ବେଙ୍ଗାଲୁରୁ:ବେଲାଗାଭି ଜିଲ୍ଲାର ଘାଟପ୍ରଭା ସହରରେ ଘଟିଛି ଅମାନବୀୟ ଘଟଣା । କଙ୍ଗାରୁ କୋର୍ଟ କରି ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ରାସ୍ତା ଉପରେ ଚଲାଇ ଚଲାଇ ନେଲେ ଲୋକେ । ଶୁକ୍ରବାର ରାତିରେ ଗୋକାକା ତାଲୁକର ଘାଟପ୍ରଭା ସହରରେ ମହିଳାଙ୍କୁ ଏଭଳି ନିର୍ଯାତନା ଦିଆଯାଇଥିବା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ପରେଡ କରାଇ ନେଇଛନ୍ତି କେତେକ ଲୋକେ । ଘାଟପ୍ରଭା ସହରର ମିତ୍ରୁଞ୍ଜୟ ସର୍କଲରେ କିଛି ଲୋକ ଏହି ପରେଡ କରାଯାଇଛନ୍ତି । ସୂଚନା ଅନୁସାରେ, ମହିଳାଙ୍କ ନାଁରେ ରହିଥିଲା ହନିଟ୍ରାପ ଓ ବ୍ଲାକମେଲ ଅଭିଯୋଗ । ବ୍ଲାକମେଲ୍ କରି ମହିଳା ଜଣଙ୍କ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଏକ ଗୋଷ୍ଠୀ ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଏହି ମହିଳା ଜଣେ ଅଧିକାରୀଙ୍କୁ ବ୍ଲାକମେଲ୍ କରିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ । ଏହାପୂର୍ବରୁ ଏହି ମହିଳା ଜଣକ ଅନେକ ଲୋକଙ୍କୁ ହଇରାଣ କରୁଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ହେଲେ ପୋଲିସ ସେପରି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇନଥିବାରୁ କଙ୍ଗାରୁ କୋର୍ଟ ସଦୃଶ ଘଟଣା ଘଟିଛି । ସେହି ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ରାସ୍ତା ଉପରେ ଚଲାଇ ଚଲାଇ ନେଇଛନ୍ତି ଲୋକେ। ଅପରପକ୍ଷେ, ଅଞ୍ଚଳବାସୀ ତାଙ୍କୁ ଆକ୍ରମଣ କରିଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି ମହିଳା । ବର୍ତ୍ତମାନ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।