ହାଇଦ୍ରାବାଦ: ବାପାଙ୍କ ପାଇଁ ଦିନ ଟିଏ, ଭଗବାନଙ୍କ ମଥାରୁ ଖସି ପଡିଥିବା ଆର୍ଶୀବାଦର ଫୁଲ ହେଉଛନ୍ତି ବାପା । ଭାଙ୍ଗିଲେ ଗଢି ଦିଅନ୍ତି, ହଜିଲେ ଖୋଜି ଆଣନ୍ତି, ଋଷିଲେ ମନେଇ ଆଣୁଥିବା ବ୍ୟକ୍ତିତ୍ବ ହେଉଛନ୍ତି ବାପା । ଦୁଃଖର ସାଗରକୁ ଯିଏ ଆଖିତଳେ ଚାପି ରଖନ୍ତି, ସନ୍ତାନର ସ୍ବପ୍ନ ପାଇଁ ଯିଏ ଦିନ ରାତି ପରିଶ୍ରମ କରନ୍ତି, ଜୀବନରେ ହାରିଗଲେ ଯିଏ ଆଗକୁ ବଢିବା ପାଇଁ ସାହାସ ଦିଅନ୍ତି, ଅଦୃଶ୍ୟ ପ୍ରେରଣା ଦାତା ସାଜି ମନ ମନ୍ଦିରରେ ଦେବତାଭଳି ପୂଜା ପାଉଥିବା ମନୁଷ୍ୟ ହେଉଛନ୍ତି ବାପା ।
ବାପା ହେଉଛନ୍ତି ସନ୍ତାନର ଚଳନ୍ତି ଠାକୁର । କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତାପାଇଁ ଅନ୍ଧାର । ବାପାଥିଲେ ପାଖରେ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଆସେନା । କାନ ଧରି ଜୀବନ ରାସ୍ତାରେ ଆଗକୁ ବଢାଇବାକୁ ଶକ୍ତି ଦେଉଥିବା ଦରଦୀ ହୃଦୟ କେବଳ ବାପାର ହିଁ ରହିଥାଏ । ଶାସ୍ତ୍ର କୁହେ 'ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ' । ଅର୍ଥାତ, ପିତାଙ୍କୁ ସ୍ନେହ, ଭକ୍ତି ଓ ଯର୍ଥାତ ସମ୍ମାନ ଦେବା ଦ୍ୱାରା ଭଗବାନ ଏଥିରେ ଖୁବ ସନ୍ତୁଷ୍ଟ ହୋଇଥାଆନ୍ତି । ପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ । ବାପା ହେଉଛନ୍ତି ଏକ ଶକ୍ତ ଖୋଳପା ଭିତରେ ସୂକ୍ଷ୍ମ ସୂତା । ଝିଅକୁ ମାଆ ଓ ପୁଅକୁ ବାପା ବୋଲି ସମ୍ବୋଧନ କରିଥାନ୍ତି ବାପା ।