ହାଇଦ୍ରାବାଦ:ଘଟଣାବହୁଳ ବିଦାୟୀବର୍ଷ-2023ର ସର୍ବାଧିକ ଚର୍ଚ୍ଚିତ ଓ ଉଦବେଗପୂର୍ଣ୍ଣ ଘଟଣା ଥିଲା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସଂଗଠିତ ହୋଇଥିବା ସାମ୍ପ୍ରଦାୟିକ ହିଂସା । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଚଳିତ ମାସ ମେ’ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ହିଂସା ପ୍ରାୟ ବର୍ଷ ଶେଷ ସୁଦ୍ଧା ମଧ୍ୟ ସମ୍ପୂର୍ଣ୍ଣ ପ୍ରଶମିତ ହୋଇନି । ଜାତିଗତ ସଂରକ୍ଷଣ ବିବାଦକୁ ନେଇ ମଣିପୁର ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟ ଆଦିବାସୀ ‘କୁକି’ ଓ ଉପତ୍ୟାକା ସମୂଦାୟ ‘ମୈତେଇ’ ସମ୍ପ୍ରଦାୟ ମଧ୍ୟରେ ହୋଇଥିଲା ଏହି ଭୀଷଣ ସଂଘର୍ଷ, ଯାହା ଉତ୍ତର-ପୂର୍ବରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିଲା ।
ଏଥିରେ ସରକାରୀ ଭାବେ ପ୍ରାୟ 150ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ମୃତାହତଙ୍କ ସଂଖ୍ୟା ବହୁମାତ୍ରାରେ ଅଧିକ ବୋଲି କୁହାଯାଉଛି । ଏହି ହିଂସା ଘଟଣାରେ ମହିଳାଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶ ସ୍ତବ୍ଦ ହୋଇଯାଇଥିଲା । ସଡକରୁ ସଂସଦ ପର୍ଯ୍ୟନ୍ତ ଏହି ଘଟଣାର ତାତି ଅନୁଭୂତ ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ହସ୍ତକ୍ଷେପ କରିବାକୁ ଚେତାବନୀ ଦେଇଥିଲେ ।
ହିଂସାର ସୂତ୍ରପାତ:
ରାଜ୍ୟ ଅଧାରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ‘ମୈତେଇ’ ସମ୍ପ୍ରଦାୟ ନିଜକୁ ଅନୁସୂଚୀତ ଜନଜାତି ବର୍ଗ ଭାବେ ସଂରକ୍ଷିତ ମାନ୍ୟତା ଦେବାକୁ ଦାବି କରିଆସୁଛି । ଏହାକୁ ଆଦିବାସୀ ‘କୁକି’ ସମ୍ପ୍ରଦାୟ ବିରୋଧ କରିଆସୁଛି । ଏହାରି ମଧ୍ୟରେ ରାଜ୍ୟ ହାଇକୋର୍ଟ ଏହି ମାମଲାରେ ‘ମୈତେଇ’ ସମ୍ପର୍ଦାୟକୁ ଜନଜାତି ମାନ୍ୟତା ଦେବା ନେଇ କେନ୍ଦ୍ର ସରକାରଙ୍କୁ ସର୍ଭେ କରିବାକୁ ନିର୍ଦ୍ଦେଶ ଦେବା ପରେ ହିଂସାର ସୂତ୍ରପାତ ହୋଇଥିଲା । ମେ’ 3 ତାରିଖରେ ସ୍ଥାନୀୟ ହାଇକୋର୍ଟ ଏହି ରାୟ ଦେବା ପରେ ଆଦିବାସୀ ବହୁଳ ଚୁରାଚାନ୍ଦପୁର ଜିଲ୍ଲାରେ ଏହାକୁ ବିରୋଧ କରି ଆଦିବାସୀ ‘କୁକି’ ସମ୍ପ୍ରଦାୟ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହିଠାରୁ ହିଁ ପ୍ରଥମେ ଉଭୟ ସମ୍ପ୍ରଦାୟ ମଧ୍ୟରେ ହିଂସକ ସଂଘର୍ଷ ହୋଇଥିବା କୁହାଯାଏ । ଖବର ପ୍ରସାରିତ ହେବା ସହ ହିଂସା ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ୟାପି ଯାଇଥିଲା ।
ଏଥିରେ ପ୍ରାୟ 150ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ । ହଜାର ହଜାର ଘର ଜଳିଥିଲା । ଲକ୍ଷାଧିକ ସଂଖ୍ୟାରେ ଲୋକେ ବାସଚ୍ଯୁତ ହୋଇଥିଲେ । ବିସ୍ତାପିତମାନେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ । ପୁରା ରାଜ୍ୟରେ ସେନା, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଥିଲେ । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ପୋଲିସ ଓ ସେନାକୁ ନିର୍ଦ୍ଦେଶ ମିଳିଥିଲା । ଏକାଧିକ ରାଜନେତାଙ୍କ ଘରେ ମଧ୍ୟ ଆକ୍ରମଣ ଓ ଜଳାପୋଡା ହୋଇଥିଲା ହୋଇଥିଲା । କିଛି ମାସ ପର୍ଯ୍ୟନ୍ତ ହିଂସାର ଲୋମହର୍ଷଣକାରୀ ଭିଡିଓ ଘଟଣା ସାମ୍ନାକୁ ଆସିବାରେ ଲାଗିଥିଲା । ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିବା କାରଣରୁ ପ୍ରକୃତ ସ୍ଥିତି ସମ୍ପର୍କରେ ବିଳମ୍ବରେ ଜଣାପଡିଥିଲା । ଯାହା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ବାସ୍ତବ ସ୍ଥିତିକୁ ସରକାର ଇଣ୍ଟରନେଟ ଓ ଗଣମାଧ୍ୟମ ଠାରୁ ଲୁଚାଇବାକୁ ପ୍ରୟାସ କରୁଛି ବୋଲି ବିରୋଧୀ କହିଥିଲେ ।
