ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ପଲିସି ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଏମଏଲସି କେ.କବିତାଙ୍କୁ ସର୍ବୋଚ୍ଚ କୋର୍ଟରୁ ବଡ ଆଶ୍ବସ୍ତି ମିଳିଛି । ନଭେମ୍ବର 20 ତାରିଖ ପର୍ଯ୍ୟନ୍ତ ତାଙ୍କୁ ସମନ ଜାରି ନକରିବାକୁ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ କବିତାଙ୍କୁ ହାଜର ହୋଇ ଜେରା ପାଇଁ କେନ୍ଦ୍ରୀୟ ସଂସ୍ଥା ସମନ ଜାରି କରିଥିଲେ। ଏହା ବିରୋଧରେ କବିତା ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି କବିତାଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୌଣସି ସମନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର 20 ତାରିଖରେ ସର୍ବୋଚ୍ଚ କୋର୍ଟ କବିତାଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି କରିବେ ।
ଆଜି ଜଷ୍ଟିସ ସଞ୍ଜୟ କିଷାନ କୌଲ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କବିତାଙ୍କ ଆବେଦନର ଶୁଣାଣି କରିଥିଲେ । ତଦନ୍ତକାରୀ ସଂସ୍ଥା ‘ଇଡି’ ପକ୍ଷରୁ ଅତିରିକ୍ତ ସଲିସେଟର ଜେନେରାଲ ଏସ.ଭି ରାଜୁ ପକ୍ଷ ରଖିଥିଲେ । ଖଣ୍ଡପୀଠ କହିଥିଲେ, ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥା କୌଣସି ନୂତନ ସମନ ଜାରି କରିବ ନାହିଁ ।
କବିତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଜଣେ ମହିଳାଙ୍କୁ ତାଙ୍କ ଘରେ ମଧ୍ୟ ଜେରା କରାଯାଇ ପାରିବ । କୋର୍ଟ କହିଥିଲେ, ଏହା ସମ୍ଭବ ନୁହେଁ ଯେ, କୌଣସି ମାମଲାର ତଦନ୍ତ ପରିସରରେ ଥିବା ଜଣେ ମହିଳାଙ୍କୁ ଆଦୌ ଡକା ଯାଇପାରିବ ନାହିଁ । ହେଲେ ସେଠାରେ କିଛି ସୁରକ୍ଷା ବ୍ୟବସ୍ଥା ରହିବାର ବ୍ୟବସ୍ଥା ରହିବା ଉଚିତ । ଏହି ମାମଲାରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବା ପର୍ଯ୍ୟନ୍ତ କବିତାଙ୍କୁ କେନ୍ଦ୍ରୀୟ ସଂସ୍ଥା ତଦନ୍ତ ପାଇଁ ଡାକିବ ନାହିଁ ।