ଓଡିଶା

odisha

By

Published : Feb 4, 2021, 3:35 PM IST

ETV Bharat / bharat

ବିଶ୍ବ କ୍ୟାନସର ଦିବସ: ଧାରଣା ଓ ବାସ୍ତବତା

ଆଜି ହେଉଛି ବିଶ୍ବ କ୍ୟାନସର ବା କର୍କଟ ଦିବସ । ଏହି ରୋଗ ପାଇଁ ଦେଶରେ ସର୍ବାଧିକ ମୃତ୍ୟୁ ହେଉଛି । ତେବେ ଏହି ରୋଗକୁ ନେଇ କିଛି ଲୋକଙ୍କ ମଧ୍ୟରେ ଭୁଲ ଧାରଣା ରହିଛି, ଯାହାଦ୍ବାରା ସଚେତନତା ଅଭାବରୁ ଲୋକଙ୍କ ମୃତ୍ୟୁ ଘଟୁଛି । ଏହି ଦିବସ ଅବସରରେ ରୋଗ ସମ୍ପର୍କରେ ସଠିକ ସୂଚନା ଓ ଧାରଣା ଲୋକମାନଙ୍କୁ ଯୋଗାଇ ଦେବା ଦିବସର ଲକ୍ଷ୍ୟ ରହିଛି । ଏ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ଅଧିକ ପଢନ୍ତୁ...

World Cancer Day: Debunking Common Cancer Myths
ବିଶ୍ବ କ୍ୟାନସର ଦିବସ: ଧାରଣା ଓ ବାସ୍ତବତା

କ୍ୟାନସର ରୋଗୀଙ୍କ ସଂଖ୍ୟାରେ ନାଟକୀୟ ବୃଦ୍ଧି ସହ ଏହି ରୋଗ ଏବେ ବିଶ୍ବରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି । ୨୦୧୮ରେ ଆନୁମାନିକ ୯.୬ ମିଲିଅନ ଲୋକ କ୍ୟାନସରରେ ପ୍ରାଣ ହରାଇଥିଲେ । ବିଶ୍ୱରେ ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ କ୍ୟାନସରରେ ହୋଇଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ମିିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ନିମ୍ନଲିଖିତ କ୍ୟାନସରରେ ସର୍ବାଧିକ ଲୋକ ପୀଡିତ ହେବା ସହ ମୃତ୍ୟୁମୁଖରେ ପଡିଥାନ୍ତି ।

  • ଫୁସଫୁସ କ୍ୟାନସର(2.09 ମିଲିୟନ ବା 20 ଲକ୍ଷରୁ ଊର୍ଦ୍ଧ୍ବ)
  • ସ୍ତନ କର୍କଟ( 2.09 ମିଲିୟନ)
  • କୋଲୋରେକ୍ଟାଲ(1.80 ମିଲିୟନ)
  • ପ୍ରୋଷ୍ଟେଟ୍(1.28 ମିଲିୟନ)
  • ଚର୍ମ କର୍କଟ ( 1.04 ମିଲିୟନ )
  • ଷ୍ଟୋମାକ (1.03 ମିଲିୟନ)

ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖରେ ବିଶ୍ୱ କ୍ୟାନସର ଦିବସ ପାଳନ କରାଯାଏ । ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଠିକ ସଚେତନତା ସୃଷ୍ଟି କରିବା ହେଉଛି ଦିବସର ଉଦ୍ଦେଶ୍ୟ । ଏହି ମାରାତ୍ମକ ବ୍ୟାଧି ବିରୋଧରେ ମିଳିତ ଲଢେଇର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଏ । ସେଂଟର ଫର୍ ଡିଜିଜ କଂଟ୍ରୋଲ ପ୍ରିଭେନସନ ( ସିଡିସି ) କ୍ୟାନସରର ସଂଜ୍ଞା ନିରୂପଣ କରିଛି । ଶରୀରରେ ଅସ୍ୱାଭାବିକ ସେଲଗୁଡିକ ଭାଗ ଭାଗ ହୋଇ ଅନ୍ୟ ଟିସୁକୁ ଆକ୍ରମଣ କଲେ ସୃଷ୍ଟି ହେଉଥିବା ରୋଗ ହିଁ କ୍ୟାନସର । କ୍ୟାନସର ସେଲଗୁଡିକ ଶରୀରର ଅନ୍ୟ ଅଂଶକୁ ରକ୍ତ ଓ ଲିମ୍ଫ ସିଷ୍ଟମ ଜରିଆରେ ବ୍ୟାପିପାରେ । ଏହି ସିଷ୍ଟମ ଶରୀରରୁ ମଇଳା ନିର୍ଗମରେ ସହାୟକ ହୋଇଥାଏ । କ୍ୟାନସର ଏକ ମାରାତ୍ମକ ବ୍ୟାଧି ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଏହି ରୋଗ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ କେହି ଜାଣନ୍ତି ନାହିଁ । ରୋଗ ନେଇ କିଛି ଭୁଲ ଧାରଣା ବି ରହିଛି । ତେଣୁ ବିଶ୍ୱ କ୍ୟାନସର ଦିବସ ଅବସରରେ ସେହି ଭୁଲ୍ ଧାରଣାଗୁଡିକୁ ଧ୍ୱସ୍ତ କରିବା ଦରକାର ।

୧. କ୍ୟାନସର ସଂକ୍ରାମକ !

ଅଧିକାଂଶ କ୍ୟାନସର ସଂକ୍ରାମକ ନୁହେଁ । ତେବେ, କିଛି କ୍ୟାନସର ଭାଇରସ ଓ ବ୍ୟାକଟେରିଆ ଦ୍ୱାରା ସୃଷ୍ଟି ହେଉଥିବାରୁ ଏହା ଗୋଟିଏ ଲୋକରୁ ଆଉ ଗୋଟିଏ ଲୋକକୁ ବ୍ୟାପିପାରେ । ଇଣ୍ଡିଆନ ଜର୍ଣ୍ଣାଲ ଅଫ୍ ମେଡିକାଲ ରିସର୍ଚ୍ଚ (IJMR) ଅନୁସାରେ ହ୍ୟୁମାନ ପାପିଲୋମା ଭାଇରସ ଦ୍ୱାରା ସୃଷ୍ଟି ହେଉଥିବା ସର୍ଭିକାଲ କ୍ୟାନସର ଓ ହେପାଟାଇଟିସ ବି ଓ ସି ଭାଇରସ ଦ୍ୱାରା ସୃଷ୍ଟି ହେଉଥିବା ଲିଭର କ୍ୟାନସରକୁ ଛାଡିଦେଲେ ଆଉ କୌଣସି କ୍ୟାନସର ସଂକ୍ରାମକ ନୁହେଁ । ବ୍ଲଡ ଟ୍ରାନସଫ୍ୟୁଜନ, ଏକାଧିକ ଥର ବ୍ୟବହୃତ ଛୁଂଚି ଓ ଅସୁରକ୍ଷିତ ଯୌନ ସଂପର୍କ ଉପରୋକ୍ତ ଦୁଇଟି କ୍ୟାନସର ବ୍ୟାପିବାର ସାଧାରଣ କାରଣ ।

୨. କ୍ୟାନସର ସର୍ବଦା ମାରାତ୍ମକ ?

କ୍ୟାନସର ସବୁବେଳେ ମାରାତ୍ମକ ହୋଇ ନ ଥାଏ । ମେଡିସିନ ଓ ଟେକନୋଲୋଜି କ୍ଷେତ୍ରରେ ଅଗ୍ରଗତି ହେବା ସହ କ୍ୟାନସର ପାଇଁ ବିଭିନ୍ନ ଚିକିତ୍ସା ଉପଲବ୍ଧ ହେଲାଣି । ତେଣୁ କ୍ୟାନସରରେ ପୀଡିତ ହେଲେ ମଧ୍ୟ ଚିକିତ୍ସା ଦ୍ୱାରା ଆରୋଗ୍ୟ ହାର ବୃଦ୍ଧିପାଇଛି । ତେବେ, କେଉଁ ଗତିରେ କ୍ୟାନସର ଜଣକୁ ଆକ୍ରାନ୍ତ କରିଛି ଓ ତାହା କେଉଁ ପର୍ଯ୍ୟାୟରେ ଅଛି,ତାହା ଉପରେ ଚିକିତ୍ସା ଓ ରୋଗୀର ବଂଚିବା ସମ୍ଭାବନା ନିର୍ଭର କରେ । ଏହା ଜାଣିବା ବେଶ୍ ଜରୁରୀ ।

୩ . ଆଂଟିପର୍ସପିରାଂଟସ୍ ଓ ଡିଓଡୋରାଣ୍ଟ୍ସ ସ୍ତନ କର୍କଟର କାରଣ କି ?

ସ୍ତନ କର୍କଟର କାରଣ ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ ଅନୁସାରେ ଆଂଟିପର୍ସପିରାଂଟ (ଝାଳ ନିର୍ଗତ ନ ହେବା ପାଇଁ ବ୍ୟବହାର କରାଯାଉଥିବା ପଦାର୍ଥ) ଓ ଡିଓଡୋରାଂନ୍ଟ (ଅତର)ରେ ଏମିତି କିଛି କେମିକାଲ ନାହିଁ, ଯାହା କି ସ୍ତନ କର୍କଟ ସୃଷ୍ଟି କରିବ । ଏ ନେଇ ପ୍ରମାଣ କିଛି ନାହିଁ ।

୪. କେବଳ ଧୂମପାନକାରୀଙ୍କୁ ହିଁ ଫୁସଫୁସ କ୍ୟାନସର ହେବ ?

ଏହା ସତ ଯେ, ଅତ୍ୟଧିକ ଧୂମପାନ କରୁଥିବା ଲୋକ ଫୁସଫୁସ କ୍ୟାନସରରେ ଆକ୍ରାନ୍ତ ହେବା ଆଶଙ୍କା ଅଧିକ ଥାଏ । କିନ୍ତୁ ଧୂମପାନ କରୁ ନ ଥିବା ଲୋକେ ବି ଏହି ରୋଗରେ ପୀଡିତ ହେବା ଆଶଙ୍କା ଥାଏ । ଆଜବେଷ୍ଟସ, ରାଡୋନ, ୟୁରାନିୟମ, ଆର୍ସେନିକ, ଜେନେଟିକ୍ସ ପ୍ରିଡିପୋଜିସନ, ପରୋକ୍ଷ ଧୂମପାନ ସଂସ୍ପର୍ଶରେ ଆସିଲେ ବି ଜଣେ ଫୁସଫୁସ କ୍ୟାନସରରେ ପୀଡିତ ହୋଇପାରିବ । ଆଇଜେଏମଆର୍ ପକ୍ଷରୁ ଏହି ତଥ୍ୟ ମିଳିଛି ।

୫. ଶର୍କରା କ୍ୟାନସରକୁ ଜଟିଳ କରେ କି ?

ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ୍ ଅନୁସାରେ କ୍ୟାନସର ସେଲଗୁଡିକ ଅନ୍ୟ ସାଧାରଣ ସେଲ୍ ଅପେକ୍ଷା ଅଧିକ ସୁଗାର ( ଗ୍ଲୁକୋଜ) ଖାଇନିଅନ୍ତି । କିନ୍ତୁ ଏହା କ୍ୟାନସରକୁ ଅଧିକ ଜଟିଳ କରିବ, ସେ ନେଇ କୌଣସି ଗବେଷଣାରୁ ପ୍ରମାଣ ମିଳିନାହିଁ । କିନ୍ତୁ ଏହି ଅଧିକ ସୁଗାର ଖାଇବା ଦ୍ବାରା ଓଜନ ବଢିବାରେ ସମ୍ଭାବନା ରହିଥାଏ । ଶରୀରରେ ମେଦବହୁଳତା ବଢିଲେ କର୍କଟ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ ।

୬. ପୁରୁଷଙ୍କର ସ୍ତନ କର୍କଟ ହୁଏ ନାହିଁ ?

ଏହା ହେଉଛି ଏକ ପ୍ରକାର ମିଛ ଧାରଣା । ପୁରୁଷଙ୍କଠାରେ ବି ବ୍ରେଷ୍ଟ ଟିସୁ ଥାଏ । ତେଣୁ ସେମାନେ ବି ସ୍ତନ କର୍କଟର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ ଏହି ହାର ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରୁ ଅତ୍ କମ୍ ମାତ୍ରାରେ ଦେଖାଯାଇଥାଏ ।

୭. ସକାରାତ୍ମକ ଆଭିମୁଖ୍ୟ କ୍ୟାନସର ରୋଗକୁ ଆରୋଗ୍ୟ କରିପାରେ ?

ଯେକୈାଣସି ରୋଗର ଚିକିତ୍ସା ବେଳେ ସକାରାତ୍ମକ ଆଭିମୁଖ୍ୟ ଦରକାର । କିନ୍ତୁ କେବଳ ଏହି ଆଭିମୁଖ୍ୟ କ୍ୟାନସର ରୋଗୀର ଚିକିତ୍ସାରେ ସହାୟକ ହୁଏ ନାହିଁ । ସଠିକ ଔଷଧୀୟ ଚିକିତ୍ସା ଓ ଥେରାପି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

୮. କ୍ୟାନସର ଚିକିତ୍ସା ପରେ ଯନ୍ତ୍ରଣା ଓ ଅସୁସ୍ଥତା ଲାଗି ରହେ କି ?

IJMR ଅନୁସାରେ ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପରେ କିଛିଟା ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ । ଭିନ୍ନ ଭିନ୍ନ ଲୋକଙ୍କଠାରେ ଏହା ଭିନ୍ନ ରୂପରେ ଦେଖା ଦେଇଥାଏ । ହେଲେ ଆଂଟିମେଟିକ୍ସର ଅଗ୍ରଗତି ସହ ଯନ୍ତ୍ରଣା, ଅସୁସ୍ଥତା ଭଳି ପାର୍ଶ୍ବ ପ୍ରତିକ୍ରିୟାର ପ୍ରଭାବ ଯଥେଷ୍ଟ ହ୍ରାସ ପାଏ । ଯନ୍ତ୍ରଣାରୁ ଆଶ୍ୱସ୍ତି ପାଇଁ ମେଡିକେସନ ଓ ବ୍ୟାୟାମ ଦ୍ୱାରା ରୋଗୀଙ୍କୁ କିଛି ଅସୁବିଧା ହେବ ନାହିଁ । କ୍ୟାନସର ରୋଗକୁ ନେଇ ଏମିତି ତ ଅନେକ ଭ୍ରାନ୍ତ ଧାରଣା ରହିଛି । ଏସବୁ ଧାରଣା ଦୂର ହେବା ଦରକାର । ଲୋକଙ୍କ କ୍ୟାନସର ରୋଗ ବିରୋଧରେ ସଚେତନ କରିବାକୁ ପଡିବ । କ୍ୟାନସର ବିରୋଧରେ ଲଢିବା ପାଇଁ ଏକାଠି ହେବା ସହିତ ସଚେତନତା ବଜାୟ ରଖିବା ନିତାନ୍ତ ଆବଶ୍ୟକ ।

ABOUT THE AUTHOR

...view details