ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲା ରୁଜୁ ପରେ ମଧ୍ୟ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା । ଧାରଣାର ସପ୍ତମ ଦିନରେ ଜନ୍ତରମନ୍ତରରେ ବିଦ୍ୟୁତ ଓ ଜଳ ଯୋଗାଣକୁ ବନ୍ଦ କରିଛି ପୋଲିସ । ଫଳରେ ରାତିର ଅନ୍ଧାରରେ ମୋବାଇଲ ଟର୍ଚ୍ଚ ଲାଇଟରେ କୁସ୍ତିଯୋଦ୍ଧା ମାନେ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି । ଆମକୁ ଜଳ ଓ ଖାଦ୍ୟ ଆଣିବାକୁ ପୋଲିସ ଅନୁମତି ଦେଉଥିବା ଅଭିଯୋଗ କରିଛନ୍ତି ଧାରଣାରତ କୁସ୍ତିଯୋଦ୍ଧା । ଅନ୍ୟପଟେ ଯେପର୍ଯ୍ୟନ୍ତ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଗିରଫ କରାନଯାଇଛି ସେପର୍ଯ୍ୟନ୍ତ ଆମେ ଧାରଣାସ୍ଥଳରୁ ହଠିବୁ ନାହିଁ ବୋଲି କହିଛନ୍ତି ବଜରଙ୍ଗ ପୁନିଆ ।
କୁସ୍ତିଯୋଦ୍ଧା ମାନେ କହିଛନ୍ତି ଯେ, ''ପୋଲିସ ଆମ ସହ ଖରାପ ବ୍ୟବହାର କରୁଛି । ଯଦି ଧାରଣା ଦେବାରେ ଅଛି ତେବେ ରାସ୍ତାରେ ଶୋଇଯାଅ ବୋଲି ପୋଲିସ କହୁଛି । ପୂର୍ବରୁ ପୋଲିସକୁ କୌଣସି ସମସ୍ୟା ନଥିଲା ଏବେ ସେମାନଙ୍କ ଉପରେ କି ପ୍ରକାର ଚାପ ପଡିଛି ଯେଉଁଥି ପାଇଁ ସେମାନେ ଆମ ସହ ଏପରି ବ୍ୟବହାର କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କୁସ୍ତିଯୋଦ୍ଧା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ଆମେ ସଫଳତା ହାସଲ କରିଛୁ । ପୋଲିସ ଯେତେ ଯାହା କହିଲେ ମଧ୍ୟ ଆମେ ଧାରଣାସ୍ଥଳ ଛାଡିବୁ ନାହିଁ । ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ୍ କାଟ କରିବାରୁ ଆମେ ଖାଦ୍ୟ ଖାଇ ପାରିଲୁ ନାହିଁ । ପାଣି ଆଣିବାକୁ ପୋଲିସ ଆମକୁ ଅନୁମତି ଦେଉନଥିଲା । କିନ୍ତୁ ଆମେ ଯେତେ ବେଳେ ଖାଦ୍ୟ ଏବଂ ଜଳର ବ୍ୟବସ୍ଥା କରିଦେଲୁ ପୋଲିସ ସେତେ ବେଳେ ବିଦ୍ୟୁତ ସଂଯୋଗ କାଟି ଦେଇଥିଲା ।