ନୂଆଦିଲ୍ଲୀ:କୋରୋନା ପରଠୁ ନୂଆ ରୋଗ ନାଁ ଶୁଣିଲେ ଦେହରେ ଶିହରଣ ଖେଳିଯାଉଛି । ମହାମାରୀ କୋରୋନାରେ ପ୍ରତ୍ୟେକ ଦେଶ ପ୍ରଭାବିତ ହେବା ସହ ସମସ୍ୟାର ସମ୍ମୁଖୀନ ହୋଇଛି । ଦିନକୁ ଦିନ କିଛି ନା କିଛି ନୂଆ ରୋଗ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ଭାରତର ପଡ଼ୋଶୀ ଦେଶ ଚୀନରେ ପୁଣି ଏକ ନୂତନ ରୋଗ ବ୍ୟାପିବାରେ ଲାଗିଛି । ଚୀନର ଲୋକମାନେ ହାଇ ଫିଭର ସହ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସରେ ପୀଡ଼ିତ ହେଉଥିବା ଖବର ସାମ୍ନାକୁ ଆସିଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ଡାକ୍ତରମାନେ ଏହି ରୋଗକୁ କୋରୋନା ସହ ସଂଯୋଗ କରୁଛନ୍ତି । ସେ କହିଛନ୍ତି ଯେ, ଏହି ରୋଗ ପରସ୍ପର ମଧ୍ୟରେ ଅତି ଶୀଘ୍ର ବ୍ୟାପୁଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏହା କୋରୋନା ଭଳି ମାରାତ୍ମକ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନିକଟରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅପରେସନ୍ ନିର୍ଦ୍ଦେଶକ ମାରିଆ ୱାନ୍ କହିଛନ୍ତି ଯେ, ସଂକ୍ରମିତ ପିଲାମାନଙ୍କଠାରେ ଏହି ରୋଗ ଅଧିକ ଦେଖାଯାଉଛି । ସେ କହିଛନ୍ତି ଯେ ଏହି ରୋଗ କୋରୋନା ଭଳି ମାରାତ୍ମକ ନୁହେଁ । ବିଶେଷଜ୍ଞମାନେ ଏହାକୁ ନିମୋନିଆ ବୋଲି କହୁଛନ୍ତି । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ସେୟାର ହୋଇଥିବା ରିପୋର୍ଟରେ ଚୀନ୍ର ଉତ୍ତର ଭାଗରେ ଶ୍ବାସକ୍ରିୟା ରୋଗର ବୃଦ୍ଧି ଘଟିଥିବାର ଏହା ସଙ୍କେତ ଦେଇଛି । ଇନ୍ଫ୍ଲୁଏଞ୍ଜା, ମାଇକୋପ୍ଲାଜମା ନିମୋନିଆ, SARS-CoV-2 ଇତ୍ୟାଦି ସାଧାରଣ କାରଣ ଏଥିପାଇଁ ଦାୟୀ ବୋଲି କୁହାଯାଇଛି ।
ଶୀତ ଋତୁ ଆରମ୍ଭ ହେବା ସହ ମାଇକୋପ୍ଲାଜ୍ମା ନିମୋନିଆ ଭଳି ଶ୍ବାସକ୍ରିୟା ରୋଗର ବିସ୍ତାର ସହ COVID-19 ପ୍ରତିବନ୍ଧକକୁ ହଟାଇବା ବି ଏହାର ବୃଦ୍ଧିର କାରଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ଚୀନ୍ କର୍ତ୍ତୃପକ୍ଷଙ୍କୁ ଅତିରିକ୍ତ ସୂଚନା ମଗା ଯାଇଛି । ଏହା ଆକଳନ କରାଯାଇଛି ଯେ ବର୍ତ୍ତମାନ ଭୟଭୀତ ହେବାର କୌଣସି କାରଣ ନାହିଁ । ସୂଚନା ଅନୁସାରେ, ଗତ ସପ୍ତାହରେ ଉତ୍ତର ଚୀନରେ ପିଲାମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ରୋଗର ବୃଦ୍ଧି ଘଟିଥିବାର ରିପୋର୍ଟ ପ୍ରକାଶ ପାଇଥିଲା ।
ସେପଟେ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରିବା ପାଇଁ ଶ୍ୱାସ ରୋଗର ମୁକାବିଲା ପାଇଁ ପଦକ୍ଷେପଗୁଡିକର ବିସ୍ତୃତ ସମୀକ୍ଷା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନର ସ୍ୱାଇନ୍ ଫ୍ଲୁ ଏବଂ ଶୀତ ଋତୁକୁ ଧ୍ୟାନରେ ରଖିବା ଜରୁରୀ ଅଟେ । ଭାରତ ସରକାର ଏଥିପ୍ରତି ନଜର ରଖିଛନ୍ତି । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।