ଓଡିଶା

odisha

Exit Polls: ସତ ହେବ କି ପୂର୍ବାନୁମାନ, ୟୁପିରେ ଫେଲ୍ ମାରିଲା କି ପରିବର୍ତ୍ତନର ନାରା ?

By

Published : Mar 9, 2022, 2:08 PM IST

ରାତି ପାହିଲେ ବାହାରିବ ଉତ୍ତରପ୍ରଦେଶ ରେଜଲ୍ଟ । ଏକଜିଟ୍ ପୋଲ ଆକଳନ କହୁଛି, ଏଥର ବି ୟୁପିକୁ ଫେରିବ ବିଜେପି । ମାତ୍ର ବିଗତ ବର୍ଷର କିଛି ନିର୍ବାଚନରେ ଏକଜିଟ୍ ପୋଲ ଆକଳନ ଫେଲ୍ ମାରିଥିବାର ନଜିର ରହିଛି । ସେହିପରି କିଛି ନିର୍ଦ୍ଧିଷ୍ଟ ପ୍ରସଙ୍ଗ ପାଇଁ ସତ୍ତା ବିରୋଧି ଲହରର ଯୋଗୀ ସରକାର ପାଇଁ ଅଡୁଆ ହୋଇପାରେ । ଏସବୁ ଭିତରେ ଏକଜିଟ୍ ପୋଲ ଆକଳନ କେତେ ସତ ହେଉଛି ତାହା ଆସନ୍ତାକାଲି ଜଣାପଡିବ ।

Exit Polls: ସତ ହେବ କି ପୂର୍ବାନୁମାନ, ୟୁପିରେ ଫେଲ୍ ମାରିଲା କି ପରିବର୍ତ୍ତନର ନାରା ?
Exit Polls: ସତ ହେବ କି ପୂର୍ବାନୁମାନ, ୟୁପିରେ ଫେଲ୍ ମାରିଲା କି ପରିବର୍ତ୍ତନର ନାରା ?

ଲକ୍ଷ୍ନୌ: ରାତି ପାହିଲେ ବାହାରିବ ଉତ୍ତରପ୍ରଦେଶ ରେଜଲ୍ଟ । କାହାର ହେବ ୟୁପି ? କିଏ ମାରିବ ବିଧାନସଭା ନିର୍ବାଚନ ବାଜି ? କିଏ ହେବ ପାସ୍, କିଏ ଫେଲ୍ ? ଆସନ୍ତାକାଲି ତାହାର ହେବ ଫଇସଲା । ଗୁରୁବାର ୟୁପି ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ସୋମବାର ବୁଥ୍ ବାହୁଡା ମତ (Exit Poll results)ପ୍ରକାଶ ପାଇଛି । ଉତ୍ତରପ୍ରଦେଶରେ କ୍ରମାଗତ ଦ୍ବିତୀୟ ଥର ବିଜେପି ସରକାର ଗଠନ କରିବ ବୋଲି ପ୍ରାୟ ସମସ୍ତ ସର୍ଭେ ସଂସ୍ଥା ରିପୋର୍ଟ ଦେଇଛନ୍ତି ।

