ଓଡିଶା

odisha

By

Published : Mar 8, 2022, 2:21 PM IST

Updated : Mar 8, 2022, 2:56 PM IST

ETV Bharat / bharat

International Womens Day: କର୍ତ୍ତବ୍ୟ ଆଗରେ ଜୀବନ ତୁଚ୍ଛ, ପାଠ ପଢାଇବାକୁ ଚାଲନ୍ତି ୧୬ କିଲୋମିଟର

ଘଞ୍ଚ ଜଙ୍ଗଲ, ପାଦେ ପାଦେ ହାତୀ ଓ ବାଘର ଭୟ । ବାଟରେ କେଉଁଠି ପଥୁରିଆ ରାସ୍ତା ତ ଆଉ କେଉଁଠି ସରୁ ଝରଣା । ହେଲେ ଜୀବନକୁ ଖାତିର୍ ନ କରି ପ୍ରତିଦିନ ୧୬ କିଲୋମିଟର ଚାଲି ସ୍କୁଲ ଯାଉଛନ୍ତି ଶିକ୍ଷୟିତ୍ରୀ । ଆଜକୁ ୭ ବର୍ଷ ହେଲାଣି କର୍ତ୍ତବ୍ୟ ଆଗରେ ତୁଚ୍ଛ ହୋଇଛି ଜୀବନ । ପଢନ୍ତୁ ସେପରି ଜଣେ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ

Women's Day special: କର୍ତ୍ତବ୍ୟ ଆଗରେ ଜୀବନ ତୁଚ୍ଛ, ପାଠ ପଢାଇବାକୁ ଚାଲନ୍ତି ୧୬ କିଲୋମିଟର
Women's Day special: କର୍ତ୍ତବ୍ୟ ଆଗରେ ଜୀବନ ତୁଚ୍ଛ, ପାଠ ପଢାଇବାକୁ ଚାଲନ୍ତି ୧୬ କିଲୋମିଟର

ଥିରୁଅନନ୍ତପୁରମ:ଚାରିପଟେ ଘଞ୍ଚ ଜଙ୍ଗଲ, ପାଦେ ପାଦେ ହିଂସ୍ର ଜଙ୍ଗଲୀ ଜନ୍ତୁର ଭୟ । କେଉଁଠି ପଥୁରିଆ ରାସ୍ତା ତ ଆଉ କେଉଁଠି ସରୁ ଝରଣା । ପାଦ ଖସିଲେ କ୍ଷଣିକରେ ଚାଲିଯାଇପାରେ ଜୀବନ । ହେଲେ ଜୀବନକୁ ବା କେମିତି ଭୟ କରିବେ, କାରଣ ଭୟର ସେପାଖେ ଚାହିଁ ବସିଛନ୍ତି କୁନି କୁନି ଛାତ୍ର । ମିନି ଗୁରୁମା ଆସିବେ ଏବଂ ଆମକୁ ପାଠ ପଢାଇବେ । ତେଣୁ ପିଲାଙ୍କ ଭବିଷ୍ୟତ ପାଇଁ ଦୀର୍ଘ ୮ ବର୍ଷ ହେଲାଣି ଜଙ୍ଗଲ, ଝରଣା ଡେଇଁ ନିତି ୧୬ କିଲୋମିଟର ଯାତ୍ରା କରୁଛନ୍ତି ମିନି ଗୁରୁମା । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମେ ଏପରି ଜଣେ ମହାନ୍ ଶିକ୍ଷୟିତ୍ରୀଙ୍କୁ ଭେଟ କରାଇବୁ, ଯିଏ ଆଦିବାସୀ ପିଲାଙ୍କ ଜୀବନ ଗଢିବାକୁ ନିଜ ଜୀବନ ବାଜି ଲଗାଇଛନ୍ତି ।

