ପ୍ରତିବର୍ଷ ନଭେମ୍ବର ୧୦ ତାରିଖରେ ବିଶ୍ୱ ପ୍ରତିଷେଧକ ଦିବସ ପାଳନ କରାଯାଏ । ଠିକ୍ ସମୟରେ ଟିକାକରଣ ଦ୍ୱାରା କିଭଳି ଜଣେ ଆଜୀବନ କିଛି ରୋଗରୁ ସୁରକ୍ଷିତ ରହିପାରିବ, ସେ ବାବଦରେ ଲୋକଙ୍କୁ ସଚେତନା କରିବା ହେଉଛି ଏହାର ଉଦ୍ଦେଶ୍ୟ । ପ୍ରତିଷେଧକ ହିଁ ଜଣେ ଲୋକର ପ୍ରତିରୋଧର ଶକ୍ତି ବୃଦ୍ଧି କରିଥାଏ । ଆଉ କିଛି ରୋଗ ସଂକ୍ରମଣ ବିରୋଧରେ ଲଢିବାକୁ ଶରୀରକୁ ଶକ୍ତି ଦେଇଥାଏ । ପୋଲିଓ, କଲେରା, ସର୍ଭିକାଲ କ୍ୟାନସର ଭଳି ରୋଗର ମୁକାବିଲା କରିହୁଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବର୍ତମାନ ୨୦ଟି ଜୀବନ ବିନାଶକାରୀ ରୋଗର ପ୍ରତିକାର ପାଇଁ ଟିକା ରହିଛି ।ଯାହା କି ସବୁ ବୟସ ବର୍ଗର ଲୋକଙ୍କୁ ସହାୟକ ହୋଇଥାଏ । ଯେଉଁ ସବୁ ରୋଗ ପାଇଁ ଟିକା ବାହାରିଛି, ସେସବୁ ରୋଗ ହେଲା –
. ସର୍ଭିକାଲ କ୍ୟାନସର
. କଲେରା
. ଡିପଥେରିଆ
.ହେପାଟାଇଟିସ୍ ବି
. ଇନଫ୍ଲୁଏନଜା
.ଜାପାନୀ ଏନସେଫାଲିଟିସ୍
. ମିଳିମିଳା
. ମସ୍ତିଷ୍କ ଜ୍ୱର
. ମମ୍ପସ୍
. ପେର୍ଟୁସିସ୍
. ନିମୋନିଆ
. ପୋଲିଓ
. କୁକୁର କାମୁଡା
. ରୋଟାଭାଇରସ
. ରୁବେଲା
.ଟିଟାନସ
.ଟାଇଫଏଡ୍
. ଭାରିସେଲା
. ୟେଲୋ ଫିଭର
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିଷେଧକ ବର୍ତମାନ ପ୍ରତିବର୍ଷ ୨ରୁ ୩ ମିଲିୟନ ଲୋକଙ୍କୁ ଡିପଥେରିଆ,ଟିଟାନଓ, ଇନଫ୍ଲୁଏନଜା, ମିଳିମିଳାଭଳି ରୋଗର ମୃତ୍ୟୁମୁଖରୁ ବଞ୍ଚାଇଥାଏ । ୨୦୧୯ରେ ବିଶ୍ୱର ୮୫ ପ୍ରତିଶତ ଶିଶୁ ( ୧୧୬ ମିଲିଅନ ଶିଶୁ )
ଡିପଥେରିଆ-ଟିଟାନସ-ପେର୍ଟୁସିସ୍ ( ଡିଟିପି ୩ ) ଟୀକାର ୩ ଡୋଜ୍ ଗ୍ରହଣ କରିଥିଲେ । ଏହା ସେମାନଙ୍କୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ସହ ଗୁରୁତର ଅସୁସ୍ଥତ ଓ ଭିନ୍ନକ୍ଷମତାରୁ ରକ୍ଷା କରିପାରିବ । ଅନ୍ୟପଟେ ୨୦ ମିଲିୟନ ଶିଶୁ ଜୀବନରକ୍ଷାକାରୀ ଟିକାରୁ ବଞ୍ଚିତ ହୋଇଥିଲେ ।
ପ୍ରତିଷେଧକ କ’ଣ ?
