ପାଟନା:ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ମତାମତ ରଖିବା ସମୟରେ ବିବାଦୀୟ ବୟାନ ଦେଇ ଅଡୁଆରେ ଆରଜେଡି ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଅବଦୁଲ ବରୀ ସିଦ୍ଦିକି । ବବ୍ କଟ୍ ଏବଂ ଲିପଷ୍ଟିକ୍ ବ୍ୟବହାର କରୁଥିବା ମହିଳାମାନେ ମହିଳା ସଂରକ୍ଷଣ ବିଲର ଲାଭ ପାଇବାକୁ ଯାଉଥିବା କହି ଅଡୁଆରେ ପଡିଛନ୍ତି ବିହାରର ଏହି ବରିଷ୍ଠ ନେତା । ଅବଶ୍ୟ ବିବାଦ ହେବା ପରେ ନିଜ ମନ୍ତବ୍ୟକୁ ନେଇ ଭିନ୍ନ ଢଙ୍ଗରେ ସଫେଇ ମଧ୍ୟ ରଖିଛନ୍ତି । ମୁଜାଫରପୁରରେ ଏକ କାର୍ଯ୍ୟକ୍ରମରେ ଅବଦୁଲ ବରୀ ସିଦ୍ଦିକିଙ୍କ ଏପରି ମହିଳାଙ୍କୁ ନେଇ ବୟାନ ଆସିବା ପରେ ବିବାଦ ସୃଷ୍ଟି ହୋଇଛି । ଭାରତୀୟ ଜନତା ପାର୍ଟିର ତମାମ ନେତା ଏହି ବୟାନକୁ ନେଇ ସିଦ୍ଦିକି ଓ ତାଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳକୁ କଡା ସମାଲୋଚନା କରିଛନ୍ତି ।
ମୁଜାଫରପୁରରେ ଦେଇଥିବା ବିବୃତ୍ତିରେ ସ୍ପଷ୍ଟୀକରଣ ଦେଇଛନ୍ତି । ତାଙ୍କ ମନ୍ତବ୍ୟକୁ ଭୁଲ ବାଖ୍ୟା ଓ ପ୍ରଚାର କରାଯାଉଥିବା ସେ କହିଛନ୍ତି । ସେ କହିଥିଲେ ଯେ ଯଦି ବବ୍ କଟ୍ ଏବଂ ଲିପଷ୍ଟିକ୍ ପାଉଡର ବ୍ୟବହାର କରୁଥିବା ମହିଳାମାନେ ସଂସଦକୁ ଆସନ୍ତି, ତେବେ ଗାଁ ମହିଳାମାନେ କୌଣସି ଅଧିକାର ପାଇବେ ନାହିଁ । ତାଙ୍କ ବିବୃତ୍ତି ପରେ ବିଜେପି ସମେତ ସମସ୍ତ ବିରୋଧୀ ଦଳ ତାଙ୍କୁ ସମାଲୋଚନା କରିଛନ୍ତି ।
ଅବଦୁଲ ବରୀ ସିଦ୍ଦିକି ତାଙ୍କ ଆପତ୍ତିଜନକ ବିବୃତ୍ତି ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ମୁଜାଫରପୁରରେ ରାଷ୍ଟ୍ରୀୟ ଜନତା ଦଳର ପଛୁଆ ସେଲର ଏକ ବୈଠକ ହୋଇଥିଲା । ଯେଉଁଥିରେ ଗ୍ରାମାଞ୍ଚଳର ଶତାଧିକ ମହିଳା ମଧ୍ୟ ଅଂଶଗ୍ରହଣ କରିବାକୁ ଆସିଥିଲେ । ଏପରି ପରିସ୍ଥିତିରେ କେବଳ ସେହି ଗାଁର ମହିଳାମାନଙ୍କୁ ବୁଝାଇବା ପାଇଁ ଏପରି ଢଙ୍ଗରେ ମତ ରଖିଥିଲେ । ତାଙ୍କର ଭିନ୍ନ କୌଣସି ଉଦ୍ଦେଶ୍ୟ ନଥିଲା । ତେବେ ତାଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ବ୍ୟାଖା କରାଯାଉଛି ।