ଲକ୍ଷ୍ନୌ: ପତ୍ନୀ କର୍ମଜୀବୀ ହେଲେ ମଧ୍ୟ ସ୍ବାମୀ ଛାଡ଼ପତ୍ର ପରେ ଭରଣପୋଷଣ ଦେବାକୁ ବାଧ୍ୟ । ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ପତ୍ନୀ ଜଣେ ଆଇଆଇଟିଆନ୍ ହୋଇଥିବାରୁ ଭରଣପୋଷଣ ଦେବା ଲାଗି ସ୍ବାମୀ ମନା କରିଥିଲେ । ମହିଳା ଜଣକ ଯେତିକି ରୋଜଗାର କରୁଛନ୍ତି ସେ ନିଜର ଖର୍ଚ୍ଚ ବହନ କରିବା ଲାଗି ସମର୍ଥ ଥିବାରୁ ସ୍ବାମୀ ଭରଣପୋଷଣ ଦେବାକୁ ମନା କରିଥିଲେ । ଏହା ପରେ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ।
ମୁଜ୍ଜାଫରନଗର ଅଧିବାସୀ ପାରୁଲ ତ୍ୟାଗି ସ୍ବାମୀଙ୍କ ଠାରୁ ଭରଣପୋଷଣ ଲାଗି ଗତ 2017 ମସିହା ଅଗଷ୍ଟ 22 ତାରିଖରେ ଆବେଦନ କରିଥିଲେ । ଦୀର୍ଘ 39ଟି ଶୁଣାଣି ପରେ ମଧ୍ୟ ତାଙ୍କ ସପକ୍ଷରେ ରାୟ ଆସିନଥିଲା । ଆବେଦନକାରୀଙ୍କ ସ୍ବାମୀ ଗୌରବ ତ୍ୟାଗି ଶୁଣାଣି ବେଳେ ହାଇକୋର୍ଟଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀ ଜଣେ ଆଇଆଇଟିଆନ ହୋଇଥିବାରୁ ସେ ନିଜ ଖର୍ଚ୍ଚ ବହନ ଲାଗି ସମର୍ଥ । ହେଲେ ସେପଟେ ମହିଳାଙ୍କ କହିବା କଥା ଏବେ ସେ ବେରୋଜଗାର ଥିବା ବେଳେ ନିଜ ବାପଘରେ ରହୁଛନ୍ତି । ଏଣୁ ତାଙ୍କୁ ନିଜ ଖର୍ଚ୍ଚ ବହନ ଲାଗି ସ୍ବାମୀଙ୍କଠାରୁ ଭରଣ ପୋଷଣର ଆବଶ୍ୟକ ।
ଏହା ବି ପଢନ୍ତୁ- ଧର୍ମ ପରିବର୍ତ୍ତନ ନକରି ବିବାହ କଲେ ସୁରକ୍ଷା ଦେବ ପୋଲିସ୍: ଆହ୍ଲାବାଦ ହାଇକୋର୍ଟ
ଏହାପରେ CrPC ଧାରା 125 ଅନୁସାରେ କୋର୍ଟ ଆବେଦନକାରୀ ମହିଳାଙ୍କ ସ୍ବାମୀ ଗୌରବଙ୍କୁ ଭରଣପୋଷଣ ବାବଦକୁ ପ୍ରତି ମାସରେ ମହିଳାଙ୍କୁ 20 ହଜାର ଅର୍ଥ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଯେତେବେଳେ ମହିଳାଙ୍କ 39ଟି ଆବେଦନ ଖାରଜ ହୋଇଥିଲା, ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଶୁଣାଣି ବେଳେ କହିଥିଲେ ପତ୍ନୀ ଓ ସନ୍ତାନଙ୍କ ଲାଗି ସ୍ବାମୀ ଭରଣପୋଷଣ ଲାଗି ଅର୍ଥ ଦେବେ ।
ଏହା ବି ପଢନ୍ତୁ- ଦୁଷ୍କର୍ମ ନୁହେଁ 15 ବର୍ଷରୁ ଉର୍ଦ୍ଧ୍ବ ବୟସ୍କା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ: ଆହ୍ଲାବାଦ ହାଇକୋର୍ଟ
ହାଇକୋର୍ଟ ଶୁଣାଣି ବେଳେ କହିଥିଲେ ଯେ ମହିଳା ଜଣକ ଦୀର୍ଘ ଦିନରୁ ନିଜ ହକ୍ ପାଇଁ ଲଢେଇ କରୁଛନ୍ତି । ହେଲେ ତାଙ୍କୁ ନ୍ୟାୟ ମିଳିନଥିଲା । ତେବେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ମହିଳାଙ୍କ ସପକ୍ଷରେ ରାୟ ରହିଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନ୍ୟାୟ ନ ଶୁଣାଇଲେ ଲୋକଙ୍କ ନ୍ୟାୟିକ ବ୍ୟବସ୍ଥା ଉପରୁ ଭରସା ଉଠିଯିବ । ଏଣୁ ହାଇକୋର୍ଟ ନିଜ କର୍ତ୍ତବ୍ୟ ତୁଲାଇ ଏହି ରାୟ ଶୁଣାଇଛନ୍ତି । ଏହାସହିତ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଫ୍ୟାମିଲି କୋର୍ଟରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ପାଳନ କରାଯାଉନାହିଁ ସେଠାରେ ଏହି ରିପୋର୍ଟ ପଠାଯିବା ସହିତ ବୈଠକ କରିବାକୁ ପ୍ରିସାଇଡିଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