କୋଲକାତା:ପଶ୍ଚିମବଙ୍ଗର ନକ୍ସଲବାଡ଼ି ପରେ ଉତ୍ତର ବଙ୍ଗଳାର ବାଗଡୋଗ୍ରାରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ଖବର ସାମ୍ନାକୁ ଆସିଛି । 15 ଅଗଷ୍ଟରେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇ ଏକ ପରିତ୍ୟକ୍ତ ଘରେ ରଖି ଏକାଧିକ ଦିନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣା ଯୋଗୁଁ ସହରର ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ପ୍ରଶାସନର ଭୂମିକା ନେଇ ମଧ୍ୟ ସାମାଲୋଚନା ହେଉଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଜଣେ ମାତ୍ର ଅଭିଯୁକ୍ତ ଗିରଫ ହୋଇଛି ।
ସୂଚନା ଅନୁସାରେ, ଏହି ଘଟଣାଟି ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସରେ ଘଟିଥିବା ଜଣାପଡ଼ିଛି । ଅଭିଯୋଗ ହୋଇଛି ଯେ, ଏହି ମହିଳାଜଣକ ସ୍ବାଧୀନତା ଦିବସ ଅପରାହ୍ନରେ ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଯାଉଥିଲେ । ଏହି ସମୟରେ ପ୍ରାୟ 6 ଜଣ ଦୁର୍ବୃତ୍ତ ତାଙ୍କୁ ନିଶାଦ୍ରବ୍ୟ ଦେଇ ଉଠାଇ ନେଇଥିଲେ । ତାଙ୍କୁ ଏକ ବନ୍ଦ କୋଠରୀରେ ରଖାଯାଇଥିଲା । ଚେତା ଆସିବା ପରେ ସେ କେଉଁଠାରେ ଅଛନ୍ତି ଜାଣିପାରି ନଥିଲେ । ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରଖି ଗଣଦୁଷ୍କର୍ମ କରିଥିଲେ ଏହି ଦୁର୍ବୃତ୍ତମାନେ । ପରେ ସେମାନେ ଘଟଣା ସମ୍ପର୍କରେ ମୁଁହ ଖୋଲିଲେ କିମ୍ବା ପୋଲିସରେ ଅଭିଯୋଗ କଲେ ତାଙ୍କୁ ହତ୍ୟା କରିବା ନେଇ ମଧ୍ୟ ଧମକ ଦେଇଥିଲେ । କୌଣସି ପ୍ରକାର ମହିଳାଜଣଙ୍କ ଦୁର୍ବୃତ୍ତଙ୍କ ନିକଟରୁ ଖସି ଆସିବାରେ ସଫଳ ହୋଇଥିଲେ ।