କୋଲକାତା:ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ । ମରିଗଲା ମାଆର ମମତା । ପରକୀୟା ପ୍ରୀତି ପାଇଁ ବଳିପଡିଲା ଝିଅ । ପ୍ରେମକୁ ପାଇବା ପାଇଁ ୧୦ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ କରିଥିବା ଝିଅକୁ ମାରିଦେଲା ପିଶାଚୀ ମାଆ । ଯେଉଁ ହାତରେ ଲାଳନପାଳନ କରି ବଡ କରିଥିଲା ସେହି ହାତରେ ୨୩ ବର୍ଷର ଝିଅକୁ ହତ୍ୟା କରିଲା । ଏଭଳି ଏକ ଅଭାବନୀୟ ଛାତିଥରା ଘଟଣା କୁଚବେହରା ଜିଲ୍ଲାର ଚଙ୍ଗ୍ରବନ୍ଧ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏହି ଘଟଣା ସେମବାର ଘଟିଥିବା ବେଳେ ଗତକାଲି(ବୁଧବାର) ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ଯୁବତୀ ହେଲେ ୨୩ ବର୍ଷୀୟ ଅର୍ପିତା ।
ଏହି ଘଟଣା ନେଇ ମୃତ ଅର୍ପିତାଙ୍କ ଦାଦା ଥାନାରେ ଏତଲା ଦେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ମହିଳା ନିଜ ବୟଫ୍ରେଣ୍ଡ ସହ ଖସି ପଳାଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପିଛା କରି ଦୁଇଜଣକୁ ଧରିଲା ପୋଲିସ । ଏନେଇ ଯୁବତୀଙ୍କ ଦାଦା ଥାନାରେ ଅଭିଯୋଗ କରି କହିଛନ୍ତି, " ମୋ ଭାଇ ବଳରାମ ମଲ୍ଲିକ ଘରେ ନଥିବା ବେଳେ ସୋମବାର ଦିନ ଘରୁ ଜୋରରେ ପାଟି କରୁଥିବା ଶବ୍ଦ ଶୁଣିବାକୁ ମିଳିଥିଲା । ଏହାପରେ ଆମେ ଦୌଡିଯାଇଥିଲୁ । ଘରେ ମୋ ଭାଉଜ ନିଜ ପୁରୁଷ ବନ୍ଧୁ ସମଶେର ସହ ମିଶି ଅର୍ପିତାଙ୍କୁ ବାଡିରେ ଆକ୍ରମଣ କରିଥିଲେ । ବାଡିରେ ବାଡେଇବା ଯୋଗୁଁ ଅଧିକ ରକ୍ତସ୍ରାବ ହୋଇଥିଲା । ଏହାପରେ ପଡୋଶୀଙ୍କ ସାହାଯ୍ୟ କ୍ରମେ ଅର୍ପିତାଙ୍କୁ ଉଦ୍ଧାର କରି ପ୍ରଥମେ ଚଙ୍ଗ୍ରବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲୁ । ତେବେ ମୋ ଝିଆରୀ ଅର୍ପିତାର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସିଲିଗୁଡିର ଏକ ବେସରକାରୀ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଥିଲା । "