ହାଇଦ୍ରାବାଦ:ବର୍ଷ-2023ର ଶେଷ ଭାଗରେ ଅଶାନ୍ତ ମଧ୍ୟପ୍ରାଚ୍ଯରେ ସୃଷ୍ଟି ହୋଇଥିବା ଯୁଦ୍ଧ ବିଶ୍ବ ରାଜନୈତିକ, ରଣନୈତିକ ଓ ସାମରିକ ଦୃଶ୍ୟପଟକୁ ପ୍ରଭାବିତ କରିଛି । ଦଶନ୍ଧି ଧରି ଆରବ ରାଷ୍ଟ୍ରସମୂହ ଓ ସଂଖ୍ୟାଲଘୁ ‘ଇହୁଦୀ’ ରାଷ୍ଟ୍ର ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଅତି ଭୟଙ୍କର ଯୁଦ୍ଧରେ ରୁପାରନ୍ତରିତ ହୋଇଛି । ମାନବ ସଭ୍ୟତାର ଇତିହାସରେ ଏକ କଳାଫର୍ଦ୍ଦ ଯୋଡିଛି ଇସ୍ରାଏଲ ଓ ପାଲେଷ୍ଟାଇନ ଅଧିକୃତ ଗାଜାପଟି ମଧ୍ୟରେ ଯୁଦ୍ଧ ଓ ମାନବୀୟ ସଙ୍କଟ । ଅକ୍ଟୋବର 7 ତାରିଖରେ ଗାଜାକୁ ନିୟନ୍ତ୍ରଣରେ ରଖିଥିବା ‘ହମାସ’ ଗୋଷ୍ଠୀ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ଇସ୍ରାଏଲ । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଗାଜାରେ ଏବେ ସୁଦ୍ଧା ପ୍ରାୟ 19 ହଜାରରୁ ଅଧିକ ନାଗରିକଙ୍କ ପ୍ରାଣହାନୀ ଘଟିଛି । ଭୂମଧ୍ୟ ସାଗର ଉପକୂଳରେ ଥିବା 42 କି.ମି ଲମ୍ବ ଗାଜ ପଟି ଧ୍ବଂସସ୍ତୂପରେ ପରିଣତ ହୋଇଛି ।
ହମାସର ଆକ୍ରମଣରୁ ଯୁଦ୍ଧର ସୂତ୍ରପାତ:-
ପାଲେଷ୍ଟାଇନ ଅଧିକୃତ ‘ଗାଜା’ରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହମାସ’ ଅକ୍ଟୋବର 7 ତାରିଖରେ ପ୍ରଥମେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ମାତ୍ର ପ୍ରାୟ ଅଧଘଣ୍ଟା ମଧ୍ୟରେ ପ୍ରାୟ 5 ହଜାରରୁ ଅଧିକ ରକେଟ ମାଡରେ ଇସ୍ରାଏଲର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ ଡୋମ’ ମଧ୍ୟ ଅଚଳ ହୋଇପଡିଥିଲା । ଏଥିରେ ପ୍ରାୟ 14ଶହ ସାଧାରଣ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଶତାଧିକ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କବାଦୀମାନେ ଅପରହରଣ ମଧ୍ୟ କରିନେଇଥିଲା । ଶକ୍ତିଶାଳୀ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ଉପରେ ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହା ପରେ ଏକ ଜରୁରୀ ବୈଠକ ଡାକି ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ।
ଇସ୍ରାଏଲ ଆରମ୍ଭ କରିଥିଲା ଅପରେସନ ‘ଆଇରନ ସୋର୍ଡ’:-
ଏହା ପରେ ଗାଜାରେ ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ ଆରମ୍ଭ କରିଥିଲା ଇସ୍ରାଏଲୀ ଡିଫେନ୍ସ ଫୋର୍ସର ବାୟୁସେନା । ପୁରା ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରି ଆକ୍ରମଣ କରିଥିଲା ଇସ୍ରାଏଲ । ଫଳରେ ଗାଜାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଥିଲା । ଖାଦ୍ୟ,ପାଣି, ଇନ୍ଧନ, ବିଜୁଳି ଅଭାବରେ ଅସ୍ତବ୍ୟସ୍ତ ହୋଇଥିଲେ ଗାଜାବାସୀ । ଏବେ ମଧ୍ୟ ଜାରି ରହିଥିବା ଏହି ଯୁଦ୍ଧରେ ଏବେ ସୁଦ୍ଧା ଗାଜାରେ ପ୍ରାୟ 19 ହଜାର ଲୋକଙ୍କ ପ୍ରାଣହାନୀ ଘଟିସାରିଲାଣି । ଜାତିସଂଘ, ଆରବ ରାଷ୍ଟ୍ର ସମୂହ ଓ ଅନ୍ୟ ଦେଶମାନେ ଇସ୍ରାଏଲର ଅପରେସନକୁ ବିରୋଧ କରୁଥିଲେ ମଧ୍ୟ ପଶ୍ଚିମ ରାଷ୍ଟ୍ରମାନଙ୍କ ସହାୟତାରେ ଏହି ଅପରେସନ ଜାରି ରଖିଛି ଇସ୍ରାଏଲ । ବିଶ୍ବବ୍ୟାପୀ ସମାଲୋଚନା ସତ୍ତ୍ବେ ମଧ୍ୟ ହମାସର ଅନ୍ତ ପର୍ଯ୍ୟନ୍ତ ଆବଶ୍ୟକ ପଡିଲେ ବିଶ୍ବ ବିରୋଧରେ ମଧ୍ୟ ଇସ୍ରାଏଲ ଯାଇପାରେ ବୋଲି ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି । ଏବେ ଉତ୍ତର-ଗାଜାରେ ଆଉ ସାଧାରଣ ନାଗରିକ ନାହାନ୍ତି । ଦକ୍ଷିଣ ଗାଜା ଏବେ ଲକ୍ଷାଧିକ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଆଶ୍ରୟସ୍ଥଳ ପାଲଟିଛି ।
ଅକ୍ଟୋବର 27ରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ:-
ପ୍ରାୟ ମାସେ ବ୍ୟାପୀ ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ କରିବା ପରେ ଇସ୍ରାଏଲ ସେନା ଉତ୍ତର ଗାଜାରେ ଗ୍ରାଉଣ୍ଡ ଅପରେସନ ବା ସ୍ଥଳ ଅପରେସନ ଆରମ୍ଭ କରିଥିଲା । ହମାସ ଆତଙ୍କୀ ଗୋଷ୍ଠୀର ସର୍ବାଧିକ ନିୟନ୍ତ୍ରଣ ଓ ଏକାଧିକ ଠିକଣା ଏହି ଉତ୍ତର ଗାଜାରେ ରହିଥିବା କୁହାଯାଏ । ଉତ୍ତର ଗାଜାରେ ହମାସର ଏକାଧିକ ସୁଦୀର୍ଘ ସୁଡଙ୍ଗ ମଧ୍ୟ ରହିଛି । ଆତଙ୍କୀମାନେ ଏଠାରେ ଆତ୍ମଗୋପନ କରି ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିବା ପରେ ଇସ୍ରାଏଲୀ ସେନା ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଥିଲା । ଯାହା ଏକାଧିକ ପର୍ଯ୍ୟାୟର ଅସ୍ତ୍ରବିରତି ସତ୍ତ୍ବେ ମଧ୍ୟ ଏବେ ବି ଜାରି ରହିଛି ।
ମୃତାହତ ଓ କ୍ଷୟକ୍ଷତି:-
ଗାଜାର ଅଭିଯୋଗ ଅନୁସାରେ, ଏବେ ସୁଦ୍ଧା ପ୍ରାୟ 19 ହଜାରରୁ ଅଧିକ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଛି । ସେମାନଙ୍କ ମଧ୍ୟରୁ 70 ପ୍ରତିଶତ କେବଳ ମହିଳା ଓ ଶିଶୁ ରହିଛନ୍ତି । 50 ହଜାରରୁ ଅଧିକ ଆହତ ନାଗରିକ ହୋଇଛନ୍ତି । ହଜାର ହଜାର ନାଗରିକ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଗାଜାରେ ମୋଟ 40 ହଜାର ଅଟ୍ଟାଳିକାର ଧ୍ବଂସସ୍ତୂପରେ ପରିଣତ ହୋଇଛି । ଯାହାକି ସହରର ମୋଟ 40 ପ୍ରତିଶତ ଭାଗ ସମୂର୍ଣ୍ଣ ଧ୍ବଂସ ହୋଇଯାଇଛି । ହେଲେ ଏହି ତଥ୍ୟକୁ ଇସ୍ରାଏଲ ପକ୍ଷରୁ ସମ୍ପୂର୍ଣ୍ଣ ସ୍ବୀକାର କରାଯାଇ ନାହିଁ । ସାଧାରଣ ଜନବସତି ଓ ହସ୍ପିଟାଲ ଓ ସ୍କୁଲ ପରି ସ୍ଥାନକୁ ଆତଙ୍କବାଦୀମାନେ ସେମାନଙ୍କ ଆଡ୍ଡା ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଛି ଇସ୍ରାଏଲ ।