ଚଣ୍ଡିଗଡ଼: ପଞ୍ଜାବ ସରକାରଙ୍କ ଉପରେ ବଡ ଆରୋପ ଆଣିଲେ ଦିବ୍ୟାଙ୍ଗ ଚେସ ଖେଳାଳି ମଲିକା ହାଣ୍ଡା । ଏକ ଭିଡିଓ ସେୟାର କରି ସେ ଦାବି କରିଛନ୍ତି ଯେ, ରାଜ୍ୟ ସରକାର ତାଙ୍କୁ ଚାକିରି ଏବଂ ନଗଦ ପୁରସ୍କାର ପ୍ରତିଶୃତି ଦେଇଥିଲେ, କିନ୍ତୁ ବର୍ତ୍ତମାନ ତାହା ପୂରଣ କରିବାକୁ ମନା କରି ଦେଇଛନ୍ତି। ମୁକ ବଧିର ଚେସ ପ୍ଲେୟାରଙ୍କ ନାମରେ ହୋଇଥିବା ଟ୍ବିଟର ଆକାଉଣ୍ଟରେ ଏହି ଭିଡିଓଟି ସେୟାର କରାଯାଇଛି, ଯେଉଁଥିରେ ସେ ପଦକ ଦେଖାଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ।
ଭିଡିଓ ନିକଟରେ ଲେଖାଯାଇଥିବା ପୋଷ୍ଟରେ ସେ କହିଛନ୍ତି - ପଞ୍ଜାବ ସରକାର ତାଙ୍କୁ ଚାକିରି ଏବଂ ନଗଦ ପୁରସ୍କାର ଦେବାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରୀ ନିଜ କଥାରୁ ଓହରି ଯାଇଛନ୍ତି । କଂଗ୍ରେସର ବଡ ନେତା ରାହୁଲ ଗାନ୍ଧୀ, ପଞ୍ଜାବ ସିଏମ ଚରଣଜିତ ସିଂ ଚନ୍ନି, ନବଜୋତ ସିଂ ସିଦ୍ଧୁ, କ୍ରୀଡା ମନ୍ତ୍ରୀ ପରଗଟ ସିଂଙ୍କୁ ଟ୍ୟାଗ କରି ସେ ଲେଖିଛନ୍ତି - ମୁଁ ବହୁତ ଆଘାତ ପାଇଛି। ତେବେ ସେ ଡିସେମ୍ବର 31 ରେ ପଞ୍ଜାବର କ୍ରୀଡାମନ୍ତ୍ରୀ ପରଗଟ ସିଂଙ୍କୁ ଭେଟିଥିଲେ ।
ସେ ଆହୁରି ଲେଖିଛନ୍ତି ଯେ, କ୍ରୀଡା ମନ୍ତ୍ରୀ ତାଙ୍କୁ କହିଛନ୍ତି ଯେ, ପଞ୍ଜାବ ସରକାର ତାଙ୍କୁ ଚାକିରୀ କିମ୍ବା ନଗଦ ପୁରସ୍କାର ଦେଇ ପାରିବେ ନାହିଁ। କାରଣ ମୁକ ବଧିର ଖେଳାଳି ପାଇଁ ସେମାନଙ୍କ ପାଖରେ କୌଣସି ପଲିସି ନାହିଁ । ତେବେ ତାଙ୍କ ପାଇଁ ନଗଦ ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ନିମନ୍ତ୍ରଣ ମଧ୍ୟ ପଠାଯାଇଥିଲା । ଏନେଇ ତାଙ୍କ ପାଖକୁ ଚିଠି ବି ଆସିଛି । ହେଲେ କୋଭିଡ କାରଣରୁ ସେହି ଇଭେଣ୍ଟ ବାତିଲ କରାଯାଇଥିଲା ବୋଲି ମଲିକା କହିଛନ୍ତି ।