ଭୋପାଳ: ବସ୍ ଭିତରେ ମହିଳା ଯାତ୍ରୀଙ୍କ ସହ ଦୁଷ୍କର୍ମ । ମଧ୍ୟପ୍ରଦେଶ ଧର ଜିଲ୍ଲାରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଯାତ୍ରୀ ବସ୍ କଣ୍ଟକ୍ଟର, ଡ୍ରାଇଭର ଏବଂ ବସ୍ରେ କାମ କରୁଥିବା ଜଣେ ସଫେଇ କର୍ମୀଙ୍କ ବିରୁଦ୍ଧରେ ତାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି । ଏନେଇ ପୋଲିସ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ କୁଆଡେ ଫେରାର୍ ହୋଇଯାଇଛି ।
ପୋଲିସ୍ର ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ସମ୍ପୃକ୍ତ ମହିଳା ଏକ ବସ୍ ଯୋଗେ କୁକସିରୁ ମାନାୱାର୍ ଅଭିମୁଖେ ଯାତ୍ରା କରୁଥିଲେ । ଆଧାବାଟରେ ତାଙ୍କୁ ଛାଡିବାକୁ ସେ କଣ୍ଡକ୍ଟରକୁ କହିଥିଲେ । ମାତ୍ର ବସ୍ ରହିନଥିଲା । ଏନେଇ ବସ୍ର ଅନ୍ୟ ଯାତ୍ରୀମାନେ ପ୍ରଶ୍ନ କରିବାରୁ ସେ ଗନ୍ଧୱାନି ନିକଟରେ ମହିଳାଙ୍କୁ ଛାଡିବ ବୋଲି କହିଥିଲା । ଏହାପରେ ବସ୍ର ସମସ୍ତ ଯାତ୍ରୀ ଓହ୍ଲାଇ ଯିବା ପରେ କଣ୍ଡକ୍ଟର ଏକ ସ୍ଥାନରେ ବସ୍କୁ ରଖିଥିଲା ଏବଂ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା । ଡ୍ରାଇଭର ଏବଂ ସଫେଇ କର୍ମୀ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ।