ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାରେ ଅଭାବନୀୟ ଘଟଣା । ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ । ଗୋଟିଏ ପରିବାରର 5ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । ମାଥିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ତାଙ୍କ 4 ଶିଶୁ ରହିଛନ୍ତି । ମୃତ ମହିଳା ଜଣଙ୍କ ହେଉଛନ୍ତି ଫତିମା । ମୃତ ଶିଶୁଙ୍କ ବୟସ 4ରୁ 6 ବର୍ଷ ମଧ୍ୟରେ ରହିଛି । ଅଗ୍ନିକାଣ୍ଡରେ ଅନ୍ୟ 2 ଜଣ ଆହତ ମଧ୍ୟ ହୋଇଛନ୍ତି । କେଉଁ କାରଣରୁ ଘରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ଏନେଇ ଜିଲ୍ଲାପାଳ ରମେଶ ରଞ୍ଜନ କହିଛନ୍ତି ଯେ, ''ରାମକୋଲା ପୋଲିସ ଷ୍ଟେସନ ନିକଟସ୍ଥ ମାଥିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଏକ ଝୁମ୍ପୁଡି ଘରେ ନିଆଁ ଲାଗିଯାଇଥିବା ବେଳେ 5 ଜଣଙ୍କର ମୃତ୍ୟୁ ହୋଇଛି । ସେର ମହମ୍ମଦଙ୍କ ସ୍ତ୍ରୀ ଓ ତାଙ୍କ 4 ପିଲା ଘରେ ଶୋଇଥିବା ବେଳେ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । କେଉଁ କାରଣରେ ଘରେ ନିଆଁ ଲାଗିଲା ତାହା ବର୍ତ୍ତମାନ ଜଣାପଡିନାହିଁ । ପୋଲିସର ଅନୁସନ୍ଧାନ ପରେ ତାହା ସ୍ପଷ୍ଟ ହେବ । 2 ଜଣ ଅଗ୍ନିକାଣ୍ଡରେ ଆହତ ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । '' ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ଦୁର୍ଘଟଣା ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ 4 ଲକ୍ଷର ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।