ଓଡିଶା

odisha

ନବୀକୃତ ଭାରତ-ପାକିସ୍ତାନ ଯୁଦ୍ଧବିରତି ରାଜିନାମା ଦୀର୍ଘସ୍ଥାୟୀ ହେବ ତ ?

ନବୀକୃତ ଯୁଦ୍ଧବିରତି ବୁଝାମଣା ଫେବ୍ରୁଆରୀ 24ରୁ କାର୍ଯ୍ୟକାରୀ ହେବା ପରଠାରୁ ସୀମାବର୍ତ୍ତୀ ଅଞ୍ଚଳରେ ବନ୍ଧୁକର ଗର୍ଜନ ବନ୍ଦ ହୋଇଗଲା । ପୂର୍ବରୁ ବାସ୍ତବ ନିୟନ୍ତ୍ରଣ ରେଖାରେ ନିରବତାକୁ ଅଶୁଭ ବୋଲି ମନେ କରାଯାଉଥିଲା । କାରଣ, ଏହା ବେଶୀ ସମୟ ପାଇଁ ରହୁ ନଥିଲା ଏବଂ ପରବର୍ତ୍ତୀ ସମୟରେ ମନଇଚ୍ଛା ଗୁଳିଗୋଳା ବର୍ଷଣ ସମସ୍ତଙ୍କୁ ଚକିତ କରିଦେଉଥିଲା । ଅଧିକ ପଢନ୍ତୁ..

By

Published : Mar 2, 2021, 9:12 PM IST

Published : Mar 2, 2021, 9:12 PM IST

ନବୀକୃତ ଭାରତ-ପାକିସ୍ତାନ ଯୁଦ୍ଧବିରତି ରାଜିନାମା ଦୀର୍ଘସ୍ଥାୟୀ ହେବ ତ ?
ନବୀକୃତ ଭାରତ-ପାକିସ୍ତାନ ଯୁଦ୍ଧବିରତି ରାଜିନାମା ଦୀର୍ଘସ୍ଥାୟୀ ହେବ ତ ?

ହୁରିୟାତ୍‌ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ଏବଂ ଚୀନ୍‌ ସୀମାରେ ବାସ୍ତବ ନିୟନ୍ତ୍ରଣ ରେଖାରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଥିବା ସମୟରେ, 2003 ମସିହା ନଭେମ୍ବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ବାକ୍ଷରିତ ଯୁଦ୍ଧବିରତି ରାଜିନାମାର ନବୀକରଣ ସହିତ ଏହାକୁ ପାଳନ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରକାଶ କରିବା ଘଟଣା ଅନେକ ଦୃଷ୍ଟିକୋଣରୁ ତାତ୍ପର୍ଯ୍ୟ ବହନ କରେ ।

ଗତ ସପ୍ତାହ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ସୀମାରେ ଆକ୍ରମଣ-ପ୍ରତି ଆକ୍ରମଣ ଥମିବାର ନାଁ ନେଉ ନଥିଲା । ଖାସ୍‌ କରି 2014 ମସିହାରେ ବିଜେପି ସରକାର ଗଠନ କରିବା ପରଠାରୁ ଏଭଳି ଘଟଣା ଅବ୍ୟାହତ ରହିଥିଲା । ବରଂ, କେତେକ ସମୟରେ ସୀମା ପରିସ୍ଥିତି ବାସ୍ତବରେ ଆହୁରି ବିଷମ ହେବାରେ ଲାଗିଥିଲା । ବିଶେଷତଃ ସେତେବେଳେ, ଯେତେବେଳେ କୌଣସି ପକ୍ଷରୁ ଅନ୍ୟ ପକ୍ଷକୁ ନ ସୁହାଇବା ଭଳି ବିବୃତି ଦେବାର ଆଭାସ ମିଳୁଥିଲା କିମ୍ବା ଗୋଟିଏ ଦେଶର ଆଭ୍ୟନ୍ତରୀଣ ନୀତି ଅନ୍ୟ ଦେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଧରି ନିଆଯାଉଥିଲା । ଗତ ଅଗଷ୍ଟ ମାସ 5 ତାରିଖରେ ଭାରତୀୟ ସଂସଦର ନିଷ୍ପତ୍ତିକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରି ନଥିଲା ଏବଂ ଯୁଦ୍ଧବିରତି ରେଖାରେ ବସବାସ କରୁଥିବା ଲୋକେ ଏହାର ପରିଣାମ ଭୋଗୁଥିବା ଦେଖିବାକୁ ମିଳିଥିଲା । ସପ୍ତାହ ସପ୍ତାହ ଓ ମାସ ମାସ ଧରି ସେମାନେ ପାକିସ୍ତାନର ବନ୍ଧୁକ ଓ ମୋର୍ଟାରରୁ ଗୁଳିବର୍ଷଣର ସମ୍ମୁଖୀନ ହୋଇଥିଲେ ।

