ଓଡିଶା

odisha

ETV Bharat / bharat

Women Bill: ‘ମହିଳା ସଂରକ୍ଷଣ ବିଲ୍‌ କଂଗ୍ରେସର ମୌଳିକ ବିଚାର, ବିଜେପି ଶ୍ରେୟ ନେବାକୁ ପ୍ରୟାସ କରୁଛି ’ - କଂଗ୍ରେସ ନେତା କେସି ବେଣୁଗୋପାଲ

ତର୍କ କମ ଶ୍ରେୟ ନେବାର ପ୍ରତିଦ୍ବନ୍ଦ୍ବିତା ବେଶି । ବିଜେପି ଉପରେ ବର୍ଷିଲେ କେ.ସି ବେଣୁଗୋପାଲ । କହିଲେ କଂଗ୍ରେସର ମୌଳିକ ବିଚାର, ତେଣୁ ଆମେ ଖୋଲା ସମର୍ଥନ ଦେଇଛୁ । ଅଧିକ ପଢନ୍ତୁ

‘ମହିଳା ସଂରକ୍ଷଣ ବିଲ୍‌ କଂଗ୍ରେସର ମୌଳିକ ବିଚାର, ସେଥିପାଇଁ ଦୃଢ ସମର୍ଥନ କରୁଛୁ’
‘ମହିଳା ସଂରକ୍ଷଣ ବିଲ୍‌ କଂଗ୍ରେସର ମୌଳିକ ବିଚାର, ସେଥିପାଇଁ ଦୃଢ ସମର୍ଥନ କରୁଛୁ’

By ETV Bharat Odisha Team

Published : Sep 21, 2023, 6:35 PM IST

ନୂଆଦିଲ୍ଲୀ: ଗତକାଲି ଲୋକସଭାରେ ପାରିତ ହୋଇସାରିଥିବା ମହିଳା ସଂରକ୍ଷଣ ବିଲ୍‌ ଆଜି ରାଜ୍ୟସଭାରେ ଆଗତ ହୋଇଛି । ଏହା ଉପରେ ଆଜି ଚର୍ଚ୍ଚା ମଧ୍ୟ ଜାରି ରହିଛି । ତେବେ ଏହି ବହୁଚର୍ଚ୍ଚିତ ବିଲ୍‌କୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ ବିତର୍କ କମ ଓ ଶ୍ରେୟ ନେବାର ପ୍ରତିଦ୍ବନ୍ଦ୍ବିତା ଅଧିକ ହେଉଥିବା ପରି ଦେଖିବାକୁ ମିଳିଛି । ଏହି ବିଲକୁ ନିଜର ମୌଳିକ ବିଚାର ଓ ଏକାଧିକ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ ଲାଗୁ କରିବା ପାଇଁ ପ୍ରୟାସ କରାଯାଇଥିବା କଂଗ୍ରେସ କହିଛି । ଆଜି ରାଜ୍ୟସଭାରେ ଚର୍ଚ୍ଚାରେ ଅଂଶଗ୍ରହଣ କରି ବରିଷ୍ଠ କଂଗ୍ରେସ ନେତା କେ.ସି ବେଣୁଗୋପାଲ କହିଛନ୍ତି, ଏହି ବିଲ କଂଗ୍ରେସର ମୌଳିକ ବିଚାର । ତେଣୁ ଦଳ ଏହାକୁ ଦୃଢ ସମର୍ଥନ କରିଛି । ବିଜେପି ହିଁ ଏହାକୁ କଂଗ୍ରେସ କାର୍ଯ୍ୟକାଳରେ ଏହାକୁ ବିରୋଧ କରିଥିଲା । ହେଲେ ଏବେ ଏହାକୁ ଲାଗୁ କରି ଶ୍ରେୟ ନେବାକୁ ପ୍ରୟାସ କରୁଛି ।

