ନୂଆଦିଲ୍ଲୀ: ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଏବେ ଚିନ୍ତିତ ବିଶ୍ବ ସମୁଦାୟ । ୟୁରୋପୀୟ ରାଷ୍ଟ୍ରରେ ହୁ ହୁ ହୋଇ ମାଡିଲାଣି କୋରୋନାର ଏହି ନୂଆ ଭାରିଆଣ୍ଟ । ଭାରତରେ ଦ୍ରୁତ ସଂକ୍ରମଣ ନଥିଲେ ମଧ୍ୟ କ୍ରମଶଃ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ପୁଣି ଆତଙ୍କିତ ହୋଇପଡିଛନ୍ତି ଲୋକେ । କୋଭିଡ ମୁକାବିଲାରେ ଟୀକାକରଣକୁ ଏକ ବଡ ଅସ୍ତ୍ର ଭାବେ ବିବେଚନା କରାଯାଉଥିଲା ମଧ୍ୟ ବିଶେଷତଃ ଯୁବବର୍ଗଙ୍କ ମଧ୍ୟରେ ଟିକା ନେଇ ସଙ୍କୋଚ ଦେଖାଯାଉଥିଲା । ଅର୍ଥାତ୍ ଯୁବବର୍ଗ ଟିକା ନେବାକୁ କୁଣ୍ଠାବୋଧ କରିଥିଲେ । ହେଲେ ଓମିକ୍ରନ ମାମଲା ଚିହ୍ନଟ ପରେ ସେମାନଙ୍କ ମଧ୍ୟରେ ଏହି ସଙ୍କୋଚ ହ୍ରାସ ପାଇଥିବା ଲୋକାଲ୍ ସର୍କଲ(LocalCircles ) ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ସ୍ପଷ୍ଟ ହୋଇଛି ।
ସର୍ଭେ ଅନୁଯାୟୀ, ଗତ ଅକ୍ଟୋବରରେ ୭.୦୪ କୋଟି ନାଗରିକ କୋଭିଡ-୧୯ ଟିକା ନେବାରେ ସଙ୍କୋଚ କରୁଥିଲେ । ଯାହା ନଭେମ୍ବରରେ ୧୧.୫୯ କୋଟିକୁ ବୃଦ୍ଧି ପାଇଥିଲା । ହେଲେ ଡିସେମ୍ବରର ଲାଟେଷ୍ଟ ସର୍ଭେ ରିପୋର୍ଟ ଅନୁଯାୟୀ, ମାତ୍ର ୬.୯୬ କୋଟି ନାଗରିକ ଏବେ ଟିକା ନେବାରେ ପଛଘୁଞ୍ଚା ଦେଇଛନ୍ତି । ଯାହାର ଅର୍ଥ ଏହା କି, ଟିକା ନେଇ ନଥିବା ବହୁସଂଖ୍ୟକ ଯୁବବର୍ଗ ଏବେ ଯଥାସମ୍ଭବ ନିଜ ଟୀକାକରଣ ପାଇଁ ଇଚ୍ଛୁକ ଅଛନ୍ତି ।