ପାକିସ୍ତାନ ସୀମାର ଯୁଦ୍ଧବିରତି ରେଖାକୁ ନିୟନ୍ତ୍ରଣ ରେଖା (LOC) କୁହାଯାଏ । ଏହି ରେଖା ଜାମ୍ମୁ ଓ କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଛି ଏବଂ ଗୋଟିଏ ଆମ ପଟରେ ରହିଥିବା ବେଳେ ଅନ୍ୟଟି ପାକିସ୍ତାନ ଅକ୍ତିଆରରେ ରହିଛି । ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ବିକ୍ଷିପ୍ତ ଭାବେ ହିଂସାକାଣ୍ଡ ଲାଗି ରହିଥିବା ବେଳେ ଯୁଦ୍ଧବିରତି ଉଲ୍ଲଂଘନ ବିବୃତିରେ କେବଳ ଉଭୟ ପକ୍ଷର ରାଜନୈତିକ ଉଦ୍ଦେଶ୍ୟର ପ୍ରତିଫଳନ ଘଟିଥାଏ । ଯଦି କୌଣସି ପକ୍ଷ ଅନ୍ୟ ପକ୍ଷ ଉପରେ ଏହାର କ୍ରୋଧ ପ୍ରଦର୍ଶନ କରିବାକୁ ଚାହେଁ, ତେବେ ସେ ଯୁଦ୍ଧବିରତି ଉଲ୍ଲଂଘନ ପ୍ରସଙ୍ଗ ଉଠାଇଥାଏ ଏବଂ ଏହା ଦ୍ବାରା ବୁଝାମଣାରେ ରହିଥିବା ଅସମ୍ମତିର ପ୍ରତିଫଳନ ଘଟିଥାଏ ।

