ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା, ଆଉ ମାତ୍ର ଦିନ କେଇଟା ପରେ ଦଶହରା । ଏନେଇ ଚଳଚଞ୍ଚଳ ଶକ୍ତିପୀଠ ସହ ପୂଜା ମଣ୍ଡପ । ନଅ ଦିନ ଧରି ନଅଟି ରୂପରେ ପୂଜା ପାଇବେ ମା' ଦୁର୍ଗା । ନବରାତ୍ରୀର ପ୍ରଥମ ଦିନରେ ମା' ଶୈଳପୁତ୍ରୀ, ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇବା ପରେ ଆଜି ନବରାତ୍ରୀର ଚତୁର୍ଥ ଦିନରେ କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ଜଗତଜନନୀ । ମା'ଙ୍କର ଏହି ରୂପକୁ ନେଇ ମାନ୍ୟତା ରହିଛି ଯେ ସେ ହିଁ ଏହି ସଂସାରର ରଚନା କରିଛନ୍ତି । ତେଣୁ ମା'ଙ୍କୁ ସୃଷ୍ଟିର ଆଦିସ୍ବରୂପା ତଥା ଆଦି ଶକ୍ତି କୁହାଯାଏ ।
ଏହା ମଧ୍ୟ ପଢନ୍ତୁ-ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'
ଦେବୀ ସମ୍ପଦ ଓ ଶକ୍ତିର ଉନ୍ନତି କରୁଥିବା ବିଶ୍ୱାସ କରାଯାଏ । କୁଷ୍ମାଣ୍ଡାଙ୍କୁ ଅଷ୍ଟଭୂଜା ମଧ୍ୟ କୁହାଯାଏ । ମା'ଙ୍କର ଆଠଟି ହସ୍ତ ରହିଛି । ଯେଉଁ ହାତରେ ଧନୁସର-ବାଣ, ଚକ୍ର, ଗଦା, ଅମୃତ କଳସ, ପଦ୍ମ ଓ କମଣ୍ଡୁଳ ଧାରଣ କରିଛନ୍ତି । ସେହିପରି ଅନ୍ୟଏକ ହାତରେ ଜପ ମାଳା ଧରିଛନ୍ତି । ଭକ୍ତମାନଙ୍କୁ ତାଙ୍କର ଗୋଟିଏ ହାତରେ ଥିବା ଅଭୟ ମୁଦ୍ରା ସାହାଯ୍ୟରେ ସେ ଆଶୀର୍ବାଦ ଦିଅନ୍ତି ।