ନୂଆଦିଲ୍ଲୀ: ଏଣିକି ମହିଳା ସୈନିକଙ୍କୁ ବି ମିଳିବ ମାତୃତ୍ବ, ଶିଶୁ ଯତ୍ନ ଓ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଛୁଟି । ଭାରତୀୟ ସେନାରେ କାର୍ଯ୍ୟରତ ମହିଳା ଯବାନ, ବାୟୁ ସେନା ଓ ସ୍ଥଳ ସେନାରେ କାର୍ଯ୍ୟରତ ମହିଳାଙ୍କୁ ମିଳିବ ଛୁଟି । ପୂର୍ବରୁ ଅଫିସର ରାଙ୍କ୍ରେ ଥିବା ମହିଳାଙ୍କୁ ଏହି ସୁବିଧା ମିଳୁଥିବା ବେଳେ ଏବେ ତିନି ସେନାରେ କାର୍ଯ୍ୟରତ ସମସ୍ତ ମହିଳାଙ୍କୁ ଏହି ସୁବିଧା ମିଳିବ । ଏପରିକି ମହିଳା ଅଗ୍ନିବୀରଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ଏପରି ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ- କାଶ୍ମୀରରେ ପ୍ରଥମ ଥର ନିୟୋଜିତ ହେଲେ ମହିଳା ଯବାନ
ଏହି ପଦକ୍ଷେପ ସେନାରେ କାର୍ଯ୍ୟରତ ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବ ଓ ସାମାଜିକ ତଥା ପାରିବାରିକ ଜୀବନର ମାନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିବ । ଏଥିସହ ସେମାନଙ୍କ ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ଉନ୍ନତି ଆଣିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ବର୍ତ୍ତମାନ ସେନାରେ କାର୍ଯ୍ୟରତ ମହିଳା ଅଫିସରମାନଙ୍କୁ ମାତୃତ୍ୱ ପାଇଁ 180ଦିନର ଛୁଟି ମିଳିବା ସହ ସମ୍ପୂର୍ଣ୍ଣ ଦରମା ମଧ୍ୟ ମିଳିଥାଏ । ଦୁଇଟି ସନ୍ତାନ ପାଇଁ ମାତୃତ୍ବ ଛୁଟି ମିଳିଥାଏ । ସେହିପରି 1 ବର୍ଷରୁ କମ ବୟସର ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କଲେ ମହିଳା ସେନାଧିକାରୀଙ୍କୁ 180 ଦିନର ବେତନ ସହ ଛୁଟି ମିଳିଥାଏ ।