ଭାରତର ଜାତୀୟ ହେଲ୍ଥ ପୋର୍ଟାଲ ( ଏନଏଚପି ) ଅନୁସାରେ ଟିକାକରଣ ଶରୀରର ନିଜସ୍ୱ ପ୍ରତିରୋଧକ ବ୍ୟବସ୍ଥାକୁ ସୁରକ୍ଷା ପ୍ରଦାନ କରିଥାଏ । ଯାହାଦ୍ୱାରା କି ସଂକ୍ରମଣ ଓ ରୋଗ ରୋକାଯାଇପାରିବ । ଶିଶୁମାନେ କିଛି ପ୍ରତିଷେଧକ ସହ ଜନ୍ମ ହୋଇଥାନ୍ତି । ମାଆ କ୍ଷୀର ଖାଇ ସେମାନଙ୍କ ପ୍ରତିରୋଧକ ଶକ୍ତି ଦୃଢ ଥାଏ । କିନ୍ତୁ ଶିଶୁର ନିଜର ପ୍ରତିରୋଧର ଶକ୍ତି ବିକଶିତ ହେଲା ପରେ ତାହାର ସୁରକ୍ଷା ଓ ବିଭିନ୍ନ ରୋଗର ପ୍ରତିକାର ସ୍ୱରୂପ ଟିକାକରଣ ଜରୁରୀ ହୋଇଥାଏ । ଟିକା କେମିତି କାମ କରେ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ –
୧. ଏହା ଭାଇରସ ବା ବ୍ୟାକଟେରିଆ ଭଳି ଜର୍ମକୁ ସହଜରେ ଚିହ୍ନଟ କରିଥାଏ ।
୨. ଆଂଟିବଡି ସୃଷ୍ଟି କରେ । ରୋଗ ବିରୋଧରେ ଲଢେଇ ପାଇଁ ପ୍ରତିରୋଧକ ବ୍ୟବସ୍ଥା ଦ୍ୱାରା ଆଂଟିବଡି ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ ।
୩. ଟିକା ରୋଗ ଓ ଏହା ବିରୋଧରେ କେମିତି ଲଢେଇ କରହେବ,ତାହା ମନେ ପକାଇଥାଏ । ଯଦି ଆପଣ ଜର୍ମ ସଂସ୍ପର୍ଶରେ ଆସନ୍ତି, ତାହା ହେଲେ ଆପଣଙ୍କ ପ୍ରତିରୋଧକ ବ୍ୟବସ୍ଥା ଆପଣ ଅସୁସ୍ଥ ହେବା ପୂର୍ବରୁ ଏହାକୁ ଧ୍ୱଂସ କରିଦିଏ ।
ଉପରୋକ୍ତ କାରଣ ଦୃଷ୍ଟିରୁ ଜୀବନନାଶକ ରୋଗ ବିରୋଧରେ ଲଢିବା ପାଇଁ ଟିକା ହେଉଛି ସବୁଠୁ ନିରାପଦ ଉପାୟ । ହଁ,ଟିକାର ପାଶ୍ୱର୍ପ୍ର ତିକ୍ରିୟା ବି ଥାଏ । ସାମାନ୍ୟ ଜ୍ୱର ଓ କାନ୍ଧ ଯନ୍ତ୍ରଣା ହୁଏ । କିନ୍ତୁ ଏଥିପାଇଁ ବିଶେଷ ଚିନ୍ତା କରିବାର କୌଣସି କାରଣ ନାହିଁ । ଏହା ବେଶୀ ଦିନ ରହେ ନାହିଁ । ଭାରତରେ ଟିକାକରଣର ସ୍ଥିତି ଭାରତର ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ ଅନୁସାରେ ସଂଖ୍ୟା ଦୃଷ୍ଟିରୁ ଭାରତରେ ବଡଧରଣର ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ-ୟୁଆଇପି ଚାଲୁଛି । ଏହା ଦ୍ୱାରା ଅନେକ ହିତାଧିକାରୀଙ୍କ ଟିକାକରଣ କରାଯାଇଛି । ୩୦ ବର୍ଷ ଧରି ୟୁପିଆଇ ଚାଲୁଥିଲେ ମଧ୍ୟ କେବଳ ୬୫ ପ୍ରତିଶତ ଶିଶୁଙ୍କୁ ହିଁ ସେମାନଙ୍କ ପ୍ରଥମ ବର୍ଷରେ ଟିକା ଦିଆଯାଇପାରୁଛି । ବୟସ ବଢିବା ସହ ଟିକାକରଣ ଅଟକି ଯାଉଛି । ସଂପୂର୍ଣ୍ଣ ଟିକାକରଣର ଲକ୍ଷ୍ୟ ହାସଲ ପାଇଁ ଭାରତ ସରକାର ୨୦୧୪ ମସିହା ଡିସେମ୍ବରରେ ‘ମିଶନ ଇନ୍ଦ୍ରଧନୁଷ’ ଆରମ୍ଭ କରିଥିଲେ । ଶିଶୁମାନଙ୍କ ପାଇଁ ଉପଲବ୍ଧ ସବୁ ଟିକା ଜରିଆରେ ପୂର୍ଣ୍ଣ ଟିକାକରଣର ଲକ୍ଷ୍ୟ ହାସଲ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ଜରିଆରେ ସବୁ ଟିକା ମାଗଣାରେ ଉପଲବ୍ଧ ହୋଇଛି । ମନେ ରଖିବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ଆପଣଙ୍କ ଶିଶୁଙ୍କୁ ଟିକା ଦେବା ପୂର୍ବରୁ କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ନ୍ୟାସନାଲ ହେଲ୍ଥ ପୋର୍ଟାଲ ଅନୁସାରେ –
. ଟିକା ଦେବା ପୂର୍ବରୁ ବ୍ୟବହାର ହୋଇ ନ ଥିବା ଛୁଂଚି ଓ ସିରିଂଜ ପ୍ରୟୋଗ କରନ୍ତୁ ।
. ଥରେ ବ୍ୟବହାର ହେଲା ପରେ ଛୁଂଚି ଓ ସିରିଞ୍ଜ ଫୋପାଡି ଦିଅନ୍ତୁ । ଆଉ ଥରେ ବ୍ୟବହାର କଲେ ଏଥିରୁ ସଂକ୍ରମଣର ଆଶଙ୍କା ରହିଥାଏ ।
. ଗାଇଡଲାଇନ୍ସ ଅନୁସାରେ ପ୍ରତିଷେଧକ ସିଡ୍ୟୁଲ ଅନୁସରଣ କରନ୍ତୁ । ଆପଣଙ୍କ ଟିକାକରଣ ତାରିଖ ମନେ ରଖନ୍ତୁ ।
. ଯେକୌଣସି ପ୍ରକାର ଟିକାକରଣ ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ । ଏହାଛଡା ଆଉ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ । କିଛି ସ୍ଥିତିରେ ଟିକାକରଣ ବିଳମ୍ବିତ କରିବାକୁ ପଡିବ । କିଛି ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ଟିକାକରଣ ବିଳମ୍ବିତ
କରିବାକୁ ପଡିପାରେ ।
. ପିଲାର ଯଦି ଉଚ୍ଚ ଜ୍ୱର ଥିବ
. ଅନ୍ୟ ଟିକାର ଖରାପ ପ୍ରତିକ୍ରିୟା
. ଅଣ୍ଡା ଖାଇବା ପରେ ପ୍ରତିକ୍ରିୟାସୃଷ୍ଟି ହେଲେ
. ମୂର୍ଛା ହେବାର ପୁରୁଣା ଅଭ୍ୟାସ ଥିଲେ
. କ୍ୟାନସର ବା କୌଣସି ଅସୁସ୍ଥତା ଯୋଗୁଁ ଯଦି ପ୍ରତିରୋଧକ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ ।
ସମସ୍ତଙ୍କର ଟିକାକରଣ ଅଧିକାର ରହିଛି । ଏହା କିନ୍ତୁ ସୁରକ୍ଷିତ ଭାବେ ହେବା ଦରକାର । ଏଥିପାଇଁ କେବଳ ରୋଗୀ ନୁହଁନ୍ତି, ସ୍ୱାସ୍ଥ୍ୟକର୍ମୀମାନେ ବି ସଚେତନତା ଅବଲମ୍ବନ କରିବା ଦରକାର । ଟିକା ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ଟିକା ଥରେ ନେଲେ ଏହା ନିୟମିତ ଭାବେ ନେବା ଦରକାର ।