ଲକ୍ଷ୍ନୌ:ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିଲା ସ୍ତ୍ରୀ । ବିବାହର ୧୫ ଦିନ ନ ପୂରୁଣୁ ନିଜ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶ ମଥୁରାର ବଳଦେବ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହିଳା ଜଣକ ନିଜ ପ୍ରେମିକ ସହିତ ମିଶି ସ୍ବାମୀର ହତ୍ୟା କରିଥିବା କହିଛି ପୋଲିସ ।
ବଳଦେବ ଥାନା ଅଧୀନସ୍ଥ ସେଳଖେଡା ଗ୍ରାମର ସୁବେଦାର ସିଂ ଛୋଟ ପୁଅ ମାନବେନ୍ଦ୍ରର ବିବାହ ଗତ ମାର୍ଚ୍ଚ ୨୬ ତାରିଖରେ ହୋଇଥିଲା । ବିବାହର କିଛି ଦିନ ପରେ ମାନବେନ୍ଦ୍ରଙ୍କ ପତ୍ନୀ ତାଙ୍କ ଘର ଲୋକଙ୍କ ସହ କଥାବାର୍ତ୍ତା କରିବା ବାହାନାରେ ସ୍ବାମୀଙ୍କ ଫୋନକୁ ବାରମ୍ବାର ବ୍ୟବହାର କରୁଥିଲେ। ଗତ ଏପ୍ରିଲ ୧ ତାରିଖରେ ବିଳମ୍ବିତ ରାତିରେ ମାନବେନ୍ଦ୍ର ତାଙ୍କ ପତ୍ନୀଙ୍କ ସହ ଗାଁ କଡ଼ରେ ନିର୍ମିତ ସୁବେଦାର ସିଂଙ୍କ ଆଉ ଏକ ନୂତନ ଘରେ ଶୋଇଥିଲେ । ରାତି ପ୍ରାୟ ୧ଟା ବେଳେ ମାନବେନ୍ଦ୍ରଙ୍କ ପତ୍ନୀ ଶ୍ବଶୁର ସୁବେଦାର ସିଂ ରହୁଥିବା ପୁରୁଣା ଘରେ ପହଞ୍ଚି କହିଥିଲେ ଯେ ତାଙ୍କ ସ୍ବାମୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଛନ୍ତି ଏବଂ ସେ କଥା କହିପାରୁନାହାଁନ୍ତି ବୋଲି କହିଥିଲେ ।
ଏହା ବି ପଢନ୍ତୁ- ମଦ ପିଇବା ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ
ସୁବେଦାର ସିଂ ତୁରନ୍ତ ନୂଆ ଘରେ ପହଞ୍ଚିଥିଲେ । ସେ ସେଠାରେ ଦେଖିଲେ ଯେ ତାଙ୍କ ପୁଅ ମାନବେନ୍ଦ୍ର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଛନ୍ତି ଏବଂ ତାଙ୍କ ଡାହାଣ ଗୋଡ଼ରେ ବିଦ୍ୟୁତ ଆଘାତ ଲାଗି ପୋଡ଼ି ଯାଇଛି । ସଙ୍ଗେ ସଙ୍ଗେ ସେ ଆଖପାଖର ଲୋକଙ୍କୁ ଡାକି ପୁଅକୁ ଡାକ୍ତରଖାନା ନେଇଥିଲେ । ଏଠାରେ ଡାକ୍ତରମାନେ ମାନବେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତେ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି ବିବେଚନା କରିଥିଲେ । ମାତ୍ର ମାନବେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ଫୋନକୁ ବାରମ୍ବାର କାହାର କଲ୍ ଆସୁଥିଲା ।
ମୃତକଙ୍କ ଭାଇ ଉକ୍ତ ଫୋନରେ କିଛି କଲ୍ ରେକର୍ଡ ପାଇଥିଲେ । ଏହାପରେ ମାନବେନ୍ଦ୍ରଙ୍କ ପତ୍ନୀ ତାଙ୍କୁ କରେଣ୍ଟ ଲଗାଇଥିବା ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ । ଏହାପରେ ପୁରା ଘଟଣା ସାମନାକୁ ଆସିଥିଲା । ପୋଲିସ ଘଟଣାର ତଦନ୍ତ କରିବା ପରେ ପତ୍ନୀ ଓ ତାଙ୍କ ପ୍ରେମିକକୁ ଗିରଫ କରିଛି । ମାନବେନ୍ଦ୍ରଙ୍କ ପତ୍ନୀ ପ୍ରଥମେ ତାଙ୍କୁ ନିଶାଦ୍ରବ୍ୟ ଦେଇଥିଲେ ଓ ଏହାପରେ ତାଙ୍କ ଶରୀରକୁ ବିଦ୍ୟୁତ ଆଘାତ ଦେଇଥିଲେ ବୋଲି ଜଣାପଡ଼ିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।