ବେଙ୍ଗାଲୁରୁ:ପରକୀୟା ପ୍ରୀତିରୁ ଦାମ୍ପତ୍ୟ କଳହ ଓ ତା ପରେ ଜଘନ୍ୟକାଣ୍ଡ ଭିଆଇଲା ସ୍ତ୍ରୀ । ସ୍ବାମୀଙ୍କୁ ଫସାଇବା ପାଇଁ କଲା ସାଙ୍ଘାତିକ ଷଡଯନ୍ତ୍ର । ସ୍ବାମୀଙ୍କ ମୋବାଇଲରୁ ପୋଲିସକୁ ପଠାଇଲା ବୋମା ବିସ୍ଫୋରଣ ଧମକ । ହେଲେ ପୋଲିସ ମେସେଜ ମିଳିଥିବା ନମ୍ବରର ଲୋକେସନ ଟ୍ରାକ କରିବା ସହ ପ୍ରଥମେ ମୋବାଇଲ ବ୍ୟବହାର କରୁଥିବା ସ୍ବାମୀଙ୍କୁ ଅଟକ ରଖିଲା । ପରେ ସ୍ବାମୀକୁ ଫସାଇବା ପାଇଁ ଏହା ସ୍ତ୍ରୀର ଷଡଯନ୍ତ୍ର ବୋଲି ଜଣାପଡିବା ପରେ ଏବେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏପରି ଏକ ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି ।
ପ୍ରାଥମିକ ତଦନ୍ତ ପରେ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁର ଆନେକେଲ ସ୍ଥିତ ମାରୁତି କଲୋନୀରେ କିରଣ ଓ ବିଦ୍ୟାରାଣୀ ନାମକ ଦମ୍ପତି ରହୁଥିଲେ । ପତ୍ନୀ ବିଦ୍ୟାରାଣୀଙ୍କର ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ସହ ବନ୍ଧୁତା ହୋଇଥିଲେ । ସେମାନେ ଗତ 6 ମାସ ଧରି ପରସ୍ପର ସହ ନିୟମିତ ଚାଟିଂ କରୁଥିଲେ । ଗତ କିଛି ଦିନ ତଳେ ସ୍ବାମୀ କିରଣ ଏକଥା ଜାଣିବା ପରେ ସ୍ତ୍ରୀ ବିଦ୍ୟାରାଣୀକୁ ବାରଣ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ବାରଣ କରିବା ପରେ ମଧ୍ୟ ସ୍ତ୍ରୀ ବିଦ୍ୟାରାଣୀ ସମ୍ପୃକ୍ତ ଯୁବକଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ଜାରି ରଖିବାରୁ କିରଣ ରାଗିଯାଇ ତାଙ୍କ ମୋବାଇଲ ଫୋନ ଭାଙ୍ଗି ଦେଇଥିଲେ ।
ହେଲେ କୌଣସି ପ୍ରକାର ବିଦ୍ୟା ଏକଥା ତାଙ୍କ ସୋସିଆଲ ମିଡିଆ ବନ୍ଧୁଙ୍କୁ ଜଣାଇଥିଲେ । ଉଭୟ ମିଶି ସ୍ବାମୀ କିରଣଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଷଡଯନ୍ତ୍ର କରିଥିଲେ । ଯୁବକଙ୍କ ପରାମର୍ଶ ଅନୁସାରେେ ସ୍ତ୍ରୀ ବିଦ୍ୟାରାଣୀ ସ୍ବାମୀ କିରଣ ବ୍ୟବହାର କରୁଥିବା ମୋବାଇଲ ଫୋନରୁ ବେଙ୍ଗାଲୁରୁ ପୋଲିସକୁ ଡିସେମ୍ବର 5 ତାରିଖରେ କୌଣସି ଏକ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଏକ ଧମକପୂର୍ଣ୍ଣ ମେସେଜ ପଠାଇଥିଲେ । ସ୍ବାମୀ କିରଣ ନଜାଣିବା ପାରିବା ପାଇଁ ସେ ମୋବାଇଲରୁ ଉକ୍ତ ମେସେଜକୁ ଡିଲିଟ୍ ମଧ୍ୟ କରିଦେଇଥିଲେ । ମାତ୍ର ପୋଲିସ ନମ୍ବର ଲୋକେସନ ଟ୍ରାକ କରି କିରଣଙ୍କ ଫ୍ଲାଟରେ ପହଞ୍ଚିବା ପରେ ଏବେ ପୁରା ଘଟଣା ସାମ୍ନାକୁ ଆସିଛି ।