ନୂଆଦିଲ୍ଲୀ:ଗଲୱାନ ଉପତ୍ୟକାରେ ଶତ୍ରୁ ସହ ଲଢି ଶହୀଦ ହୋଇଥିବା ସ୍ବାମୀଙ୍କ ସ୍ବପ୍ନ ପୂରଣ କଲେ ପତ୍ନୀ । ଶିକ୍ଷା ବୃତ୍ତି ଛାଡ଼ି ଆରମ୍ଭ କରିଥିଲେ ଅଧ୍ୟବସାୟ । ଶେଷରେ ସ୍ବାମୀଙ୍କ ସ୍ବପ୍ନକୁ ପୂରଣ କରି ସେନାରେ ହୋଇଛନ୍ତି ସାମିଲ । ସେ ସେନା ଭର୍ତ୍ତି ଲାଗି ପରୀକ୍ଷାରେ ଲେଫ୍ଟନାଣ୍ଟ ରାଙ୍କ୍ ହାସଲ କରିଥିବା ବେଳେ ଆସନ୍ତା ମେ ୨୮ ତାରିଖରେ ଆରମ୍ଭ ହେବାକୁ ଯାଉଛି ଟ୍ରେନିଂ । ଲାନ୍ସ ନାଏକ ବୀର ଚକ୍ର ପୁରସ୍କାର ପ୍ରାପ୍ତ ଦୀପକ ସିଂଙ୍କ ପତ୍ନୀ ରେଖା ସିଂ ଏପରି କରି ଦେଖାଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ତାଙ୍କ ପତ୍ନୀଙ୍କ ଆଶାକୁ ପୂରଣ କରିବା ଲାଗି ସେ କ୍ରମାଗତ ଭାବେ କଠିନ ପରିଶ୍ରମ କରିଥିଲେ । ଆଉ ଶେଷରେ ତାଙ୍କ ପରିଶ୍ରମ ସଫଳ ହୋଇଛି । ଭାରତୀୟ ସେନାରେ ସେ ନିଜକୁ ସାମିଲ କରିପାରିଛନ୍ତି । ଚେନ୍ନାଇରେ ଆସନ୍ତା ମେ ୨୮ ତାରିଖରୁ ତାଙ୍କ ଟ୍ରେନିଂ ଆରମ୍ଭ ହେବାକୁ ଯାଉଛି । ମଧ୍ୟପ୍ରଦେଶ ରେୱା ଅଧିବାସୀ ଥିଲେ ଶହୀଦ ଯବାନ ଦୀପକ ସିଂ । ସେ ଗଲୱାନ ଉପତ୍ୟକାରେ ବରଫ ଚିତା ଅପରେସନରେ ଚୀନ ସେନାଙ୍କ ସହିତ ଯୁଦ୍ଧରେ ଗତ 2022 ଜୁନ ୧୫ ତାରିଖରେ ଶହୀଦ ହୋଇଥିଲେ । ଏଥିଲାଗି ତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀର ଚକ୍ର ପୁରସ୍କାରରେ ସମ୍ମାନିତ କରିଥିଲେ ।
ଏହା ବି ପଢନ୍ତୁ- ଅଯୋଧ୍ୟା ରାମ ମନ୍ଦିର ପରିସରରେ ହେଲା ଜଳାଭିଷେକ, ୧୫୫ ଦେଶରୁ ଆସିଲା ପବିତ୍ର ଜଳ
ଏହି ସମୟରେ ଦୀପକ ଓ ରେଖାଙ୍କ ବିବାହକୁ ମାତ୍ର ୧୫ ମାସ ପୁରିଥିଲା । ଏହି ସମୟରେ ସ୍ବାମୀଙ୍କ ଦେହାନ୍ତ ଖବର ଶୁଣିବା ପରେ ହତବାକ ହୋଇପଡ଼ିଥିଲେ ରେଖା । ହେଲେ ଦେଶ ପାଇଁ ଜୀବନ ଦେଇଥିବା ବୀର ସ୍ବାମୀଙ୍କ ପାଇଁ ସେ ଗର୍ବ ଅନୁଭବ ମଧ୍ୟ କରିଥିଲେ । ଆଉ ଯେତିକି ସମୟ ସେ ସ୍ବାମୀଙ୍କ ସହିତ ସମୟ ବିତାଇଥିଲେ, ଦେଶପ୍ରତି ତାଙ୍କ ପ୍ରେମକୁ ଦେଖିଥିଲେ । ଶହୀଦ ଯବାନ ଦୀପକ ଚାହୁଁଥିଲେ, ତାଙ୍କ ପତ୍ନୀ ରେଖା ମଧ୍ୟ ସେନାରେ ଭର୍ତ୍ତି ହୋଇ ଦେଶ ମାତୃକାର ସେବା କରନ୍ତୁ । ଏଥିଲାଗି ସେ ନିଜ ଇଚ୍ଛା ସମ୍ପର୍କରେ ପତ୍ନୀଙ୍କୁ କହିଥିଲେ । ଆଉ ସ୍ବାମୀ ଶହୀଦ ହେବା ପରେ ପ୍ରତିଜ୍ଞାବଦ୍ଧ ହୋଇ କଠିନ ପରିଶ୍ରମ କରିଥିଲେ ରେଖା ।
ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରେଖା କହିଛନ୍ତି, "ଏହା ମୋ ସ୍ବାମୀଙ୍କ ଇଚ୍ଛା ଥିଲା । ଯାହାକି ମୋତେ ଭାରତୀୟ ସେନାରେ ଭର୍ତ୍ତି କରିବା ଲାଗି ପ୍ରେରଣା ଯୋଗାଇଥିଲା । ଏଥିଲାଗି ମୁଁ ଶିକ୍ଷା ବୃତ୍ତି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି । ସେନାରେ ଭର୍ତ୍ତି ହେବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲି । ଶେଷରେ ସଫଳତା ମଧ୍ୟ ପାଇଛି । ଆସନ୍ତା ମେ ୨୫ ତାରିଖରେ ଚେନ୍ନାଇରେ ମୋର ଟ୍ରେନିଂ ଆରମ୍ଭ ହେବାକୁ ଯାଉଛି । ମୋ ଶହୀଦ ସ୍ବାମୀଙ୍କ ପାଇଁ ସମ୍ମାନ ଓ ଦେଶଭକ୍ତି ଆଜି ମୋତେ ଏହି ସଫଳତା ଆଣିଦେଇଛି ।"