କେରଳ କୋଜହିକୋଡେ ଜିଲ୍ଲାର ଭେନ୍ଦାଥୁ ପୋୟିଲ ଅଞ୍ଚଳର ବାସିନ୍ଦା ଅଟନ୍ତି ମିନି । ସେ ଅମ୍ବୁମାଳା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକମାତ୍ର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ । ୨୦୧୫ ମସିହାରେ ଅମ୍ବୁମାଳା ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଇସ୍ତଫା ଦେବା ପରେ ମିନି ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ । ମିନି ସୂର୍ଯ୍ୟ ଉଇଁଲେ ଘର କାମ ସାରି ସ୍କୁଲ ଅଭିମୁଖେ ବାହାରି ଯାଆନ୍ତି । ପୁଣି ସୂର୍ଯ୍ୟ ନଇଁଲେ ଘଞ୍ଚ ଜଙ୍ଗଲ ଦେଇ ଘରକୁ ଫେରନ୍ତି । ତାଙ୍କ ଘର ଠାରୁ ଦୀର୍ଘ ୮ କିଲୋମିଟର ଦୂରରେ ପଡେ ଅମ୍ବୁମାଳା ବିଦ୍ୟାଳୟ । ବିଦ୍ୟାଳୟ ବାଟରେ ଘଞ୍ଚ ଜଙ୍ଗଲ ଓ ଝରଣା ପଡେ । ହେଲେ ୭ ବର୍ଷ ହେଲାଣି ମିନି ଗୁରୁମା ପ୍ରତିଦିନ ୧୬ କିଲୋମିଟର ବାଟ ଚାଲି ସ୍କୁଲକୁ ଯାତାୟତ କରୁଛନ୍ତି ।

ମିନି ଗୁରୁମାଙ୍କ ସ୍କୁଲରେ ୬ରୁ ୧୦ ବର୍ଷର ୧୦ଟି ଆଦାବାସୀ ପିଲା ପାଠ ପଢୁଛନ୍ତି । ଆଦିବାସୀ ଆଧ୍ୟୁଷିତ ଅଞ୍ଚଳରେ ଥିବା ଏହି ସ୍କୁଲରେ ସେ ଏକମାତ୍ର ଶିକ୍ଷୟିତ୍ରୀ ଅଟନ୍ତି । ତେଣୁ ପିଲାଙ୍କ ଠାରୁ ନେଇ ତାଙ୍କ ଅଭିଭାବକ ପର୍ଯ୍ୟନ୍ତ ପ୍ରତିଦିନ ମିନି ଗୁରୁମାଙ୍କ ବାଟକୁ ଚାତକ ଭଳି ଚାହିଁ ରହିଥାନ୍ତି । ହେଲେ ବଡ କଥା ହେଉଛି, ଆଜକୁ ୫ ମାସ ହେଲାଣି ମିନି ଦରମା ପାଇନାହାନ୍ତି । କିଛି ମାସ ହେଲା ସ୍କୁଲକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ବାବଦ ଟଙ୍କା ମଧ୍ୟ ଆସୁନି । ତା' ଉପରେ ପୁଣି ସ୍କୁଲରେ ପହଞ୍ଚିବା ପାଇଁ ଦୁର୍ଗମ ରାସ୍ତା ଓ ବନ୍ୟଜନ୍ତୁଙ୍କ ଆତଙ୍କ । ଏସବୁ ବାଧାବିଘ୍ନ ସତ୍ତ୍ବେ ବି କେବେ ଅଟକି ନାହାନ୍ତି ମିନି ଗୁରୁମା । ଆଦିବାସୀ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସେ ନିତିଦିନ ୧୬ କିଲୋମିଟର ଚାଲୁଛନ୍ତି । ଶିକ୍ଷୟିତ୍ରୀ ରୂପେ କର୍ତ୍ତବ୍ୟ ସମ୍ପାଦନ କରିବା ପରେ ପୁଣି ମାଇଲ ମାଇଲ ବାଟ ପାର୍ କରି ଗୃହିଣୀ ରୂପେ ଘର କାମ କରନ୍ତି ।

