ବେଙ୍ଗାଲୁରୁ: ଆଜି ଗୋଟିଏ ଦିନରେ ଖସିପଡିଛି ଭାରତୀୟ ବାୟୁସେନାର ତିନି ତିନୋଟି ଯୁଦ୍ଧ ବିମାନ । ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଦୁଇଟି ଯୁଦ୍ଧ ବିମାନ ସୁଖୋଇ-୩୦ ଓ ମିରାଜ-୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବାୟୁସେନାର ୱିଙ୍ଗ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ମୃତ୍ୟୁ ହୋଇଛି । ମୃତ ୱିଙ୍ଗ କମାଣ୍ଡରଙ୍କ ଘର କର୍ଣ୍ଣାଟକ ରାଜ୍ୟର ବେଲଗାଭି ଅଞ୍ଚଳରେ । ଆସନ୍ତାକାଲି ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କର ପାର୍ଥିବଶରୀର ବେଲଗାଭି ନିଆଯିବ ।
ସହିଦ୍ ୱିଙ୍ଗ କମାଣ୍ଡରଙ୍କ ସମ୍ପର୍କରେ:ହନୁମନ୍ଥ ରାଓ ସାରଥି ବେଲଗାଭି ଅନ୍ତର୍ଗତ ଶମ୍ଭାଜୀ ନଗର ନିବାସୀ ଥିଲେ । ତାଙ୍କ ପରିବାରରେ ବାପାମାଆ ଓ ପତ୍ନୀଙ୍କ ସମେତ ଦୁଇଟି ସନ୍ତାନ ଅଛନ୍ତି । ଦୁର୍ଘଟଣା ପରେ ବେଲଗାଭିରେ ଥିବା ବାୟୁସେନା ତାଲିମ କେନ୍ଦ୍ରର ଅଧିକାରୀମାନେ ୱିଙ୍ଗ କମାଣ୍ଡରଙ୍କ ବେଲଗାଭି ସ୍ଥିତ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ମୃତ୍ୟୁ ଖବର ଜଣାଇଛନ୍ତି । ତାଙ୍କର ମୃତ୍ୟୁ ଖବର ମିଳିବା ପରେ ଘରେ କାନ୍ଦ ବୋବାଳି ପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଛି । ହନୁମନ୍ଥ ରାଓଙ୍କ ବାପା ରେବାନସିଦ୍ଦାପ୍ପା ଭାରତୀୟ ସେନାର କ୍ୟାପ୍ଟେନ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି । ତାଙ୍କର ଭାଇ ପ୍ରବୀଣ ମଧ୍ୟ ବାୟୁସେନାରେ ଗ୍ରୁପ କ୍ୟାପ୍ଟେନ ଅଛନ୍ତି । ହନୁମନ୍ଥ ରାଓ ୱିଙ୍ଗ କମାଣ୍ଡରେ ଭାବେ କାର୍ଯ୍ୟ କରୁଥିଲେ ।