ହାଇଦ୍ରାବାଦ: ଯା ଦେବୀ ସର୍ବ ଭୂତେଷୁ... ମାତୃ ରୁପେଣ ସଂସ୍ଥିତା... ନମସ୍ତସ୍ତେ ନମସ୍ତସ୍ତେ ନମସ୍ତସ୍ତେ ନମୋ ନମଃ.. ଆଜି ଠାରୁ ଆରମ୍ଭ ହୋଇଛି ଦୁର୍ଗେତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା(Navratri) । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶକ୍ତିପୀଠ । ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା । ପ୍ରତିବର୍ଷ ଶରତ ଋତୁରେ ଏହି ନବରାତ୍ରୀ ପାଳନ କରାଯାଇଥାଏ । ତେବେ ବର୍ଷକର ୪ଟି ନବରାତ୍ରୀ ମଧ୍ୟରୁ ଚୈତ୍ର ଓ ନବରାତ୍ରର ମହତ୍ତ୍ବ ରହିଛି । ନବରାତ୍ରରେ ଶ୍ରଦ୍ଧାଳୁ ପେଣ୍ଡାଲରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରି ୯ ଦିନ ଧରି ପୂଜା ଉପାସନା କରିବେ । ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ ।
ମା'ଙ୍କ ନଅଟି ରୂପ
ନବରାତ୍ରୀରେ ନଅଟି ରୂପରେ ପୂଜା ପାଇବେ ମା' । ଆଜି ଶୈଳପୁତ୍ରୀ ରୂପରେ ପୂଜା କରାଯିବ । ଏହା ପରେ ୮ଦିନ ପର୍ଯ୍ୟନ୍ତ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ମା'ଙ୍କୁ ପୂଜା କରାଯିବ ।
ଆଜି ଶୈଳପୁତ୍ରୀ(Shailputri) ରୂପରେ ପୂଜା ପାଇବେ ମା'
ନବରାତ୍ରୀର ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ । ପୌରାଣିକ ମତ ଅନୁସାରେ, ପର୍ବତରାଜା ହିମାଳୟଙ୍କ କନ୍ୟା ରୂପେ ଜନ୍ମ ନେଇଥିବାରୁ ଶୈଳପୁତ୍ରୀ ନାଁରେ ଖ୍ୟାତ । ପୂର୍ବ ଜନ୍ମରେ ଦକ୍ଷ ରାଜାଙ୍କ କନ୍ୟା ସତୀ ନାମରେ ଜନ୍ମ ନେଇଥିଲେ । ସେହି ସମୟରେ ସେ ଭଗବାନ ଶିବଙ୍କୁ ବିବାହ କରିଥିଲେ । ପ୍ରଜାପତି ଦକ୍ଷ ଯଜ୍ଞରେ ସତୀ ନିଜକୁ ଭସ୍ମ କରି ଶୈଳପୁତ୍ରୀ ରୂପେ ଜନ୍ମ ଗ୍ରହଣ କରିଥିଲେ । ଶୈଳପୁତ୍ରୀଙ୍କୁ ପାର୍ବତୀ ଓ ହୈମବତୀ ନାଁ ମଧ୍ୟ ରହିଛି ।