ନବୀକୃତ ଯୁଦ୍ଧବିରତି ବୁଝାମଣା ଫେବ୍ରୁଆରୀ 24ରୁ କାର୍ଯ୍ୟକାରୀ ହେବା ପରଠାରୁ ସୀମାବର୍ତ୍ତୀ ଅଞ୍ଚଳରେ ବନ୍ଧୁକର ଗର୍ଜନ ବନ୍ଦ ହୋଇଗଲା । ପୂର୍ବରୁ ବାସ୍ତବ ନିୟନ୍ତ୍ରଣ ରେଖାରେ ନିରବତାକୁ ଅଶୁଭ ବୋଲି ମନେ କରାଯାଉଥିଲା । କାରଣ, ଏହା ବେଶୀ ସମୟ ପାଇଁ ରହୁ ନଥିଲା ଏବଂ ପରବର୍ତ୍ତୀ ସମୟରେ ମନଇଚ୍ଛା ଗୁଳିଗୋଳା ବର୍ଷଣ ସମସ୍ତଙ୍କୁ ଚକିତ କରିଦେଉଥିଲା । ତୁଷାରପାତ ଋତୁର ପୂର୍ବ ସମୟରେ ବରଫ ତରଳିବା ଯୋଗୁଁ ଆତଙ୍କବାଦୀମାନଙ୍କ ପାଇଁ ପାହାଡ଼ରେ ରାସ୍ତା ଖୋଲିଯିବ । ହେଲେ, ଉଭୟ ଭାରତ ଓ ପାକିସ୍ତାନ ସୀମାର ସମ୍ମୁଖଭାଗ ଶିବିରରେ ମୁତୟନ ଜବାନମାନଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ବିନା ଜାମ୍ମୁ ଓ କାଶ୍ମୀର ଭିତରକୁ ଆତଙ୍କବାଦୀଙ୍କ ଗୋଷ୍ଠୀ ପ୍ରବେଶ ଉଦ୍ୟମ କରିପାରିବେ ନାହିଁ । ଏହା ମଧ୍ୟ ଏକ ସୁବିଦିତ ସତ୍ୟ ଯେ, ପାକିସ୍ତାନ ସେନା ଭାରତୀୟ ସେନାକୁ ଗୁଳି ବିନିମୟରେ ବ୍ୟସ୍ତ ରଖିଥିବା ସମୟରେ ହିଁ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଜାମ୍ମୁ ଓ କାଶ୍ମୀରରେ ପ୍ରବେଶ ଉଦ୍ୟମ କରନ୍ତି ।

ହେଲେ, ଏବେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଉପରେ ବର୍ତ୍ତମାନର ଏହି ସାନି ବୁଝାମଣାର ବଡ଼ ଧରଣର ପ୍ରଭାବ ପଡ଼ିବ । ବାସ୍ତବରେ, ଉଭୟ ଦେଶର ସରକାରଙ୍କ କୂଟନୈତିକ ପଦକ୍ଷେପ ବଳରେ ଦୁଇ ଦେଶ ହୁଏତ ଆତଙ୍କବାଦର ଅନ୍ତ ଘଟାଇବାକୁ କିମ୍ବା ଏହାକୁ ସମ୍ଭାବିତ ନ୍ୟୂନତମ ହାରରେ ରଖିବାକୁ କିଭଳି ରାଜି ହେଲେ, ସେ ସଂପର୍କରେ ଗତ ଫେବ୍ରୁଆରୀ 25 ତାରିଖ ଦିନ ଭାରତୀୟ ସେନା ମୁଖ୍ୟ ନରବଣେ ଦେଇଥିବା ବିବୃତିରୁ ସ୍ପଷ୍ଟ ଇଙ୍ଗିତ ମିଳେ । ଯୁଦ୍ଧବିରତି ରାଜିନାମାକୁ ସ୍ବାଗତ କରିବା ସହିତ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଅବ୍ୟାହତ ରହିବ ବୋଲି ସେନାମୁଖ୍ୟ କହିଥିଲେ । ଏହାର ଅର୍ଥ, ସେମାନଙ୍କ ପାଇଁ ଖସିଯିବାର ବାଟ ନାହିଁ । ପ୍ରକୃତରେ, ଯୁଦ୍ଧବିରତି ରେଖା ହିଁ ଆତଙ୍କବାଦୀଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ସୁଗମ କରିଥାଏ ଏବଂ ଯଦି ଗୁଳି ବିନିମୟ ବନ୍ଦ ହୋଇଯାଏ, ତେବେ ସୀମାର ଉଭୟ ପକ୍ଷରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ କିମ୍ବା ପ୍ରସ୍ଥାନ ପଥ ସୁଗମ ହେବାର ସମ୍ଭାବନା ଆଦୌ ନାହିଁ ବୋଲି କୁହାଯାଇପାରେ ।

