବାଟ ୟୁନିଟକୁ ପ୍ରତିନିଧିତ୍ବ କରିଥିଲେ । କ୍ୟାପ୍ଟେନ ଧାମି ୨୦୦୩ରେ ପ୍ରଥମେ ହେଲିକପ୍ଟର ପାଇଲଟ ଭାବେ ବାୟୁସେନାରେ ନିଯୁକ୍ତି ପାଇଥିଲେ । ତାଙ୍କ ନିକଟରେ ୨୮୦୦ ଘଣ୍ଟା ହେଲିକପ୍ଟର ଉଡାଣର ଅଭିଜ୍ଞତା ରହିଛି । ଏହାବାଦ୍ ସେ ପଶ୍ଚିମାଞ୍ଚଳରେ ହେଲିକପ୍ଟର ୟୁନିଟର ଫ୍ଲାଇଟ କମାଣ୍ଡର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କ୍ୟାପ୍ଟେନ ଶୈଳଜା ପଞ୍ଜାବ ଲୁଧିଆନାର ଅଧିବାସୀ ଥିବାବେଳେ ୨୦୦୩ ଡିସେମ୍ବର ୨୦ରେ ଫ୍ଲାଇଙ୍ଗ ଅଫିସର ଭାବେ ନିଯୁକ୍ତି ପାଇଥିବା ବେଳେ ପରେ ପଦୋନ୍ନତି ପାଇ ୨୦୦୫ ଡିସେମ୍ବର ୨୦ରେ ଫ୍ଲାଇଟ ଲେଫ୍ଟନାଣ୍ଟ ହୋଇଥିଲେ । ୨୦୦୯ ଡିସେମ୍ବର ୨୦ରେ ସେ ସ୍କ୍ବାଡନ ଲିଡର ଭାବେ ଦାୟିତ୍ବ ତୁଲାଇଥିବା ବେଳେ ୨୦୧୬ରେ ୱିଙ୍ଗ କମାଣ୍ଡର ଭାବେ ପଦୋନ୍ନତି ପାଇଥିଲେ ।
୪. ୱିଙ୍ଗ କମାଣ୍ଡର ଦୀପିକା ମିଶ୍ର:- ଗତ ଏପ୍ରିଲ ୨୦ ତାରିଖରେ ୱିଙ୍ଗ କମାଣ୍ଡର ଦୀପିକା ମିଶ୍ରଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଫିସର ଭାବେ ଗାଲାଣ୍ଟ୍ରି ଆୱାର୍ଡ (ବୀରତା ସମ୍ମାନ) ପ୍ରଦାନ କରାଯାଇଥିଲା । ୱିଙ୍ଗ କମାଣ୍ଡର ଦୀପିକା ପ୍ରାକୃତିକ ବିପର୍ଯ୍ୟୟ ସମୟର ପ୍ରତିକୂଳ ପରିସ୍ଥିତିରେ ବୀରତ୍ବ ଓ ଅସୀମ ସାହାସ ପ୍ରଦର୍ଶନ କରି ବହୁ ଧନ ଜୀବନ ରକ୍ଷା କରିଥିଲେ । ଏଥିଲାଗି ତାଙ୍କୁ ଏୟାର ଫୋର୍ସ ମେଡାଲ (ଗାଲାଣ୍ଟ୍ରି) ପ୍ରଦାନ କରାଯାଇଥିଲା । ଏହି ବୀରତା ସମ୍ମାନ ପାଇବାରେ ଦୀପିକା ହେଉଛନ୍ତି ପ୍ରଥମ ମହିଳା ବାୟୁସେନା ଅଧିକାରୀ । ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀଙ୍କଠାରୁ ସେ ଏହି ସମ୍ମାନଜନକ ପଦକ ହାସଲ କରିଥିଲେ । ୨୦୨୧ ମସିହା ଅଗଷ୍ଟ ମାସରେ ମଧ୍ୟପ୍ରଦେଶରେ ଉତ୍ତରାଞ୍ଚଳରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅତ୍ୟନ୍ତ ଖରାପ ପାଗ, ସ୍ବଳ୍ପାଲୋକ ଓ ପ୍ରବଳ ପବନକୁ ଖାତିର ନ କରି ଦୀପିକା ଉଦ୍ଧାର ପାଇଁ ସେଠାରେ ପହଞ୍ଚିଥିଲେ । ତାଙ୍କର ଏହି ଅଦମ୍ୟ ସାହାସ ଲାଗି ବଞ୍ଚିଯାଇଥିଲା ୪୭ ଜଣଙ୍କ ଜୀବନ । ୱିଙ୍ଗ କମାଣ୍ଡର ଦୀପିକା ରାଜସ୍ଥାନର ବାସିନ୍ଦା ହୋଇଥିବା ବେଳେ ସେ ୨୦୦୬ ମସିହା ଡିସେମ୍ବରରେ ଏୟାର ଫୋର୍ସ ଏକାଡେମୀରୁ ପାସ ଆଉଟ୍ ହେବା ପରେ ସେ ବାୟୁସେନାରେ ଯୋଗ ଦେଇଥିଲେ ।