ଗୌହ୍ୱାଟୀ:ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଆସାମର ତେଜପୁରରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଗତ ରବିବାର ରାତିରେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି ପଡ଼ୋଶୀ । ମୃତକ ହେଲେ ରାମ କାତିଙ୍କ ପତ୍ନୀ ସଙ୍ଗୀତା କାତି । ତାଙ୍କୁ ଜୀବନ୍ତ ଦଗ୍ଧ କରିବା ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଅଜୟ ସଂଘର, ଟିଙ୍କୋ ମହ୍ଲାର ଏବଂ ସୂର୍ଯ୍ୟ ବଘୱର । ଅନ୍ୟ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇନି । ବର୍ତ୍ତମାନ ସୁଦ୍ଧା ଆହୁରି ୨ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।
ଖବର ଅନୁସାରେ, ସଙ୍ଗୀତା କାତିଙ୍କ ପଡ଼ୋଶୀ ତାଙ୍କ ଉପରେ କିଛି ଦିନ ହେବ ସନ୍ଦେହ କରି ଆସୁଥିଲେ । ଯାହାକୁ ନେଇ ପ୍ରଥମେ ପଡ଼ୋଶୀଙ୍କ ପରିବାରର ଜଣେ ସଦସ୍ୟ ସଙ୍ଗୀତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ବାହାର ଗ୍ରାମର କିଛି ଲୋକଙ୍କୁ ମଧ୍ୟ ସାଙ୍ଗରେ ଆଣି ଆସିଥିଲେ ପଡୋଶୀ । ସମସ୍ତେ ମିଶି ସଙ୍ଗୀତାଙ୍କର ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଖାଲି ସେତିକି ନୁହାଁ, ମହିଳାଙ୍କ ସ୍ବାମୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ଆକ୍ରମଣକାରୀମାନେ ତାଙ୍କୁ ପ୍ରଥମେ ବାନ୍ଧି ଦେଇଥିଲେ । ପରେ ମହିଳାଙ୍କୁ ଜୀବନ୍ତ ଜାଳିଦେଇଥିବା ଜଣାପଡିଛି ।
ପୋଲିସର କହିବା ଅନୁସାରେ, ପୂର୍ବରୁ ସଙ୍ଗୀତାଙ୍କ ପରିବାର ସହ ପଡୋଶୀଙ୍କର ଅନେକ ମନୋମାଳିନ୍ୟ ରହିଥିଲା । ଉଭୟଙ୍କ ପରିବାର ମଧ୍ୟ ଭଲ ସମ୍ପର୍କ ନଥିଲା । ଆଉ ପରବର୍ତ୍ତୀ ସମୟରେ ସଙ୍ଗୀତା ଗୁଣିଗାରେଡି କରୁଥିବା ନେଇ ଅଭିଯୋଗ ଆଣିଥିଲେ ପଡୋଶୀ । ଆଉ ଶେଷରେ ସଙ୍ଗୀତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲେ ।