ନୂଆଦିଲ୍ଲୀ:ଦେଶ ଦିନକୁ ଦିନ ଅଗ୍ରଗତି କରୁଥିବା ବେଳେ ଲୋକଙ୍କ ହୀନ ମାନସିକତାରେ ଆସୁନି ପରିବର୍ତ୍ତନ । ଦିବ୍ୟାଙ୍ଗଙ୍କ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରୁଛନ୍ତି । ଏହାସହିତ ସମସ୍ତ ମୌଳିକ ସୁବିଧା ମଧ୍ୟ ଯୋଗାଉଛନ୍ତି । କିନ୍ତୁ ରାଜଧାନୀରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅପମାନିତ କରାଯାଇଥିବା ଦେଖିବାକୁ ମିଳିଛି । ସେ ହ୍ବିଲ ଚେୟାରରେ ଦିଲ୍ଲୀର ଏକ ଲୋକପ୍ରିୟ ରେସ୍ତୋରାଁକୁ ଯାଇଥିବା ବେଳେ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଇନାହିଁ ।
ଏ ନେଇ ରବିବାର ଦିବ୍ୟାଙ୍ଗ ଯୁବତୀ ଶ୍ରୀଷ୍ଠି ପାଣ୍ଡେ କହିଛନ୍ତି ଯେ ତାଙ୍କୁ ପ୍ରଥମେ ରେସ୍ତୋରାଁରେ ଟେବୁଲ ଦିଆଯାଇନଥିଲା । ଏହାପରେ ସେମାନେ ଟେବୁଲ ସଂରକ୍ଷଣ (Reservation) ପାଇଁ କହିବା ପରେ ଶ୍ରୀଷ୍ଠିଙ୍କ ବନ୍ଧୁ ଓ ଭାଇ ଅନୁରୋଧ କରିବା ପରେ ମଧ୍ୟ ତାଙ୍କ କଥା ରେସ୍ତୋରାଁ କର୍ତ୍ତୃପକ୍ଷ ଶୁଣିନଥିବା ସେ କହିଛନ୍ତି । ଗୁରୁଗ୍ରାମରେ ଥିବା ଏହି ଲୋକପ୍ରିୟ ରେସ୍ତୋରାଁ Raastaରେ ଏଭଳି ଘଟଣା ଘଟିଥିବା ଯୁବତୀ ଅଭିଯୋଗ କରିଛନ୍ତି ।
ଶ୍ରୀଷ୍ଠି ଆହୁରି କହିଛନ୍ତି ଯେ ରେସ୍ତୋରାଁ ବାହାରେ ଅଧିକ ଥଣ୍ଡା ଅନୁଭୂତ ହେଉଥିଲା । ବାହାରେ ପଡ଼ିଥିବା ଟେବୁଲରେ ବସି ଖାଇବା ଦ୍ବାରା ତାଙ୍କ ଶରୀର ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଥିଲା । ତେବେ ତାଙ୍କୁ ଭିତରକୁ ନ ଛଡାଯିବା ତାଙ୍କ ପ୍ରତି ଅନ୍ୟାୟ ବୋଲି ସେ କହିଛନ୍ତି । କେବଳ ତାଙ୍କ ପ୍ରତି ନୁହେଁ ପୂର୍ବରୁ ଏପରି ପରିସ୍ଥିତିର ଶିକାର ହୋଇଛନ୍ତି ଅନେକ ଦିବ୍ୟାଙ୍ଗ । ଅନ୍ୟ ନାଗରିକଙ୍କ ପରି ତାଙ୍କର ମଧ୍ୟ ସମାନ ଅଧିକାର ରହିଛି । ଏହି ଅଧିକାରରୁ ତାଙ୍କୁ ବଞ୍ଚିତ କରାନଯାଉ ବୋଲି ସେ କହିଛନ୍ତି ।
ତେବେ ସୂଚନା ଥାଉ କି ଶ୍ରୀଷ୍ଠି ଦିଲ୍ଲୀ ୟୁନିଭର୍ସିଟିରେ ମନସ୍ତତ୍ତ୍ବ ବିଜ୍ଞାନ ବିଷୟରେ ସ୍ନାତକୋତ୍ତର ହାସଲ କରିଛନ୍ତି । ତେବେ ସେ ଏଭଳି ପରିସ୍ଥିତିର ପ୍ରତିଦିନ ସାମନା କରୁଛନ୍ତି ବୋଲି କହିଛନ୍ତି । ସେପଟେ ରେସ୍ତୋରାଁ ମାଲିକ ଗୌମତେଶ ସିଂ ଏ ନେଇ ରେସ୍ତୋରାଁ କର୍ମଚାରୀଙ୍କ ପକ୍ଷରୁ ଟ୍ବିଟ କରି କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ସେ ଦୁଃଖ ପ୍ରକାଶ କରିବା ସହିତ ଆଗକୁ ଏପରି ଘଟଣା ଘଟିଲେ ଉକ୍ତ କର୍ମଚାରୀଙ୍କ ବିରୋଧରେ ସେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।
@ANI