ଦେଶକୁ ସ୍ତବ୍ଦ କରିଦେଇଥିଲା ନାରୀ ନିର୍ଯାତନାର ଭାଇରାଲ ଭିଡିଓ:
ମଣିପୁର ହିଂସା ମଧ୍ୟରେ ଦୁଇ ଯୁବତୀଙ୍କୁ ସଂଘବଦ୍ଧ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶ ସ୍ତବ୍ଦ ହୋଇଯାଇଥିଲା । ମଣିପୁରରେ ସ୍ଥିତି ଯେ କେତେ ଅଣାୟତ ତାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ସଂସଦରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏହି ମାମଲାରେ ଉଦବେଗ ପ୍ରକାଶ ପାଇଥିଲା । ଏପରିକି ଏହି ଘଟଣାର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟ ଏହାକୁ ସମ୍ପୂର୍ଣ୍ଣ ସାମ୍ବିଧାନିକ କଳର ବିଫଳତା ବୋଲି କହିଥିଲେ । ସରକାର ଓ ପ୍ରଶାସନକୁ କଡା ତାଗିଦ୍ କରିବା ସହ ସେମାନେ ବିଫଳ ହେଲେ ନ୍ୟାୟପାଳିକା ବାଧ୍ୟ ହୋଇ ହସ୍ତକ୍ଷେପ କରିବ ବୋଲି ସର୍ବୋଚ୍ଚ କୋର୍ଟ ଚେତାବନୀ ଦେଇଥିଲେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ବଦଳି କରାଯାଇଥିଲା । କେନ୍ଦ୍ର ସରକାର ସିବିଆଇକୁ ଏହି ମାମଲା ହସ୍ତାନ୍ତର କରିବା ସହ ଏକାଧିକ ଏସଆଇଟି ଗଠନ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ଜନସଂଖ୍ୟାର ସାମ୍ପ୍ରଦାୟିକ ଅନୁପାତ :
ଉତ୍ତର-ପୂର୍ବର କ୍ଷୁଦ୍ର ରାଜ୍ୟ ମଣିପୁରରେ ମୁଖ୍ୟତଃ ଦୁଇ ସମ୍ପ୍ରଦାୟର ପ୍ରାଧାନ୍ୟ ରହିଛି । ଉପତ୍ୟାକା ଅଞ୍ଚଳରେ ରହୁଥିବା ସଂଖ୍ୟାଗରିଷ୍ଠ ସମୁଦାୟ ହେଉଛନ୍ତି ‘ମୈତେଇ’ । ଅନ୍ୟଟି ହେଉଛି ପାହାଡି କ୍ଷେତ୍ରରେ ଥିବା ଆଦିବାସୀ ସମ୍ପ୍ରଦାୟ ‘କୁକି’ । ରାଜ୍ୟ ମୋଟ ଲୋକସଂଖ୍ୟାରେ ମୈତେଇ ସମ୍ପ୍ରଦାୟର ସଂଖ୍ୟା ପ୍ରାୟ 53 ପ୍ରତିଶତ ହୋଇଥିବା ବେଳେ ଏମାନେ ରାଜଧାନୀ ଇମ୍ଫାଲ ଭ୍ୟାଲି ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି । ରାଜ୍ୟର ପାହାଡି କ୍ଷେତ୍ରରେ ‘କୁକି’ ଓ ‘ନାଗା’ ପରି ସମ୍ପ୍ରଦାୟକୁ ମିଶାଇ 40 ପ୍ରତିଶତ ଲୋକ ବସବାସ କରନ୍ତି । ଉଭୟ ସମ୍ପ୍ରଦାୟ ମଧ୍ୟରେ ସଂରକ୍ଷଣକୁ ନେଇ ବିବାଦ ଦୀର୍ଘ ବର୍ଷ ହେବ ରହିଆସିଛି । ସଂଖ୍ୟାବହୁଳ ‘ମୈତେଇ’ ସମ୍ପ୍ରଦାୟର ଜନଜାତି ସଂରକ୍ଷଣ ଦାବିକୁ ‘କୁକି’ ସମ୍ପ୍ରଦାୟ ବିରୋଧ କରିଆସିଛି ।
ପୂର୍ବରୁ ମଧ୍ୟ ହୋଇଥିଲା ହିଂସା:
ଚଳିତ ବର୍ଷ ହିଂସା ମଣିପୁରରେ ଜାତିଗତ ହିଂସାର ପ୍ରଥମ ଘଟଣା ନୁହେଁ । ବରଂ ଏହା ପୂର୍ବରୁ ମଧ୍ୟ ଏକାଧିକ ସମ୍ପ୍ରଦାୟ ଏକାଧିକ ଥର ହିଂସା ଘଟାଇଛନ୍ତି । 1992 ମସିହାରେ ‘ନାଗା’ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଥିଲା । 1997 ରେ ମଧ୍ୟ ପୁଣି ଥରେ ରାଜ୍ୟରେ ହିଂସା ଦେଖିବାକୁ ମିଳିଥିଲା । ସଂରକ୍ଷଣ ଓ ଅସ୍ଥିତ୍ବ ପାଇଁ ‘କୁକି’ ଓ ’ପାଇତେ’ ସମୁଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା । ପୂର୍ବରୁ ଘଟିଥିବା ହିଂସା ଘଟଣାରେ ମୃତାହତ ଓ କ୍ଷୟକ୍ଷତି ସମ୍ପର୍କରେ କୌଣସି ସଠିକ ଆକଳନ ମଧ୍ୟ ନାହିଁ ।