ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ସହରରେ ଶୀତର ଲହରୀ ଜାରି ରହିଛି । ଦିଲ୍ଲୀ-ଏନସିଆରରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଯାହା ଗତ ଡିସେମ୍ବର ମାସ ଅପେକ୍ଷା ଚଳିତବର୍ଷ ଶୀତ ଋତୁର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗ ଅନୁଯାୟୀ, ମରୁଭୂମି ଅଞ୍ଚଳରେ ଥଣ୍ଡା ଅତ୍ୟଧିକ ଅନୁଭୁତ ହେଉଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ପର୍ବତରେ ପ୍ରବଳ ତୁଷାରପାତ ହେବା।
ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ହାରାହାରି ସର୍ବନିମ୍ନ ତାପମାତ୍ରା 5 ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। ତାପମାତ୍ରାର ହ୍ରାସ ସହିତ ହାଡଭଙ୍ଗା ଶୀତରେ ଥରୁଛନ୍ତି ଲୋକେ । ବାସ୍ତବରେ ହିମାଚଳ ପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ହେଉଛି। ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ପର୍ବତ ଉପରେ ଯେତେ ଅଧିକ ତୁଷାରପାତ ହେବ, ସମତଳ ଅଞ୍ଚଳରେ ସେତେ ମାତ୍ରାରେ ଥଣ୍ଡା ବୃଦ୍ଧି ପାଇବ।
ଶୁକ୍ରବାର ଦିଲ୍ଲୀ-ଏନସିଆରରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ଥିଲା। ଯାହା 10 ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଛି। ଏହାପୂର୍ବରୁ 2011ରେ ଡିସେମ୍ବର 16ରେ ସର୍ବନିମ୍ନ ତାପମାତ୍ରା 5 ଡିଗ୍ରୀ ଥିଲା। ଡିସେମ୍ବର ଶେଷ ସୁଦ୍ଧା ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା 2 ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି।