ହାଇଦ୍ରାବାଦ:ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ । କିନ୍ତୁ ଆବାକ ଲାଗେ ଯେତେବେଳେ ଅକାଳରେ ଉଡିଯାଏ ଜୀବନ ହଂସ । କଳା, ସଂସ୍କୃତି, ଶିକ୍ଷା, ସାହିତ୍ୟ, ରାଜନୀତି, ମନୋରଞ୍ଜନ, କ୍ରୀଡା ଶିଳ୍ପ ଆଦି କ୍ଷେତ୍ରରେ ସ୍ବତନ୍ତ୍ର ପାଲଟିଥିବା ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଆମେ ହରାଇଛୁ ବିଦାୟୀ ବର୍ଷରେ । ହେଲେ ସ୍ମରଣୀୟ ହୋଇରହିବ ସେମାନଙ୍କ ଅସ୍ତିମତ ବ୍ୟକ୍ତିତ୍ବ । ଆଉ ହାତଗଣତି ଦିନ କେଇଟା ପରେ ବିଦାୟ ନେବ ବର୍ଷ ୨୦୨୨ । କିନ୍ତୁ ଖଟାମିଠା ସ୍ମୃତି ଆମ ସହ ରହିଯିବ । ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ବର୍ଷ 2022 ରେ ଯେଉଁଭଳି ଭାବେ ଆମ ଗହଣରୁ ଅନେକ ବିଶିଷ୍ଟ ବ୍ୟକ୍ତିଗଣ ଅଫେରା ରାଇଜକୁ ଫେରିଗଲେ ତାହାକୁ ମାନବ ଜାତି ସହଜେ ଗ୍ରହଣ କରିପାରୁ ନାହିଁ । ସେମାନେ ସିନା ଅଫେରା ରାଇଜରେ... ହେଲେ ଆମ ପାଇଁ ଛାଡି ଯାଇଛନ୍ତି ତାଙ୍କ କିର୍ତ୍ତୀରାଜିର ଅନେକ ଛାପ...। ତେବେ ଆସନ୍ତୁ ନଜର ପକାଇବା ସେହି ବିଶିଷ୍ଟ ବ୍ୟକ୍ତିଙ୍କୁ ଯେଉଁମାନେ ଆମକୁ ଛାଡି ଯାଇଛନ୍ତି । ବର୍ଷ 2022ରେ ଆମର ସତନ୍ତ୍ର ଉପସ୍ଥାପନା ଫର୍ଦ୍ଦ-2022ରେ ....
1. ମହାରାଣୀ ଏଲିଜାବେଥ ଦ୍ବିତୀୟ(Alizabeth II)
7 ଦଶନ୍ଧି ରାଜତ୍ବର ଅନ୍ତ ଘଟାଇ ସେପ୍ଟେମ୍ବର ୯ତାରିଖରେ ଆଖି ବୁଜିଥିଲେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟ । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ 96 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ । ରାଣୀ ଏଲିଜାବେଥ ଦ୍ବିତୀୟ 1926 ଏପ୍ରିଲ 21ରେ ଲଣ୍ଡନର ବ୍ରୁଟନ ଷ୍ଟ୍ରିଟରେ ଜନ୍ମଗ୍ରହଣ କରିଥିଲେ । ୨୫ ବର୍ଷ ବୟସରୁ ଗାଦି ସମ୍ଭାଳିଥିଲେ ୧୫ ଦେଶରେ ରାଜ କରିଥିଲେ ରାଣୀ । ୭୦ ବର୍ଷ ଶାସନ ଭାର ସମ୍ଭାଳିଥିଲେ ସେ ।ତାଙ୍କ ଶାସନ ସମୟରେ ବ୍ରିଟେନର ୧୫ ଜଣ ପ୍ରଧାନମନ୍ତ୍ରୀ ସେବା ପ୍ରଦାନ କରିଛନ୍ତି ।
2. ସିଞ୍ଜୋ ଆବେ(Shinzo Abe)
ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ ସିଞ୍ଜୋ ଆବେ । ଜାପାନର ନାରା ସହରରେ ଭାଷଣ ଦେଉଥିବା ବେଳେ ସିଞ୍ଜୋଙ୍କୁ ଗୁଳିମାଡ଼ ହୋଇଥିଲା । ହଠାତ୍ ପଛପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ସେ ୨୦୦୬-୦୭ ଓ ୨୦୧୨-୨୦ ଯାଏ ସିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ।
3. ମୁଲାୟମ ସିଂହ ଯାଦବ(Mulayam Singh Yadav)
ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ଥିଲେ ମୁଲାୟମ ସିଂହ ଯାଦବ । ଉତ୍ତର ପ୍ରଦେଶର 3ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ ସିଂହ ଯାଦବ । ସମାଜବାଦୀ ପାର୍ଟି (ସପା) ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଜନ୍ମ 1939 ମସିହା ନଭେମ୍ବର 22ରେ ଇଟାବା ଜିଲ୍ଲା ସୋଫଇ ଗାଁର ଏକ ଚାଷୀ ପରିବାରରେ ହୋଇଥିଲା । ଜଣେ କୁସ୍ତିଯୋଦ୍ଧା ଭାବେ ଜଣାଶୁଣା ଥିଲେ ମୁଲାୟମ । ରାଜନୀତିକୁ ଆସିବା ପୂର୍ବରୁ ସେ ଶିକ୍ଷକତା କରୁଥିଲେ । 1967ରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସମସ୍ତ ନିର୍ବାଚନରେ ବିଜୟୀ ହୋଇଥିଲେ । 1977ରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ଜନତା ପାର୍ଟି ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
4. ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର (Lata Mangeshkar)
ଗତ ଫେବୃଆରୀ ୬ ତାରିଖରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଜୀବନ ଦୀପ ଲିଭିଯାଇଥିଲା । ୯୨ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁର ସାମ୍ରାଜ୍ଞୀଙ୍କ ପରଲୋକକୁ ନେଇ ସବ୍ଧ ହୋଇଯାଇଥିଲା ବଲିଉଡ ଜଗତ । ୩୬ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଲତା ଦିଦି । ଏ ମେରେ ବତନ କେ ଲୋଗୋଁ ପରି ଗୀତରେ କେତେବେଳେ ଦେଶପ୍ରେମର ମିଳୁଥିଲା ଝଲକ ତ ଲଗଜା ଗଲେ, ପ୍ୟାର କା ନଗମା ଭଳି ଗୀତରେ ଭରିଦେଉଥିଲେ ପ୍ରେମର ରଙ୍ଗ ।
5.ବାପି ଲାହିରୀ (Bappi Lahiri)
ପପ୍-ସିଙ୍ଗର ବା ଗୋଲ୍ଡେନ ମ୍ୟାନ ବାପି ଲେହରୀ । ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଏହି ସୁନାମଧନ୍ୟ ସିଙ୍ଗର । ସୁପରହିଟ୍ ଫିଲ୍ମ ଚଲତେ ଚଲତେ, କଭୀ ଅଲବିଦା ନା କେହେନା, ଆଇ ଆମ୍ ଏ ଡିସ୍କୋ ଡାନ୍ସର, ଶରାବୀ ଗୀତ ପାଇଁ ଘରେ ଘରେ ଲୋକପ୍ରୟତା ହାସଲ କରିବା ସହ ବଲିଉଡର ସେ ଥିଲେ ଡିସ୍କୋ କିଙ୍ଗ । ନିଜର ଭିନ୍ନ ରୂପ ଓ ଶୈଳୀ ପାଇଁ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ କରୁଥିଲେ ।
6. କିଷ୍ଣକୁମାର କୁନ୍ନଥ(KK)
ବଲିଉଡର ପ୍ରସିଦ୍ଧ ଗାୟକ ତଥା କେକେ ନାମରେ ପରିଚିତ କିଷ୍ଣକୁମାର କୁନ୍ନଥଙ୍କ 53 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। କୋଲକାତାରେ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ଗୀତ ପରିବେଶଣ କରିବା ପରେ ସେ ହୋଟେଲକୁ ଫେରିଥିଲେ । ଏହା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ଦେହାନ୍ତରେ କଳା ଜଗତ ସ୍ତବ୍ଧ ହୋଇଯାଇଥିଲେ । 'ୟାରୋ' ଗୀତରୁ ସଫଳତାର ପାହାଚ ଚଢିଥିଲେ କେକେ । ଫିଲ୍ମ 'ହମ ଦିଲ ଦେ ଚୁକେ ହେ ସନମ'ର 'ତଡପ ତଡପ କେ ଇସ ଦିଲ ସେ' ଗୀତ ତାଙ୍କୁ ଆହରୁ ଲୋକପ୍ରିୟ କରାଇଥିଲା ।
ଏହା ମଧ୍ୟ ପଢନ୍ତୁ: Year Ender 2022: କ୍ରୀଡାଜଗତ ପାଇଁ କଳାଫର୍ଦ୍ଦ, ଅଫେରା ରାଇଜରେ ଅନେକ କ୍ରୀଡାବିତ
7. ମିଖାଇଲ ଗୋର୍ବାଚେଭ (Mikhail Gorbachev)
ସୋଭିଏତ ସଂଘ(Soviet Union)ର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ (Mikhail Gorbachev) ଗତ ଅଗଷ୍ଟ ୩୦ ତାରଖରେ ପରଲୋକ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା ପରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ୧୯୮୫ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଗୋର୍ବାଚେଭ ସୋଭିଏତ ସଂଘର ରାଷ୍ଟ୍ରପତି ଥିଲେ । ଶୀତଳ ଯୁଦ୍ଧ ଶେଷ କରିବାରେ ମିଖାଇଲ ଗୋର୍ବାଚେଭ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୯୦ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
8. ସିଡନୀ ପୋଏଟିୟର (Sidney Poitier)
ଏ ହେଉଛନ୍ତି ଜଣେ ଆମରିକାର ଆକ୍ଟର, ଫିଲ୍ମ ନିର୍ଦ୍ଦେଶକ । ସିଡନୀ ପୋଏଟିୟର ୧୯୨୭ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ଜାନୁଆରୀ ୬ ତାରିଖରେ ଆଖିବୁଜିଥିଲେ । ଏ ହେଉଛନ୍ତି ପ୍ରଥମ ଅଭିନେତା ଯିଏକି ଏକାଡେମୀ ପୁରସ୍କାର ପାଇଥିଲେ । ଏହାସହ ସେ ଗୋଲଡେନ୍ ଗ୍ଲୋବ ପୁରସ୍କାର,ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ କଳା ପୁରସ୍କାର (BAFTA) ଏବଂ ଶ୍ରେଷ୍ଠ ସ୍ପୋକେନ୍ ୱାର୍ଡ ଆଲବମ ପାଇଁ ପୁରସ୍କାର ପାଇଥିଲେ ।