ନୂଆଦିଲ୍ଲୀ: ଆଉ କେଇ ମୁହୂର୍ତ୍ତର ଅପେକ୍ଷା । ରାତି ପାହିଲେ ଦେଶ ମନାଇବ ଆଜାଦୀର ମହୋତ୍ସବ । ସ୍ବାଧୀନ ଭାରତକୁ ପୁରିବ ୭୫ ବର୍ଷ । ତେବେ ଚଳିତ ବର୍ଷ ସ୍ବତନ୍ତ୍ରତା ଦିବସରେ ସାରା ବିଶ୍ବ ଦେଖିବ ତ୍ରିରଙ୍ଗାର ଜଲୱା । କାରଣ ସ୍ବାଧୀନ ଭାରତର ତ୍ରିରଙ୍ଗରେ ରଙ୍ଗେଇ ହେବ ବିଶ୍ବର ବିଭିନ୍ନ ପ୍ରତିଷ୍ଠିତ ଅଟ୍ଟାଳିକା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକାଂକ୍ଷା ଅନୁରୂପ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି । 'ଆଜାଦୀ କା ଅମୃତ ମହୋତ୍ସବ'ର ଏକ ଅଂଶ ଭାବେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ମନ୍ତ୍ରଣାଳୟ ବିଭିନ୍ନ ଦେଶର ପ୍ରତିଷ୍ଠିତ କୋଠା ଏବଂ ପର୍ଯ୍ୟଟନସ୍ଥଳ ଚୟନ କରିବା ସହ ସମସ୍ତ ଔପଚାରିକତା ଶେଷ କରିଛି ।
ବୈଦେଶିକ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ଏଥର ସ୍ବାଧୀନତା ଦିବସକୁ ନେଇ ବିଶ୍ବରେ ଥିବା ଭାରତୀୟ ଦୂତବାସମାନ ପୁରା ପ୍ରସ୍ତୁତି ଆରମ୍ଭ କରସାରିଛନ୍ତି । ଆମେରିକା, ବ୍ରିଟେନ, ଦୁବାଇ ସମେତ ଅନେକ ସମୃଦ୍ଧଶାଳୀ ରାଷ୍ଟ୍ରର ୭୫ଟି ବିଶ୍ବ ପ୍ରସିଦ୍ଧ କୋଠା ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରୁ ୧୬ ଅଗଷ୍ଟ ସକାଳ ଯାଏଁ ତ୍ରିରଙ୍ଗାର ଆଲୋକରେ ଝଲସିବ । କେବଳ ଏତିକି ନୁହେଁ, କାନାଡାସ୍ଥିତ ବିଶ୍ବ ପ୍ରସିଦ୍ଧ ନିୟାଗ୍ରା ଜଳପ୍ରପାତରେ ପ୍ରବାହିତ ଜଳଧାରା ମଧ୍ୟ ତିନି ରଙ୍ଗରେ ଦୃଶ୍ୟମାନ ହେବ ।
ଯେଉଁସବୁ ମୁଖ୍ୟ ଅଟ୍ଟାଳିକକୁ ତିନି ରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯିବ ସେଥିରେ ଜେନେଭାସ୍ଥିତ ସଂଯୁକ୍ତ ରାଷ୍ଟ୍ର ସଙ୍ଘର ମୁଖ୍ୟାଳୟ, ଆମେରିକାର ଏମ୍ପାୟାର ଷ୍ଟେଟ ବିଲ୍ଡିଂ, ଦୁବାଇର ବୁର୍ଜ ଖଲିଫା, ଋଷର ଇଭ୍ୟୁଲେସନ ଟାୱାର, ସାଉଦୀ ଆରବର ଅବୁଧାବି ସହରର ଜଣାଶୁଣା ଏଡିଏନଓସି ଗ୍ରୁପ ଟାୱାର ଏବଂ ୟୁନାଇଟେଡ କିଙ୍ଗଡମର ବର୍ମିଂହାମ ପୁସ୍ତକାଳୟ ଭବନ ଆଦି ଅନ୍ତର୍ଭୁକ୍ତ ।