ତେବେ କେବଳ ଶିକ୍ଷାଦାନ ନୁହେଁ, ଆହୁରି ଅନେକ ଜନସେବାରେ ମଧ୍ୟ ମିନି ଜଡିତ । ତାଙ୍କ ଅକ୍ଲାନ୍ତ ଉଦ୍ୟମ ବଳରେ ଏଠାକାର ଆଦିବାସୀ ଜନସାଧାରଣଙ୍କ ନିକଟରେ ଆଧାରକାର୍ଡ, ରାସାନ କାର୍ଡ ଏବଂ କୋରୋନା ଟୀକାକରଣ ପ୍ରମାଣପତ୍ର ଭଳି ଗୁରୁତ୍ବପର୍ଣ୍ଣ ସରକାରୀ ପ୍ରମାଣପତ୍ର ପହଞ୍ଚି ପାରିଛି ।

ଏନେଇ ଶିକ୍ଷୟିତ୍ରୀ ମିନି କୁହନ୍ତି, ମୁଁ ୨୦୧୫ରେ ସ୍କୁଲରେ ଯୋଗ ଦେଇଥିଲି । ଏଠାରେ ଶିକ୍ଷକ ପଦବୀ ଖାଲି ଥିବା ନେଇ ଜାଣିବା ପରେ ମୁଁ AEO(Assistant Educational Officer)ଙ୍କୁ ସାକ୍ଷାତ କରିଥିଲି ଏବଂ ସେ ମୋତେ ନିଯୁକ୍ତି ଦେଇଥିଲେ । ଏଠାରେ ପୂର୍ବରୁ ଥିବା ଶିକ୍ଷକ ସ୍କୁଲରେ ଉପସ୍ଥିତ ରହିପାରିବେ ନାହିଁ ବୋଲି କହି ଚାକିରି ଛାଡି ଦେଇଥିଲେ । ସେବେଠାରୁ ମୁଁ ପିଲାଙ୍କୁ ପଢାଇ ଆସୁଛି । ଆଗରୁ ସ୍କୁଲରେ ବିଦ୍ୟୁତ ସଂଯୋଗ ନଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏଠାରେ ଏକ ପାୱାର ଷ୍ଟେସନ ଉଦ୍‌ଘାଟନ ହେଲା । ସ୍ଥାନୀୟ କଲୋନୀରେ ରୋଡ୍ ପାଇଁ ମଧ୍ୟ ମିନି ଆବେଦନ କରିଛନ୍ତି ଏବଂ ଏଥିପାଇଁ ଟଙ୍କା ମଞ୍ଜୁର ହେବ ବୋଲି କୁହାଯାଇଛି ।

International Womens Day: କର୍ତ୍ତବ୍ୟ ଆଗରେ ଜୀବନ ତୁଚ୍ଛ, ପାଠ ପଢାଇବାକୁ ଚାଲନ୍ତି ୧୬ କିଲୋମିଟର

ସ୍କୁଲ ଆସିବା ବାଟରେ ଶିକ୍ଷୟିତ୍ରୀ ମିନି ଦୁଇଥର ହାତୀ ଆକ୍ରମଣର ଶିକାର ହୋଇଛନ୍ତି ମଧ୍ୟ । ବାଟରେ ବାଘ ଏବଂ ଅନ୍ୟାନ୍ୟ ଜନ୍ତୁଙ୍କ ଭୟ ରହିଥାଏ । ତା' ଉପରେ ଯଦି ଅପରାହ୍ନରୁ ସନ୍ଧ୍ୟା ଯାଏଁ କେବେ ବର୍ଷା ଲାଗି ରହେ, ବାଟରେ କୃତିମ ବନ୍ୟା ସ୍ଥିତି ଉପୁଜିବା ଯୋଗୁଁ ସେ ବେଳେ ବେଳେ ଘରକୁ ଯାଇପାରନ୍ତି ନାହିଁ । ହେଲେ ପିଲାଙ୍କ ଭବିଷ୍ୟତ ପାଇଁ ଜୀବନ ଅପେକ୍ଷା କର୍ତ୍ତବ୍ୟକୁ ସାଥୀ କରି ସେମିତି ଦୈନିକ ୧୬ କିଲୋମିଟର ଚାଲି ପାଠ ପଢାଉଛନ୍ତି ମିନି ଗୁରୁମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 8, 2022, 2:56 PM IST

ABOUT THE AUTHOR

...view details