ନୂଆଦିଲ୍ଲୀ:ବିହାରରେ 1994 ଦଳିତ ଆଇଏଏସ ଅଧିକାରୀ ଜି.କୃଷ୍ଣୟା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ସାଂସଦ ତଥା ବାହୁବଳୀ ଆନନ୍ଦ ମୋହନକୁ ଜେଲରୁ ମୁକ୍ତ କରାଯିବା ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ହତ୍ୟାର ଶିକାର ହୋଇଥିବା ଆଇଏଏସ ଅଧିକାରୀ ଜି.କୃଷ୍ଣୟାଙ୍କ ପତ୍ନୀ ଉମା କୃଷ୍ଣୟା ନୀତିଶ କୁମାର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଏହି ହତ୍ୟାକାଣ୍ଡରେ ଆନନ୍ଦ ମୋହନ ଦୋଷୀ ସାବ୍ୟସ୍ତ ହେବା ସହ ପ୍ରଥମେ ଫାଶୀ ଦଣ୍ଡ ଓ ପରେ ଏହାକୁ କୋହଳ କରାଯାଇ ଆଜୀବନ କାରାଦଣ୍ଡାଦେଶ ପାଇଥିଲା ।
ହେଲେ ଜଣେ ସର୍ବଭାରତୀୟ ଅଧିକାରୀଙ୍କୁ ହତ୍ୟା ପରି ସଙ୍ଗୀନ ମାମଲାର ଦୋଷୀକୁ ଜେଲ ମାନୁଆଲରେ ସଂଶୋଧନ କରି ନୀତିଶ କୁମାରଙ୍କ ସରକାର ମୁକ୍ତ କରିଛି । ଯାହାକୁ ନେଇ ହତ୍ୟାର ଶିକାର ହୋଇଥିବା ଆଇଏଏସ ଅଧିକାରୀଙ୍କ ପତ୍ନୀ ଓ ଝିଅ ଆପତ୍ତି ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଥିଲେ । ଏବେ ସେମାନେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ପହଞ୍ଚିଛନ୍ତି ।
ଜେଲ ନିୟମାବଳୀରେ ସଂଶୋଧନ ପରେ ଆନନ୍ଦ ମୋହନ ସିଂଙ୍କ ସମେତ ମୋଟ 27 ଦୋଷୀଙ୍କୁ ମୁକ୍ତ କରିଥିଲେ ନୀତିଶ ସରକାର । ଦଣ୍ଡାଦେଶ ପାଇ ସଜ୍ଜା କାଟୁଥିବା ଏହି ଅପରାଧୀମାନଙ୍କର ଉତ୍ତମ ଆଚରଣ ଓ ସ୍ବଭାବରେ ପରିବର୍ତ୍ତନ ଦର୍ଶାଇ ଏମାନଙ୍କୁ ମୁକ୍ତ କରାଯିବା ନେଇ ନୀତିଶ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ପୂର୍ବରୁ ଆନନ୍ଦ ମୋହନ ମଧ୍ୟ ନିଜ ପୁଅ ବିବାହରେ ଯୋଗ ଦେବା ପାଇଁ ପାରୋଲରେ ଥିଲା । ବୁଧବାର ପାରୋଲ ଅବଧି ଶେଷ ହେବା ପରେ ସେ ଜେଲ ଫେରିଥିଲା ଓ ସରକାରଙ୍କ ନିଷ୍ପତ୍ତି କ୍ରମେ ଗୁରୁବାର ପୂର୍ବାହ୍ନରେ ତାକୁ ମୁକ୍ତ କରାଯାଇଥିଲା ।