ନୂଆଦିଲ୍ଲୀ: ସମଗ୍ର ଦେଶ ପାଇଁ ଆଜିର ଦିନ ଇତିହାସର ଏକ ସ୍ବର୍ଣ୍ଣିମ ପୃଷ୍ଠା ହୋଇଗଲା । ମହାକାଶ ଗବେଷଣା କ୍ଷେତ୍ରରେ ସାରା ବିଶ୍ବରେ ବିରଳ ରେକର୍ଡ କଲା ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ଲ୍ୟାଣ୍ଡର ସଫଳ ଲ୍ୟାଣ୍ଡିଂ କରିବା ପରେ ବିଶ୍ବ ଦେଖିଲା ଭାରତୀୟ ବୈଜ୍ଞାନିକଙ୍କ ଦକ୍ଷତା ଓ ସାମର୍ଥ୍ୟ । ଐତିହାସିକ ସଫଳତା ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆଜି ଦେଶ ପାଇଁ ଏକ ଗର୍ବିତ ମୁହୂର୍ତ୍ତ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶୁଖବିନ୍ଦର ସିଂ ସୁକୁ ,ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଭାରତୀୟ ମହାକାଶ ବିଜ୍ଞାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶାହ କହିଛନ୍ତି, ଏହି ଅବସରରେ ଦେଶର 140 କୋଟି ନାଗରିକଙ୍କୁ ଶୁଭେଚ୍ଛା । ଅମୃତକାଳରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଦେଶ ବଡ ସଫଳତା ହାସଲ କରିଛି । ଦେଶର ମହାକାଶ ବିଜ୍ଞାନରେ ସମ୍ପୃକ୍ତ ସମସ୍ତ ବୈଜ୍ଞାନିକଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହା ସମଗ୍ର ଦେଶ ପାଇଁ ଆନନ୍ଦ ଓ ଗୌରବର ମୁହୂର୍ତ୍ତ କହିବା ସହ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଇଛନ୍ତି । ତମାମ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଐତହାସିକ ସଫଳତାରେ ଇସ୍ରୋକୁ ଶୁଭେଚ୍ଛା ଜଣାଇବା ସହ ଦେଶ ପାଇଁ ଏକ ଐତିହାସିକ କ୍ଷମ ବୋଲି କହିଛନ୍ତି ।