ବେଣୁଗୋପାଲ କହିଛନ୍ତି, କଂଗ୍ରେସ ସମୟରେ ଏହାକୁ ଲାଗୁ କରିବା ପାଇଁ ପ୍ରଥମେ 1989ରେ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା । ଲାଲକୃଷ୍ଣ ଆଡଭାନୀ, ଅଟଳ ବିହାରୀ ବାଜପେୟୀଙ୍କ ପରି ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତା ଏହି ବିଲ ବିପକ୍ଷରେ ଭୋଟ ଦେଇଥିଲେ । ତେବେ ସେମାନେ 2014ରେ କ୍ଷମତାକୁ ଆସିବା ପରେ ଏହାକୁ ଲାଗୁ କରିବା ପାଇଁ କହିଲେ । ହେଲେ କ୍ଷମତାକୁ ଆସିବାର ସାଢେ 9 ବର୍ଷ ପରେ ଏହାକୁ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ । ସେମାନଙ୍କୁ କି’ଏ ରୋକିଥିଲା । ସେମାନେ କେବଳ ମହିଳା ସଂରକ୍ଷଣ ବିଲର ଶ୍ରେୟ ନେବାକୁ ପ୍ରୟାସ କରୁଛନ୍ତି । ଏହି ବିଲ କଂଗ୍ରେସର ମୌଳିକ ବିଚାର । ସେଥିପାଇଁ ଏହାକୁ କଂଗ୍ରେସ ଦୃଢ ସମର୍ଥନ ଘୋଷଣା କରିସାରିଛି ।

ସେହିପରି କଂଗ୍ରେସର ଲିଙ୍ଗଗତ ସମାନତା ବିଚାରର ଉଦାହରଣ ଦେଇ ବେଣୁଗୋପାଲ କହିଥିଲେ, 1931 ମସିହାରେ ତତ୍କାଳୀନ କଂଗ୍ରେସ ନେତ୍ରୀ ସରୋଜିନୀ ନାଇଡୁ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ସେବେ ଠାରୁ ଏହି ବିଚାର କଂଗ୍ରେସ ମଧ୍ୟରେ ରହିଆସିଛି । ବିଜେପି ମହିଳାଙ୍କ ସଶକ୍ତିକରଣ କଥା କହୁଛି, ହେଲେ ସେମାନଙ୍କ ଦଳ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ଦ୍ବାରା ପରିଚାଳିତ । ଯେଉଁଠାରେ ମହିଳା ନାହାନ୍ତି । ଯେତେବେଳେ କଂଗ୍ରେସ ଏହି ବିଲ ଆଗତ କରିଥିଲା, ବର୍ତ୍ତମାନର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ସାଂସଦ ଯୋଗୀ ଆଦିତ୍ୟନାଥ ଏହି ବିଲକୁ ପାରିପାରିବ ଅବଧାରଣା ତତ୍ତ୍ବ ପ୍ରଭାବିତ ହେବ କହି ବିରୋଧ କରିଥିଲେ । ଯାହାର ଏକ କପି ମଧ୍ୟ ରାଜ୍ୟସଭାରେ ବେଣୁଗୋପାଲ ଦେଖାଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ମହିଳା ସଂରକ୍ଷଣ ବିଲକୁ ସୋନିଆଙ୍କ ସମର୍ଥନ, କହିଲେ ଅବିଳମ୍ବେ ପାସ କରାଯାଉ

ଏହା ପୂର୍ବରୁ ଏହି ବିଲକୁ ଚଳିତ ସେସନରେ ଅଣାଯାଉ ବୋଲି କଂଗ୍ରେସ ଦାବି କରିଥିଲେ । ପରେ ଏହି ବିଲକୁ ଗୃହରେ ସମର୍ଥନ ଘୋଷଣା କରିଥିଲା କଂଗ୍ରେସ । ଏହା ପାସ ହେଲେ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା ନେଇ ଲୋକସଭାରେ ଚର୍ଚ୍ଚାରେ ଅଂଶଗ୍ରହଣ କରି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମନ୍ତବ୍ୟ ରଖିଥିଲେ । ଆଜି ବେଣୁଗୋପାଲ ମଧ୍ୟ ଏହି ବିଚାରର ଉତ୍ପତି କଂଗ୍ରେସର ବିଚାରଧାରାରୁ ହୋଇଛି ବୋଲି କହିଛନ୍ତି । ଆଜି ରାଜ୍ୟସଭାରେ ଏହି ବିଲ ସମ୍ପର୍କରେ ଚର୍ଚ୍ଚା ଜାରି ରହିଛି । ଗତକାଲି ଏହା 454 ଭୋଟ ସହ ଲୋକସଭାରେ ପାରିତ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details