ଚଣ୍ଡିଗଡ: ଓ୍ବାରିସ ପଞ୍ଜାବ ଦେର ମୁଖ୍ୟ ତଥା ଖଲିସ୍ତାନ ପ୍ରଚାରକ ଅମ୍ରିତପାଲ ସିଂଙ୍କୁ ଧରିବାରେ ବିଫଳ ପୋଲିସ । ଫେରାରକୁ ୧୩ ଦିନ ବିତିଯାଇଥିଲେ ସୁଦ୍ଧା ତା ପାଖରେ ପହଞ୍ଚିବାକୁ ଟେର ପାଉନି ପୋଲିସ । ପୋଲିସକୁ ଚକମା ଦେବା ପାଇଁ ଅନେକ ସହରରେ ବେଶ ବଦଳାଇ ବୁଲୁଛି ଅମ୍ରିତପାଲ । ଏହାରି ଭିତରେ ଭିଡିଓ ଅଡିଓ ଭାଇରାଲ ହେବାରେ ଲାଗିଛି । ଏହି ଅଡିଓ ପଳାତକ ଅମ୍ରିତପାଲ ସିଂଙ୍କର ବୋଲି ଜଣାପଡିଛି । ଏଥିରେ ସେ ଶିଖ ସଂଗଠନକୁ ଅନେକ କଥା କହିଛି । ଏହି ଅଡିଓ ଏବଂ ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମନରେ ଅନେକ ଆଶଙ୍କା ସୃଷ୍ଟି ହେଉଛି ।
ତେବେ ଗତକାଲି ଲାଇଭ ଭିଡିଓ ଜାରି କରି ଅମ୍ରିତ କହିଛି, "ମୁଁ ପଳାତକ ନୁହେଁ, ମୁଁ ଶୀଘ୍ର ଦୁନିଆ ସାମ୍ନାକୁ ଆସିବି । ମୁଁ କେବେ ବି ସରକାରଙ୍କୁ ଡରେ ନାହିଁ । ଆପଣଙ୍କର ଯାହା ଇଚ୍ଛା କରନ୍ତୁ । ଯଥେଦାରଙ୍କ ପାଇଁ ଏକ ପରୀକ୍ଷାର ସମୟ । ଗୁରୁ ସବୁବେଳେ ରକ୍ଷା କରି ଆସୁଛନ୍ତି । ଆଗକୁ ମଧ୍ୟ ରକ୍ଷା କରିବେ ।
ଏମିତି ଅଡିଓ ଭାଇରାଲ ହେଉଛି:ଅମ୍ରିତପାଲ ସିଂଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ସେ ଭିଡିଓରେ କହିଛି ଯେ, " ମୋର ଭିଡିଓ ଭାଇରାଲ ହେବା ପରେ ଏହି ଭିଡିଓ ପୋଲିସ ହିଁ କରିଛି ବୋଲି ସନ୍ଦେହ କରାଯାଉଛି, କିନ୍ତୁ ବାସ୍ତବରେ ଏହା ସତ୍ୟ ନୁହେଁ । କ୍ୟାମେରା ସାମ୍ନାରେ ଭିଡିଓ ତିଆରି କରିବାରେ ମୋର ଅଭ୍ୟାସ ନାହିଁ । ମୋର ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ଯୋଗୁଁ ମୁଁ ଟିକେ ଦୁର୍ବଳ ହୋଇଯାଇଛି । ମୋତେ ଗିରଫ ପରେ ଅତ୍ୟାଚାର ନକରିବା ପାଇଁ ମୁଁ ସରକାରଙ୍କୁ ଏପରି କିଛି ଦାବି କରିନି । କିଛି ଲୋକ ଭିତ୍ତିହୀନ କଥା କହୁଛନ୍ତି ।"