ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ସୋମବାରକୁ ୨୯ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ରବିବାର ବ୍ରିଜଭୂଷଣଙ୍କ ବୟାନ ସାମ୍ନାକୁ ଆସିଥିଲା । ଯଦି ବିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କର ପଲିଗ୍ରାଫ ଟେଷ୍ଟ ହୁଏ, ତେବେ ମୁଁ ମଧ୍ୟ ଏହି ଟେଷ୍ଟ କରିବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ ବ୍ରିଜଭୂଷଣ । ଏହାପରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଆମେ ସମସ୍ତେ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ବୋଲି ସେମାନେ କହିଛନ୍ତି । ତେବେ ଏହି ଟେଷ୍ଟ ଲାଇଭ୍ ହେବା ଆବଶ୍ୟକ, କାରଣ ଦେଶବାସୀ ମଧ୍ୟ ଏହାକୁ ଦେଖିପାରିବେ ବୋଲି ସେମାନେ କହିଛନ୍ତି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି, "ଆମେ ଏହି ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ ଏବଂ ଏହା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ହେବା ଉଚିତ୍ । ଏହା ସହିତ ଯେଉଁମାନେ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ସେମାନଙ୍କର ମଧ୍ୟ ନାର୍କୋ ଟେଷ୍ଟ ହେବା ଆବଶ୍ୟକ ।" ସେହିଭଳି ବିନେଶ ଫୋଗାଟ କହିଛନ୍ତି, "ବ୍ରିଜଭୂଷଣ ପ୍ରଥମେ ନାର୍କୋ ଟେଷ୍ଟ ପାଇଁ କହିଥିବା ଦର୍ଶାଇ ତାଙ୍କୁ ହିରୋ ଭଳି ଉପସ୍ଥାପନ କରାନଯାଉ । କାରଣ ଆମେ ଏହି ଦାବି ଆରମ୍ଭରୁ କରି ଆସୁଛୁ ।" ସେପଟେ ଆମେ ଏଠାରେ ପ୍ରଦର୍ଶନ କରିବାକୁ ୧ ମାସ ପୂରଣ ହେବାକୁ ବସିଲାଣି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି ସାକ୍ଷୀ ମଲ୍ଲିକ ।