ପାକିସ୍ତାନର କାଶ୍ମୀର ନୀତିରେ ଏହା ଏକ ବୃହତ୍‌ ପରିବର୍ତ୍ତନ । କାରଣ, ସର୍ବଦା କାଶ୍ମୀରକୁ ହିଁ ସେମାନେ ମୂଳ ପ୍ରସଙ୍ଗ ରୂପେ ଉପସ୍ଥାପନ କରିଆସିଛନ୍ତି । ଏବେ, ସୟିଦ୍‌ ସଲାହୁଦ୍ଦିନ ଛଦ୍ମନାମରେ ପରିଚିତ ୟୁନାଇଟେଡ୍‌ ଜେହାଦ କାଉନସିଲ ନାମକ ଆତଙ୍କବାଦୀ ସମୂହର ନେତା ୟୁସୁଫ ଶାହ ଭଳି ଅନେକ ଆତଙ୍କବାଦୀଙ୍କ ପାଇଁ ଆଗକୁ ବେଳକାଳ ଭଲ ନଥିବା ଭଳି ଲାଗୁଛି । ଏହି ନୂତନ ରାଜିନାମାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ସୟିଦ ସଲାହୁଦ୍ଦିନଙ୍କ ବିଚାରଧାରାର ଜଣେ ବଡ଼ ସମର୍ଥକ ତଥା ହୁରିୟାତ୍‌ ମୁଖ୍ୟ ସୟଦ ଅଲି ଶାହ ଗିଲାନୀଙ୍କୁ ଏ ସଂପର୍କିତ ଏକ ସତର୍କ ବାର୍ତ୍ତା ପ୍ରେରଣ କରାଯାଇ ସାରିଲାଣି । ପାକିସ୍ତାନକୁ ସେ ପଠାଇଥିବା ଏକ ପତ୍ରରେ ଗିଲାନୀ ଭାରତ ସହ ଯୁଦ୍ଧବିରତି ରାଜିନାମାକୁ ସମାଲୋଚନା କରିବା ସହିତ ଏହାର କାର୍ଯ୍ୟକାରିତା ନେଇ ସନ୍ଦେହ ପ୍ରକାଶ କରିବା ପରେ କାଶ୍ମୀର ବ୍ୟାପାରକୁ ନେଇ ଗଠିତ ସ୍ବତନ୍ତ୍ର ସଂସଦୀୟ କମିଟି ଗିଲାନୀଙ୍କୁ ତିରସ୍କାର କରିଛନ୍ତି ।

ସଂପ୍ରତି ‘ଫାଇନାନ୍‌ସିଆଲ ଆକ୍‌ସନ ଟାସ୍କ ଫୋର୍ସ’ (FATF)ର ‘ଗ୍ରେ ଲିଷ୍ଟ’ରୁ ବାହାରିବା ହିଁ ପାକିସ୍ତାନ ପାଇଁ ସର୍ବାଧିକ ପ୍ରାଥମିକତା ବହନ କରୁଥିବା କାର୍ଯ୍ୟ ଏବଂ ଏଥିପାଇଁ ନିର୍ଦ୍ଧାରିତ ନୀତିନିୟମକୁ ନିଷ୍ଠାର ସହ ପାଳନ କରିବାକୁ ପଡ଼ିବ । ସୀମାରେ ହିଂସାକାଣ୍ଡ ଏବଂ ଆତଙ୍କବାଦୀଙ୍କୁ ସମର୍ଥନ ଏହି ନୀତିନିୟମର ପରିପନ୍ଥୀ । ମୁଖ୍ୟତଃ କାଶ୍ମୀରରେ ଆତଙ୍କବାଦୀଙ୍କୁ ସମର୍ଥନ କରିବା ଯୋଗୁଁ ହିଁ ପାକିସ୍ତାନ ‘ଗ୍ରେ ଲିଷ୍ଟ’ରେ ରହିଛି । ତେଣୁ ଅନେକ ଦୃଷ୍ଟିରୁ ଏହି ଯୁଦ୍ଧବିରତି ରାଜିନାମା ପାକିସ୍ତାନ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ।

