ନୂଆଦିଲ୍ଲୀ:ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଘୋଷଣା ହୋଇସାରିଛି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ବହୁ ବ୍ୟବଧାନରେ ପଛରେ ପକାଇ ଦେଶର 15ତମ ତଥା ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ସର୍ବବୃହତ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଛନ୍ତି । ତେବେ ଫଳାଫଳ ସ୍ପଷ୍ଟ ହେବା ପରେ ମୁର୍ମୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛଟିବାରେ ଲାଗିଛି । ପ୍ରତିଦ୍ବନ୍ଦୀ ଯଶୋବନ୍ତ ସିହ୍ନା ମଧ୍ୟ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭୁଲିନାହାନ୍ତି । ନିଜ ଟ୍ବିଟର ହ୍ୟାଣ୍ଡଲରେ ଐତିହାସିକ ବିଜୟ ପାଇଁ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସିହ୍ନା ।
ଫଳାଫଳ ପରେ ସିହ୍ନାଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ସେଥିରେ ସେ ନିଜ ପରାଜୟ ସ୍ବୀକାର କରିବା ସହ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସମ୍ପୂର୍ଣ୍ଣ ଗଣତି ଶେଷ ହେବା ପୂର୍ବରୁ ତୃତୀୟ ରାଉଣ୍ଡ ସୁଦ୍ଧା ମୁର୍ମୁ ଆବଶ୍ୟକୀୟ ସଂଖ୍ୟା ଅତିକ୍ରମ କରିସାରିଥିଲେ ।