ଅମରାବତୀ:ମହାରାଷ୍ଟ୍ରରେ ବଢୁଛି ରାଜନୈତିକ ତାତି । ଏନସିପି ନେତା ଅଜିତ ପାଓ୍ବାର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ବାର ଗତକାଲି(ରବିବାର) ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ଏନେଇ ବର୍ତ୍ତମାନ ସୁଦ୍ଧା ଦଳରେ କୌଣସି ଚର୍ଚ୍ଚା ହୋଇନାହିଁ । ଯଦି କେହି ଏନସିପିରୁ ଅଲଗା ହେବାକୁ ଚାହୁଁଛନ୍ତି, ଏହା ତାଙ୍କର ରଣନିତୀ ଅଟେ ।" ଶରଦଙ୍କ ଏହି ବୟାନ ତାଙ୍କ ପୁତୁରା ଅଜିତକୁ ନେଇ ବୋଲି ଚର୍ଚ୍ଚା ହେଉଛି ।
ସେ ଆହୁରି ମଧ୍ୟ କହିଛନ୍ତି, "ଯଦି ଆମକୁ ଏହା ବିରୋଧରେ ଛିଡା ହେବାକୁ ପଡେ ତାହେଲେ ଆମେ ତାହା ବି କରିବୁ । ବର୍ତ୍ତମାନ ସୁଦ୍ଧା ଦଳରେ କୌଣସି ଆଲୋଚନା ହୋଇନଥିବାରୁ ଏ ବିଷୟରେ କିଛି କହିବା ଠିକ ହେବ ନାହିଁ ।" ମହା ବିକାଶ ଅଘାଡି ଦଳ 2024 ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକାଠି ଲଢିବେ ନା ନାହିଁ ? ଏହି ପ୍ରଶ୍ନର ଉତ୍ତରରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି," ଆଜି ବି ଆମେ ମହା ବିକାଶ ଅଘାଡିର ଅଂଶ ଅଟୁ ଏବଂ ଏକାଠି କାମ କରିବାକୁ ଚାହୁଁଛୁ । ଏକାକି ରହିବା ଇଚ୍ଥା ସର୍ବଦା ଯଥେଷ୍ଟ ନୁହେଁ । ଆସନ ବଣ୍ଟନରେ ଅସୁବିଧା ହେବ କି ନାହିଁ..ଏସବୁ ବିଷୟରେ ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ । ମୁଁ ଆପଣଙ୍କୁ ଏ ବିଷୟରେ କିପରି କହିବି ?"
ଏହା ମଧ୍ୟ ପଢନ୍ତୁ: ମୁଁ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ: ଅଜିତ ପାଓ୍ବାର
ତେବେ ପ୍ରକାଶଥାଉକି, ଶନିବାର ମୁଖ୍ୟମନ୍ତ୍ରୀ ହେବାକୁ ନେଇ ବୟାନ ଦେଇଥିଲେ ଅଜିତ ପାଓ୍ବାର । ସେ କହିଥିଲେ, "ମୁଁ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ । ଏଥିପାଇଁ ୨୦୨୪କୁ କାହିଁକି ଅପେକ୍ଷା କରିବି । " ଏହାକୁ ସମର୍ଥନ କରିଥିଲେ NCP ନେତ୍ରୀ ତଥା ସାଂସଦ ସୁପ୍ରିୟା ସୁଲେ । ସେ କହିଥିଲେ, ଅଜିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ରାଜନୀତିରେ ଉଚ୍ଚାଭିଳାଷ ରଖିବା କୌଣସି ପ୍ରକାର ଭୁଲ ନୁହେଁ । ସମସ୍ତଙ୍କର କିଛି ନା କିଛି ଇଚ୍ଛା ରହିଛି । ତେଣୁ ଅଜିତ ମଧ୍ୟ ନିଜର ମନର କଥା କହିଛନ୍ତି, ଏଥିରେ କୌଣସି ଭୁଲ ନାହିଁ ।"
ଅଜିତ ପାଓ୍ବାର ଏମଭିଏକୁ(ମହାରାଷ୍ଟ୍ର ବିକାଶ ଅଘାଡି) ନେଇ କହିଥିଲେ, "ପୂର୍ବରୁ ଆମେ ଧର୍ମନିରପେକ୍ଷତା ଏବଂ ପ୍ରଗତିଶୀଳ ହେବା ବିଷୟରେ କହୁଥିଲୁ, କିନ୍ତୁ ୨୦୧୯ରେ କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଠନ କରିବାକୁ ଶିବସେନା ସହ ହାତ ମିଶାଇଥିଲେ । ଏହା ପରଠାରୁ ହିଁ ଆମେ ଧର୍ମନିରପେକ୍ଷତା ଲାଇନରୁ ଅଲଗା ହୋଇଛୁ । କାରଣ ଶିବସେନାର ପରିଚୟ ହେଉଛି ହିନ୍ଦୁତ୍ବ ପାର୍ଟି ।"
ଅନ୍ୟପଟେ ଗତ ରବିବାର ଦିନ ସଞ୍ଜୟ ରାଉତ ଶରଦ ପାୱାରଙ୍କ ଉଦ୍ଦେଶ୍ୟରେ କହିଥିଲେ,"ଯଦି କେହି ଏନସିପି ଛାଡିବାକୁ ବ୍ୟକ୍ତିଗତ ନିଷ୍ପତ୍ତି ନିଅନ୍ତି, ତେବେ ଏହା ବ୍ୟକ୍ତିଗତ କଥା । କିନ୍ତୁ ଦଳ ଭାବରେ ଆମେ କେବେବି ବିଜେପି ସହ ଯିବୁ ନାହିଁ ।" ଅଜିତ ପାୱାର ମଧ୍ୟ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