ହାଇଦ୍ରାବାଦ: ଗ୍ରାମରେ ପତ୍ନୀଙ୍କୁ ନିର୍ଯାତନା ସହ ସଂଘବଦ୍ଧ ଆକ୍ରମଣ କରାଗଲା । ପ୍ରତିବାଦ କରିବା ପାଇଁ ଘରେ କେହି ନଥିଲେ । ସୀମାରୁ ପତ୍ନୀଙ୍କ ସହ ହୋଇଥିବା ବର୍ବରତା ନେଇ ନ୍ୟାୟ ଭିକ୍ଷା କରି ଭିଡିଓ ଜାରି କଲେ ଯବାନ ସ୍ବାମୀ । ସ୍ଥାନୀୟ ପୋଲିସ ପ୍ରଶାସନକୁ ନ୍ୟାୟ ଓ ପତ୍ନୀଙ୍କୁ ସୁରକ୍ଷା ଦେବା ପାଇଁ ନିବେଦନ କଲେ । ସେନା ଯବାନଙ୍କ ଏପରି ଏକ ଭିଡଓ ଭାଇରାଲ ହେଉଛି । ତାମିଲନାଡୁର ନାଗାପଟ୍ଟିନାମ ଜିଲ୍ଲାର ଜଣେ ଯବାନଙ୍କ ଏପରି ଅସହାୟତାପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ଭିଡିଓରେ ନ୍ୟାୟ ଭିକ୍ଷା କରୁଥିବା ଏହି ଯବାନ ହେଲେ ତାମିଲନାଡୁର ନାଗାପଟ୍ଟିନାମ ଜିଲ୍ଲାର କାଦାଭାସାଲ ଗାଁର ପ୍ରଭାକରନ୍ । ସେ ଏବେ କାଶ୍ମୀରରେ ଜଣେ ସେନାରେ ହାବିଲଦାର ଭାବେ ନିୟୋଜିତ ରହିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ଗ୍ରାମରେ ଏକ ଲିଜ୍ ଜମିରେ ତାଙ୍କ ପତ୍ନୀ ଏକ ଦୋକାନ ଚଳାନ୍ତି । ଗତକାଲି ପ୍ରାୟ ଶତାଧିକ ଲୋକ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରିଛନ୍ତି । ଏପରିକି ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ଆକ୍ରମଣ କରାଯାଇଛି । ଏଥିରେ ତାଙ୍କ ପତ୍ନୀ ଆହତ ହେବା ସହ ତାଙ୍କ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ମଧ୍ୟ ଦିଆଯାଇଛି । ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତମାନେ ଧମକ ମଧ୍ୟ ଦେଇଛନ୍ତି । ତାଙ୍କୁ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ଏନେଇ ସେ ସ୍ଥାନୀୟ ଏସ୍ପିଙ୍କୁ ଅନଲାଇନ ମାଧ୍ୟମରେ ଅଭିଯୋଗ ମଧ୍ୟ କରିଛନ୍ତି । ସ୍ଥାନୀୟ ପୋଲିସ ପ୍ରଶାସନ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଯବାନଜଣଙ୍କ ଭିଡିଓରେ ପ୍ରକାଶ କରିଛନ୍ତି ।
ତାମିଲନାଡୁର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏନ.ଥିଆରାଜନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଦେଶସେବାରେ ସୀମାରେ ନିୟୋଜିତ ଜଣେ ଯବାନଙ୍କ ପତ୍ନୀଙ୍କ ପ୍ରତି ଏପରି ବର୍ବରତାକୁ ସେ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ଅନୁରୋଧ ମଧ୍ୟ କରିଛନ୍ତି ।