ଓଡିଶା

odisha

ETV Bharat / bharat

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ! - ରାଷ୍ଟ୍ରପତି ନିର୍ବାଚନ ୨୦୨୨

ଆସନ୍ତା 25 ଜୁଲାଇ 2022 ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତା ପୂର୍ବରୁ ହେବ ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଜୁନ ମାସ ମଧ୍ୟ ଭାଗରେ ପ୍ରକାଶ ପାଇବ ନିର୍ବାଚନ ପାଇଁ ବିଜ୍ଞପତି । ଏହାସହ ଜୁଲାଇ ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏହା ପରେ ପରେ ଉପ-ରାଷ୍ଟ୍ରପତି ନିର୍ବାଚନ ହେବ । ଅଧିକ ପଢନ୍ତୁ

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ
ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

By

Published : Apr 25, 2022, 11:00 PM IST

ନୂଆଦିଲ୍ଲୀ: କିଏ ହେବେ ଦେଶର ୧୫ ତମ ରାଷ୍ଟ୍ରପତି ? ପୁଣି ଥରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ରହିବେ କି ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ? ନା ହେବ ପରିବର୍ତ୍ତନ ? ଯଦି ରାମନାଥ ପରିବର୍ତ୍ତନ ହୁଅନ୍ତି ? କିଏ ହେବେ ନୂଆ ରାଷ୍ଟ୍ରପତି ? କାହାକୁ ପ୍ରାର୍ଥୀ କରିବେ କେନ୍ଦ୍ର ସରକାର? ଯଦି ସହମତି ଭିତ୍ତିରେ ଗୋଟିଏ ପ୍ରାର୍ଥୀ ପାଇଁ କେନ୍ଦ୍ର ସରକାର ପ୍ରୟାସ କରିବେ କାହାକୁ କରିବେ ପ୍ରାର୍ଥୀ ? ରାଜନୈତିକ ଅଭିଜ୍ଞତା, ଦଳୀୟ ନେତା, ମହିଳା, ଦଳିତ, ନା ସଂଖ୍ୟାଲଘୁ ସମ୍ପ୍ରଦାୟ ନା ମୋଦି ପୁଣି ଥରେ ଦେବେ ସରପ୍ରାଇଜ ? ବିରୋଧୀ ଦେବେ କି ମିଳିତ ପ୍ରାର୍ଥୀ? ନା ବିଜେପି ପ୍ରାର୍ଥୀକୁ କରିବେ ସମର୍ଥନ । ତମାମ ପ୍ରଶ୍ନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।

କେବେ ହେବ ରାଷ୍ଟ୍ରପତି ନିର୍ବାଚନ ?

ଆସନ୍ତା 25 ଜୁଲାଇ 2022 ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତା ପୂର୍ବରୁ ହେବ ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଜୁନ ମାସ ମଧ୍ୟ ଭାଗରେ ପ୍ରକାଶ ପାଇବ ନିର୍ବାଚନ ପାଇଁ ବିଜ୍ଞପ୍ତି । ଏହାସହ ଜୁଲାଇ ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏହା ପରେ ପରେ ଉପ-ରାଷ୍ଟ୍ରପତି ନିର୍ବାଚନ ହେବ ।

କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି?

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ, ଅନେକ ବରିଷ୍ଠ ରାଜନେତା, ଚର୍ଚ୍ଚିତ ଚେହେରା ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ନେଇ ଚର୍ଚ୍ଚା ପରେ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ନାଁ ଚର୍ଚ୍ଚାକୁ ଆସିଯାଇଛି । ଚର୍ଚ୍ଚା ଅନୁସାରେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଓଡିଶାର ପୁରୁଖା ରାଜନେତା ତଥା ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ । କୁହାଯାଉଛି ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ବିଶ୍ବ ଭୂଷଣଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୌଖିକ ଭାବେ ନିର୍ଦ୍ଦେଶ ଆସିସାରିଛି । ଯାହାର ସଂକେତ ମଧ୍ୟ ଆସିବାରେ ଲାଗିଛି । କାରଣ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ରେଡ୍ଡୀ ନୂଆଦିଲ୍ଲୀ ଗସ୍ତ କରି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ନୂଆଦିଲ୍ଲୀ ଗସ୍ତରେ ଆନ୍ଧ୍ର ରାଜ୍ୟପାଳ

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ବର୍ତ୍ତମାନ ଲମ୍ବା ଗସ୍ତରେ ନୂଆଦିଲ୍ଲୀରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ନୂଆଦିଲ୍ଲୀ ଗସ୍ତ ବେଳେ ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ଅମର ଯବାନ ଜ୍ୟୋତିର ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମାରକୀ ପରିଦର୍ଶନ କରିଛନ୍ତି । ଗତ ୨୩ ତାରିଖରେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ସହ ପ୍ରାୟ ୨୦ ମିନିଟ ଧରି ଆଲୋଚନା କରିଛନ୍ତି । ପରେ ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ସେହିପରି ଆଜି ବିଶ୍ବଭୂଷଣ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହାସହ ଆସନ୍ତା ୨ ଦିନ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା, ଉପ-ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ସାକ୍ଷାତ ଆଲୋଚନା ରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା ହେଉଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ରାଜନୈତିକ ପଣ୍ଡିତଙ୍କ ମତରେ ନିର୍ବାଚନ ପୂର୍ବରୁ ଏହା ଏକ ପ୍ରକ୍ରିୟା ।

ଆନ୍ଧ୍ର ରାଜ୍ୟପାଳଙ୍କୁ କାହିଁକି ବିଜେପି କରିବ ପ୍ରାର୍ଥୀ ?

