ବେଙ୍ଗାଲୁରୁ:କର୍ଣ୍ଣାଟକରେ କଂଗ୍ରେସ ନିର୍ବାଚନ ଜିତିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିଛି । ଦଳର ଦୁଇ ବରିଷ୍ଠ ନେତା ଡିକେ ଶିବକୁମାର ଓ ସିଦ୍ଧରମୈୟା ବଡ ଦାବିଦାର ଅଛନ୍ତି ଏବଂ ଉଭୟ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ହାଇକମାଣ୍ଡ କାହାକୁ ସନ୍ତୁଷ୍ଟ କରିବେ ଏହା ବର୍ତ୍ତମାନ ସମୟରେ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଏହାରି ଭିତରେ ଡିକେ ଶିବକୁମାର ବଡ଼ ବୟାନ ଦେଇଛନ୍ତି । ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ, ଦଳର ନିଷ୍ପତ୍ତି ଯାହାବି ହେଉନା କାହିଁକି ସେ ଦଳ ପିଠିରେ ଛୁରୀ ଭୁସିବେନି କି ବ୍ଲାକମେଲ କରିବେ ନାହିଁ । ଅର୍ଥାତ୍ ଶିବକୁମାର କୌଣସିମତେ କଂଗ୍ରେସକୁ ଧୋକ୍କା ଦେବେନି ବୋଲି ସ୍ପଷ୍ଟ କରି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଚୟନ ସମ୍ପର୍କିତ ଆଲୋଚନାରେ ଯୋଗ ଦେବାକୁ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଆଜି ସକାଳେ ଶିବକୁମାର ଦିଲ୍ଲୀ ଯାତ୍ରା କରିଛନ୍ତି । ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା ସମୟରେ ସେ ଗଣମାଧ୍ୟମ ଆଗରେ ଉପରୋକ୍ତ ବୟାନ ଦେଇଛନ୍ତି । ଗଣମାଧ୍ୟମ ପ୍ରଶ୍ନରେ ସେ କହିଛନ୍ତି, "ଯଦି ଦଳ ଚାହିଁବ ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବ । ଆମର ଗୋଟିଏ ଘର ଏବଂ ଆମ ସଂଖ୍ୟା ୧୩୫ । ମୁଁ ଏଠାରେ ବିଭାଜନ ଚାହେଁନି । ଲୋକେ ମୋତେ ପସନ୍ଦ କରନ୍ତୁ କି ନ କରନ୍ତୁ ମୁଁ ଜଣେ ଦାୟିତ୍ବବାନ ବ୍ୟକ୍ତି । ମୁଁ କେବେ ପିଠିରେ ଛୁରୀ ଭୁସିବିନି କି ବ୍ଲାକମେଲ୍ କରିବନି ।"