ନୂଆଦିଲ୍ଲୀ: କଥାରେ ଅଛି ଜୀବନର ଅନ୍ୟନାମ ଜଳ । ପ୍ରକୃତରେ ଜଳ ବିନା ମଣିଷ ତିଷ୍ଠିବା ଅସମ୍ଭବ । ପୃଥିବୀରେ 71 ପ୍ରତିଶତ ଜଳ ରହିଛି । ଆମ ଶରୀରରେ 60 ପ୍ରତିଶତ । ପୃଥିବୀରେ ଜଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମଣିଷ ତାର ଦୈନନ୍ଦିନ କାର୍ଯ୍ୟକଳାପରେ ମଧୁର ଜଳ ବ୍ୟବହାର କରିଥାଏ । ତେଣୁ ମଣିଷ ଜୀବନରେ ଜଳର ଆବଶ୍ୟକତା ଓ ଜଳସଙ୍କଟ ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ମାର୍ଚ୍ଚ 22 ତାରିଖରୁ ବିଶ୍ବ ଜଳ ଦିବସ ଭାବରେ ପାଳନ କରାଯାଏ ।
ବିଶ୍ବ ଜଳ ଦିବସର ଇତିହାସ
ବିଶ୍ୱ ଜଳ ଦିବସ ପାଳନ କରିବା ପାଇଁ ପ୍ରଥମେ ଜାତିସଂଘର ସାଧାରଣ ସଭାରେ ଡିସେମ୍ବର 22, 1992 ରେ ସଂକଳ୍ପ ଗ୍ରହଣ କରାଯାଇଥିଲା । ଏହା ପରେ ମାର୍ଚ୍ଚ 22 କୁ ପ୍ରତି ବର୍ଷ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । 1993 ମସିହାରୁ ସାରା ବିଶ୍ୱରେ ଆଜିର ଦିନକୁ ଜଳ ଦିବସ ଭାବରେ ପାଳନ କରାଯାଉଛି ।
ଚଳିତ ବର୍ଷ ସାରା ଦେଶ 28ତମ ବିଶ୍ବ ଜଳ ଦିବସ ପାଳନ କରୁଛି । ଚଳିତ ବର୍ଷ ବିଶ୍ବ ଜଳ ଦିବସର ବିଷୟବସ୍ତୁ ରହିଛି 'ଜଳର ମୂଲ୍ୟ' ଏବଂ ଦୈନନ୍ଦିନ ଜୀବନରେ ଜଳର ମୂଲ୍ୟକୁ ବୁଝିବା । ଟଙ୍କା ମୂଲ୍ୟରେ ଜଳର ମୂଲ୍ୟ ବହୁତ ଅଧିକ । ଘର, ଖାଦ୍ୟ, ସ୍ବାସ୍ଥ୍ୟ, ଶିକ୍ଷା ଓ ଅର୍ଥନୀତି ଓ ପ୍ରାକୃତିକ ପରିବେଶର ଅଖଣ୍ଡତା ପାଇଁ ଜଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।