ତେବେ ପ୍ରଶ୍ନ ଉଠୁଛି ବିଶ୍ବଭୂଷଣ ହରିଚନ୍ଦନ ତଥା ଆନ୍ଧ୍ର ରାଜ୍ୟପାଳ ଜଣେ ଜାତୀୟସ୍ତରର ରାଜନେତା ହୋଇନଥିଲେ ମଧ୍ୟ କାହିଁକି ବିଜେପି ତାଙ୍କୁ ପ୍ରାର୍ଥୀ କରିପାରେ । ପ୍ରଥମତଃ ବିଶ୍ବଭୂଷଣ ହେଉଛନ୍ତି ପ୍ରଥମେ ଜଣେ ଓଡିଆ । ତାଙ୍କୁ ରାଷ୍ଟ୍ରପତି କରି ବିଜେପି ଓଡିଶା ଆନ୍ଧ୍ର ପ୍ରଦେଶ କ୍ଷମତା ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଯଦିଓ ଉଭୟ ଓଡିଶା ଓ ଆନ୍ଧ୍ରର ବର୍ତ୍ତମାନ ସରକାର ବିଜେପି ନେତୃତ୍ବାଧୀନ NDA ସହ ନାହାନ୍ତି । ତଥାପି ପ୍ରତ୍ୟେକ ପ୍ରସଙ୍ଗରେ ଉଭୟ ଦଳ କେନ୍ଦ୍ର ସରକାରଙ୍କ ସହ ରହିଛନ୍ତି । ତଥାପି ବିଜେପି ଉଭୟ ରାଜ୍ୟରେ ନିଜ ସରକାର ଗଠନ ପାଇଁ ଯୋଜନା କରୁଛି । ବିଶ୍ବଭୂଷଣଙ୍କୁ ରାଷ୍ଟ୍ରପତି କଲେ ଦଳକୁ ଏହା ଉଭୟ ରାଜ୍ୟରେ ଫାଇଦା ଦେବ । କାରଣ ଚର୍ଚ୍ଚା ଅନୁସାରେ ବିଜେପିର ମାର୍ଗଦର୍ଶକ ସଂଘ ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ନେଇ କୌଣସି ଦଳିତ, ସଂଖ୍ୟାଲଘୁ ଚାହୁଁନାହିଁ । ସଂଘ ଚାହୁଁଛି ଏବେ ଜଣେ ସଂଘ ପରିବାର ସଦସ୍ୟ କିମ୍ବା ଉଚ୍ଚ ବର୍ଗର ଜଣଙ୍କୁ ରାଷ୍ଟ୍ରପତି ହୁଅନ୍ତୁ । ଏହାସହ ବିଶ୍ବ ଭୂଷଣଙ୍କୁ ରାଷ୍ଟ୍ରପତି କରି ବିଜେପି ଏକ ନୂଆ ସଂକେତ ଦେବାକୁ ଚାହୁଁଛି ।

ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ

ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓଡିଶା ବିଧାନସଭାକୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହ ବିଜେପି-ବିଜେଡି ମେଣ୍ଟ ସରକାର ବେଳେ ନବୀନଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ବିଶ୍ବଭୂଷଣ ସପ୍ତମ, ଦଶମ, ଏକାଦଶ, ଦ୍ବାଦଶ ଓ ତ୍ରୟୋଦଶ ଓଡିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଶେଷ ଥର ପାଇଁ ୨୦୦୪-୦୯ କାର୍ଯ୍ୟକାଳ ସମୟରେ ଆଇନ, ରାଜସ୍ବ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।

ରାଷ୍ଟ୍ରପତି ଦୌଡରେ କିଏ ଆଗରେ ?

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ଚର୍ଚ୍ଚା ହେଉଥିବା ନେତାଙ୍କ ମଧ୍ୟରେ ଅଛନ୍ତି ବର୍ତ୍ତମାନର ଉପ-ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁ, ଏନସିପି ମୁଖ୍ୟ ଶରଦ ପାୱାର, ଇସ୍ରୋର ପୂର୍ବତନ ନିର୍ଦ୍ଦେଶକ କେ. ଶିବନ, କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହେଲଟ, ମହିଳା ବର୍ଗରୁ ୟୁପି ରାଜ୍ୟପାଳ ଆନନ୍ଦିବେନ ପଟେଲ, ଆଦିବାସୀ ମହିଳା ବର୍ଗରୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡିଶା ବିଜେପି ନେତ୍ରୀ ଦୌପଦ୍ରୀ ମୁର୍ମୁ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି ।

ବୟସ ସାଜିପାରେ ବାଧକ !
ତେବେ ବିଶ୍ବ ଭୂଷଣଙ୍କ କ୍ଷେତ୍ରରେ ବୟସ ଏକ ବଡ ସମସ୍ୟା ହୋଇପାରେ । କାରଣ ବିଜେପିର ନୀତି ଅନୁସାରେ ୭୫ ପାର ନେତାଙ୍କୁ ଆଉ ଦଳ ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ରଖୁଛି । ଏପରି ସ୍ଥଳେ ରାଷ୍ଟ୍ରପତି ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ଜଣେ ପୁରା ଫିଟ ଥିବା ନେତା କିମ୍ବା ବ୍ୟକ୍ତିଙ୍କୁ କରିପାରନ୍ତି ମୋଦି । ତେବେ ଦେଖିବାର କଥା ବିଶ୍ବ ଭୂଷଣ ହେଉଛନ୍ତି ନା ଆଉ କିଏ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details