ପୁଡୁଚେରୀ: ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୁଡୁଚେରୀ ସରକାରଙ୍କ ଉପରେ ଝୁଲୁଛି ସଙ୍କଟର ଖଣ୍ଡା । ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ସହିତ ସଂଖ୍ୟା ଗରିଷ୍ଠତା ହରାଇଛି ଏଠାରେ କ୍ଷମତାସୀନ କଂଗ୍ରେସ ସରକାର । ଏହାରି ମଧ୍ୟରେ 22 ଫେବୃଆରୀରେ ବିଧାନସଭାରେ ସରକାରଙ୍କୁ ବିଶ୍ବାସମତ ସାବ୍ୟସ୍ତ କରିବାକୁ ପଡିବ । ଏହି ପରିପ୍ରେକ୍ଷୀରେ ଉପରାଜ୍ୟପାଳ ତାମିଲାଇସାଇ ସୌନ୍ଦରାରାଜନ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କର ଇସ୍ତଫା ଦାବି କରିଥିଲେ ବିରୋଧୀ ।
ଗୁରୁବାର ବିଜେପି, ଏଆଇଏଡିଏମକେ ଓ ଏନଆର କଂଗ୍ରେସ ପୁଡୁଚେରୀ ଉପରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେଇଛନ୍ତି । ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବାରୁ ମୁଖ୍ୟମନ୍ତ୍ରୀ ବି.ନାରାୟଣସ୍ବାମୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ପୁଡୁଚେରୀ ବିଜେପି ସଭାପତି ଭି. ସାମିନାଥନ କହିଛନ୍ତି । ତେବେ ବିଧାନସଭାରେ ବିଶ୍ବାସ ମତ ହେଉ ବୋଲି ଦାବି କରିଛନ୍ତି ବିରୋଧୀ ।
ବିଧାନସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ପୁଡୁଚେରୀ ସରକାରଙ୍କୁ ଲାଗିଥିଲା ବଡ ଝଟକା । କ୍ଷମତାସୀନ ସରକାରରୁ ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ପରେ ଅଚାନକ ପୁଡୁଚେରୀ ରାଜନୀତି ଆକାଶରେ ଦେଖାଦେଇଥିଲା ସଙ୍କଟର କଳା ବାଦଲ । ମଙ୍ଗଳବାର ବିଧାୟକ ଜନ କୁମାର ନିଜ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଥିଲେ ପୁଡୁଚେରୀ ସରକାର । ଜନଙ୍କୁ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀଙ୍କ ଅତି ନିକଟତର ବୋଲି ବିବେଚନା କରାଯାଏ ।