କୋଲକାତା:ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ହୋଇଥିବା ପଶ୍ଚିମବଙ୍ଗ ପୂର୍ବତନ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ଚପଲ ଫିଙ୍ଗିଛନ୍ତି ଜଣେ ମହିଳା । ଆଜି (ମଙ୍ଗଳବାର) ପ୍ରାର୍ଥଙ୍କୁ ତଦନ୍ତକାରୀ ସଂସ୍ଥା ESI ହସ୍ପିଟାଲ ଆଣିଥିଲା । ସେଠାରେ ପ୍ରାର୍ଥ ଗାଡିରେ ଥିବାଯୋଗୁଁ ଚପଲଟି ତାଙ୍କୁ ଆଘାତ କରିପାରିନାହିଁ । ଏପରି କରିଥିବା ମହିଳାଜଣଙ୍କ ଶୁଭ୍ର ଗୌରୀ ବୋଲି ଚିହ୍ନଟ ହୋଇଛନ୍ତି ।
ତେବେ ଏତିକିରେ ମହିଳାଙ୍କ କ୍ରୋଧ ଶାନ୍ତି ପଡି ନଥିଲା । ଏହା ପରେ ମଧ୍ୟ ଗଣମାଧ୍ୟମ ସାମ୍ନାରେ ନିଜ କ୍ଷୋଭ ବଖାଣିଥିଲେ ମହିଳା । ମହିଳା ଜଣଙ୍କ କହିଛନ୍ତି,‘‘ ଚପଲ ପ୍ରାର୍ଥଙ୍କ ଉପରେ ବାଜିଥିଲେ ମୁଁ ବେସି ଖୁସି ହୋଇଥାନ୍ତି । ସେ ଏକାଧିକ ଘୋଟାଲରେ ସମ୍ପୃକ୍ତ । କୋଟି କୋଟି ଟଙ୍କା ଖାଇଛନ୍ତି । ତଥାପି ସେମାନଙ୍କ ଏକ ବଡ କାରରେ ହସ୍ପିଟାଲକୁ ଅଣାଯାଉଛନ୍ତି । ସାଧାରଣ ଲୋକ ସେମାନଙ୍କ ପାଇଁ ସମସ୍ୟାରେ ପଡୁଛନ୍ତି । ଆମେ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲୁ । ପ୍ରାର୍ଥ ଚାଟାର୍ଜୀଙ୍କୁ ହସ୍ପିଟାଲକୁ ଅଣାଯିବା କାରଣରୁ ଆମେ ହସ୍ପିଟାଲରେ ଚିକିତ୍ସାରୁ ବଞ୍ଚିତ ହୋଇଛି । ’’