ଓଡିଶା

odisha

By

Published : Jul 7, 2023, 5:27 PM IST

ETV Bharat / bharat

Wrestler Sexual Harassment Case: ବ୍ରିଜଭୂଷଣଙ୍କୁ କୋର୍ଟଙ୍କ ସମନ, 18ରେ ହାଜର ହେବାକୁ ନିର୍ଦ୍ଦେଶ

ଭାରତୀୟ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ମାମଲା । ବିଜେପି ସାଂସଦ ତଥା ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କୁ 18ରେ ହାଜର ହେବାକୁ ନିର୍ଦ୍ଦେଶ। ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଫସିଛନ୍ତି ବିଜେପି ସାଂସଦ ତଥା ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (WFI)ର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ । ଦିଲ୍ଲୀ ପୋଲିସ ଚାର୍ଜସିଟ ଦାଖଲ କରିବା ପରେ ରାଉଜ ଆଭେନ୍ୟୁ କୋର୍ଟ ବ୍ରିଜ ଭୂଷଣଙ୍କୁ ସମନ ଜାରି କରିଛନ୍ତି । ଏହାସହିତ ଆସନ୍ତା 18 ତାରିଖରେ କୋର୍ଟରେ ହାଜର ହେବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ବ୍ରିଜ ଭୂଷଣଙ୍କୁ ଗିରଫ କରିବା ଲାଗି ଅନେକ ଦିନ ଧରି ଦିଲ୍ଲୀରେ ଧାରଣାରେ ବସିଥିଲେ ଅନେକ କୁସ୍ତିଯୋଦ୍ଧା ।

ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଅଛି ବୋଲି କୋର୍ଟ କହିଛନ୍ତି । ଦିଲ୍ଲୀ ପୋଲିସ ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟକୁ ଗ୍ରହଣ କରି ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ (ଏସିଏମଏମ) ହରଜିତ ସିଂ ଜସପାଲ ବ୍ରିଜ ଭୂଷଣ ସିଂଙ୍କୁ ଜୁଲାଇ 18ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଜ ଭୂଷଣଙ୍କ ବ୍ୟତୀତ କୋର୍ଟ WFIର ନିଲମ୍ବିତ ସହକାରୀ ସଚିବ ବିନୋଦ ତୋମାରଙ୍କୁ ମଧ୍ୟ ସମନ ଜାରି କରିଛନ୍ତି । ଦିଲ୍ଲୀ ପୋଲିସ ଗତ ଜୁନ 15 ତାରିଖରେ ବ୍ରିଜ ଭୂଷଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଗତ ଜୁନ 22 ତାରିଖରେ ରାଉଜ ଆଭେନ୍ୟୁ କୋର୍ଟରେ ମାମଲାର ଶୁଣାଣି ସମୟରେ ସିଏମଏମ ମହିମା ରାୟ ସିଂ ମାମଲାକୁ ଏମପି-ଏମଏଲଏ କୋର୍ଟକୁ ଟ୍ରାନ୍ସଫର କରିଥିଲେ । ଏହି ମାମଲାକୁ ସେ ଏସିଏମଏମ ହରଜିତ ସିଂ ଜସପାଲଙ୍କ ନିକଟକୁ ପଠାଇଥିଲେ ।

ଏହା ବି ପଢନ୍ତୁ- 'ଦିଲ୍ଲୀ ପୋଲିସ ଉପରେ ଭରସା ନାହିଁ', ବ୍ରିଜଭୂଷଣ ଗିରଫ ହେବା ପର୍ଯ୍ୟନ୍ତ ଜାରି ରହିବ ଧାରଣା

6 ଥର ସାଂସଦ ଥିବା ବ୍ରିଜ ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଆଇପିସି ଧାରା 354, 354ଏ, 354ଡି, 506 ଆଧାରରେ ମାମଲା ରୁଜୁ କରିଛି । ସେହିପରି ତୋମାରଙ୍କ ବିରୋଧରେ ଆଇପିସି ଧାରା 109, 354,354ଏ, 506 ଆଧାରରେ ମାମଲା ରୁଜୁ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିଯୁକ୍ତ ବ୍ରିଜଭୂଷଣ । ଏ ନେଇ ସେ କହିଛନ୍ତି, " କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା 18 ତାରିଖରେ ମୁଁ କୋର୍ଟରେ ହାଜର ହେବି ।"

ସୂଚନା ଥାଉ କି ଅଲମ୍ପିଆନ ବଜରଙ୍ଗ ପୁନିଆଙ୍କ ସମେତ ଭିନେଶ ଫୋଗାଟ, ସାକ୍ଷୀ ମଲିକଙ୍କ ପରି ପ୍ରମୁଖ କୁସ୍ତିଯୋଦ୍ଧାମାନେ ବ୍ରିଜଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ । ସେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ କରୁଥିବା ଅଭିଯୋଗ ଆଣିଥିଲେ । ତାଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ରାଜରାସ୍ତାରୁ ଓହ୍ଲାଇବେ ନାହିଁ ବୋଲି ଦାବି କରିଥିଲେ । ହେଲେ ସରକାର କୌଣସି ପ୍ରତିକ୍ରିୟା ରଖୁନଥିବାରୁ ଏ ନେଇ କୁସ୍ତିଯୋଦ୍ଧାମାନେ କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details