ଏହା ଦ୍ବାରା FATF ବ୍ୟତୀତ ଅନ୍ୟ ଯେଉଁ କ୍ଷେତ୍ରରେ ପାକିସ୍ତାନ ଓ ଚୀନ ଉଭୟ ଲାଭବାନ ହେବେ ତାହା ହେଉଛି ‘ଚାଇନା ପାକିସ୍ତାନ ଇକୋନମିକ କରିଡର’ (CPEC) । ବିନା କୋଳାହଳରେ ଉଭୟ ଏହାର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିପାରିବେ । ସମ୍ବିଧାନରେ କେତେକ ବୃହତ୍‌ ପରିବର୍ତ୍ତନ କରି ଗିଲଗିଟ ବାଲଟିସ୍ତାନକୁ ପାକିସ୍ତାନ ଏହାର ପଞ୍ଚମ ପ୍ରଦେଶ ରୂପେ ମାନ୍ୟତା ପ୍ରଦାନ କରିସାରିଛି ଏବଂ ଏ ସଂପର୍କରେ ହୁଏତ ଭାରତ ଆଉ ଅଧିକ କିଛି କହିବ ନାହିଁ । ଏହି ବୁଝାମଣା ଦ୍ବାରା, ଏହି ଅଞ୍ଚଳ ଦେଇ ଆଗକୁ ଯାଉଥିବା ‘ବେଲ୍‌ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌’ (BRI) ନାମରେ ପରିଚିତ ଚୀନର ପ୍ରମୁଖ ପ୍ରକଳ୍ପ କାର୍ଯ୍ୟ ଅବିରତ ଚାଲି ପାରିବ ।

ଅପରପକ୍ଷରେ, ଯେତେଦିନ ଯାଏ ଏହି ନୂତନ ଯୁଦ୍ଧବିରତି ବୁଝାମଣା କାର୍ଯ୍ୟକାରୀ ହେଉଥିବ ଏବଂ ସୀମା ଆରପଟୁ କୌଣସି ବିଶୃଙ୍ଖଳା ସୃଷ୍ଟି ହେଉ ନଥିବ, ସେତେଦିନ ଯାଏ ଭାରତ ମଧ୍ୟ ବିନା ବାଧାରେ ଜାମ୍ମୁ ଓ କାଶ୍ମୀରରେ ସମସ୍ତ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଜାରି ରଖିପାରିବ । ଏବେ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ନିୟନ୍ତ୍ରିତ କରିବା ପାକିସ୍ତାନ ପାଇଁ ବଡ଼ କାମ ଏବଂ ଅନୁରୂପ ଭାବରେ ଭାରତ ଆଗରେ ଏକମାତ୍ର ଆହ୍ବାନ ହେଉଛି ମୁଖ୍ୟଧାରାରେ ରହିଥିବା ରାଜନୈତିକ ନେତୃତ୍ବର ସମର୍ଥନ ହାସଲ । ଗୋଟିଏ ପଟେ ଦେଶ ଭିତରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ି ଚାଲିଥିବା ବେଳେ ଅନ୍ୟ ପଟରେ ମୁଖ୍ୟଧାରାର ରାଜନୈତିକ ନେତୃତ୍ବ ବିଚ୍ଛିନ୍ନତାବାଦକୁ ଆଦରି ନେବାକୁ ବସିଛନ୍ତି । ଏହା ହିଁ ଉଭୟ ଭାରତ ଓ ପାକିସ୍ତାନ ଆଗରେ ଏବେ ସବୁଠୁ ବଡ଼

ଆହ୍ବାନ ସୃଷ୍ଟି କରିଛି । ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ଦମନ କରିବା ଲାଗି ମୋଦି ସରକାର କଠୋର ପଦକ୍ଷେପ ଜାରି ରଖିବେ କିମ୍ବା ପାକିସ୍ତାନର ଉଦାସୀନତା କାରଣରୁ ନିଷ୍କ୍ରିୟ ହୋଇଯିବେ ତାହା ଉପରେ ନଜର ରଖିବା ବେଶ୍‌ ରୋଚକ ହେବ ।

ବିଲାଲ ଭଟ୍ଟ

ABOUT THE AUTHOR

...view details