ବେଙ୍ଗାଲୁରୁ:ମୟୂର ବିରୋଧରେ ଥାନାକୁ ଗଲେ ମହିଳା । ଆଉ ବନ ବିଭାଗ ନିକଟରେ ଲେଖିଲେ ଅଭିଯୋଗ । ଏପରି ଏକ ବିରଳ ଘଟଣା କର୍ଣ୍ଣାଟକ ଚନ୍ନାପାଟନା ଅରଲାଲୁସାନ୍ଦ୍ରା ଗ୍ରାମରେ ଦେଖିବାକୁ ମିଳିଛି । ତେବେ ଏହି ପକ୍ଷୀଟି ମହିଳାଙ୍କୁ ଆକ୍ରମଣ କରି ଧାରୁଆ ଥଣ୍ଟରେ କ୍ଷତବିକ୍ଷତ କରିଥିବାରୁ ମହିଳା ଜଣକ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ମଧ୍ୟ ଅଭିଯୋଗ ପତ୍ରରେ ଦସ୍ତଖତ କରି ମୟୂର ବିରୋଧରେ ଯଥାଶ୍ରୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେମାନେ ବନ ବିଭାଗ ନିକଟରେ ଦାବି କରିଛନ୍ତି ।
ମହିଳାଙ୍କ ଅଭିଯୋଗ ଅନୁସାରେ ଏକ ମୟୂର ସେମାନଙ୍କ ଘର ନିକଟରେ ଗତ 4ରୁ 5 ଦିନ ଧରି ରହିଆସୁଥିଲା । ଜୁନ 26 ତାରିଖ ଦିନ ଯେତେବେଳେ ମହିଳା ଜଣକ ଘର ବାହାରେ କୌଣସି କାମ କରୁଥିଲେ, ସେତେବେଳେ ହଠାତ ମୟୂରଟି ତାଙ୍କୁ ଆକ୍ରମଣ କରିଥିଲା । ମୟୂରର ଆକ୍ରମଣରେ ମହିଳାଙ୍କୁ ଗଭୀର ଆଘାତ ଲାଗିଥିବା ସେ ନିଜ ଅଭିଯୋଗରେ କହିଛନ୍ତି । ଅଭିଯୋଗକାରୀ ମହିଳାଙ୍କ ନାମ ହେଉଛି ଲିଙ୍ଗାମା । ସେ ମୟୂର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବନ ବିଭାଗର ଦ୍ବାରସ୍ଥ ହୋଇଛନ୍ତି । ସନ୍ଧ୍ୟା ସମୟରେ ମୟୂରଟି ତାଙ୍କ ଉପରେ ଆକ୍ରମଣ କରିଥିବା ବେଳେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହା ବି ପଢନ୍ତୁ- ମଇଁଷି ମୃତ୍ୟୁ ମାମଲା: 28ବର୍ଷ ପରେ 83 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଆସିଲା ଆରେଷ୍ଟ ଓ୍ବେରଣ୍ଟ
ମୟୂରଟି ମରଣାନ୍ତକ ଆକ୍ରମଣ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏଣୁ ଉକ୍ତ ମୟୂରକୁ କାବୁ କରାଯାଇ ଘଞ୍ଚ ଜଙ୍ଗଲ ମଧ୍ୟରେ ଛାଡ଼ିଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଗ୍ରାମବାସୀ ମଧ୍ୟ ଅଭିଯୋଗକାରୀ ମହିଳାଙ୍କୁ ସମର୍ଥନ କରିଛନ୍ତି । ସୂଚନା ଅନୁସାରେ ଏହି ଗ୍ରାମରେ ଅନେକ ମୟୂର ବାସ କରୁଛନ୍ତି । ଖାଲି ମହିଳା ନୁହନ୍ତି, ଚାଷୀମାନେ ମଧ୍ୟ ମୟୂର ଦ୍ବାରା ବ୍ୟସ୍ତବିବ୍ରତ ହୋଇପଡ଼ିଛନ୍ତି । ଏହି ମୟୂରଗୁଡ଼ିକ ଚାଷୀ ଭାଇଙ୍କ ମଞ୍ଜି ଖାଇ ନଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି । ବାରମ୍ବାର ବନ ବିଭାଗ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଅନ୍ୟପଟେ କର୍ଣ୍ଣାଟକର ଦକ୍ଷିଣାଞ୍ଚଳ କଡାବା ଅଞ୍ଚଳରୁ ମଧ୍ୟ ଏପରି ଏକ ଅଭିଯୋଗ ଆସିଛି । ଏହି ଅଞ୍ଚଳରେ ରାସ୍ତାରେ ଏକ ଘୋଡ଼ା ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏହାପରେ ସ୍ଥାନୀୟ ଲୋକେ ଏହି ଘୋଡ଼ା ବିରୋଧରେ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଥିଲେ । ଏହାପରେ ପୋଲିସ ଘୋଡ଼ାର ମାଲିକଙ୍କୁ ଥାନାକୁ ଡକାଇଥିଲା । ଆଗକୁ ଯେପରି ଘୋଡ଼ାକୁ ରାସ୍ତା ଉପରକୁ ନଛଡାଯାଏ ସେଥିଲାଗି ତାଗିଦ ମଧ୍ୟ କରିଥିଲା । ଏହି ଅଞ୍ଚଳରେ ପାଳିତ ପଶୁ ଯେପରିକି ଛେଳି, ଗାଈ, କୁକୁର ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ଆସୁଛି । ଏଥିଲାଗି ସାଧାରଣ ଲୋକେ ଉକ୍ତ ପଶୁଙ୍କ ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୋଲିସକୁ ଅନୁରୋଧ କରିଛନ୍ତି।