ଯଦି ୟୁପିର ଏକଜିଟ୍ ପୋଲ ଆକଳନକୁ ବିଚାରକୁ ନେବା, ତାହାହେଲେ ତିନୋଟି ନିଷ୍କର୍ସ ବାହାରୁଛି, ପ୍ରଥମତଃ ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ଉତ୍ତରପ୍ରଦେଶରେ ଅନ୍ତିମ ଦୁଇଟି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ନିର୍ବାଚନ ଦାୟିତ୍ବ ଗ୍ରହଣ କରି ଏହାକୁ ସଠିକ୍ ରୂପେ ତୁଲାଇଛନ୍ତି ଏବଂ ବିଜେପି ସପକ୍ଷରେ ଭୋଟରଙ୍କୁ ମୁଡ୍ ବଦଳାଇବାରେ ସଫଳ ହୋଇଛନ୍ତି । ଦ୍ବିତୀୟରେ, ସମାଜବାଦୀ ପାର୍ଟି ନେତୃତ୍ବାଧୀନ ବିରୋଧି ଦଳ ଯୋଗୀ ସରକାରଙ୍କ ବିରୋଧରେ କେବଳ ସତ୍ତା ବିରୋଧି ଲହରର ଲାଭ ନେବାରେ କେବଳ ବିଫଳ ହୋଇନାହିଁ, ବରଂ ବିଶ୍ବସନୀୟ ପ୍ରତିବାଦ ସୃଷ୍ଟି କରିବା ଦିଗରେ ମଧ୍ୟ ଫେଲ୍ ମାରିଛି । ତୃତୀୟତଃ, ଉତ୍ତରପ୍ରଦେଶ ଭୋରଟଙ୍କ ମଧ୍ୟରେ ବିଜେପିର ହିନ୍ଦୁତ୍ବବାଦ ମୁଦ୍ଦା ଏବେ ବି ପ୍ରଭାବଶାଳୀ ରହିଛି ।

ବହୁ ସଂଖ୍ୟକ ଏକଜିଟ୍ ପୋଲ ବିଜେପି ସପକ୍ଷରେ ବିଜୟର ପୂର୍ବାନୁମାନ କରିଛନ୍ତି । ଏପରିକି ୨୦୧୭ ନିର୍ବାଚନ ଅପେକ୍ଷା ଚଳିତ ଥର ଗେରୁଆ ପାର୍ଟି ଅଧିକ ଜନମତ ହାସଲ କରି ସତ୍ତାସୀନ ରହିବ ବୋଲି ଇଣ୍ଡିଆ ଟୁଡେ-ମାଇଁ ଆକ୍ସିସ ଅନୁମାନ ଲଗାଇଛି । ଉତ୍ତରପ୍ରଦେଶ ବିଧାନସବାର ୪୦୩ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨ । ଭାରତୀୟ ଜନତା ପାର୍ଟି ଖୁବ୍ ସହଜରେ ୟୁପିରେ ସରକାର ଗଠନ ପାଇଁ ଏହି ମ୍ୟାଜିକ ନମ୍ବର ହାସଲ କରିବ ବୋଲି ସମସ୍ତ ଏକଜିଟ୍ ପୋଲ ସଂସ୍ଥା ଆକଳନ କରିଛନ୍ତି ।

ଏକଜିଟ୍ ପୋଲ ଆକଳନ:

ବିଗତ କେତେକ ନିର୍ବାଚନରେ ବୁଥ୍ ବାହୁଡା ମତ ଭୁଲ୍ ପ୍ରମାଣିତ ହେବାର ଦୃଷ୍ଟାନ୍ତ ରହିଛି । ଗତବର୍ଷ ପଶ୍ଚିମବଙ୍ଗ ନିର୍ବାଚନରୁ ଏହା ସ୍ପଷ୍ଟ ଅନୁମେୟ । ପଶ୍ଚିମବଙ୍ଗରେ ଦିଦିଙ୍କୁ ଚେକ୍ ଦେଇ ବିଜେପି ସରକାର ଗଠନ କରିବ ବୋଲି ବହୁମତ ପ୍ରକାଶ ପାଇଥିଲା । ହେଲେ ଶେଷରେ ମମତା ବାନାର୍ଜୀ ନେତୃତ୍ବୀଧୀନ ତୃଣମୂଳ ସରକାର କ୍ଷମତାକୁ ଆସିଥିଲା । ସେହିପରି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ବିଧାନସଭା ନିର୍ବାଚନ ଉପରେ ଏକଜିଟ୍ ପୋଲ ଆକଳନ ଏବଂ ଫଳାଫଳ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା । ଏପରିକି ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ବିଜେପି କ୍ଲିନ୍ ସ୍ବିପ୍ କରିବ ବୋଲି କୌଣସି ଏକଜିଟ୍ ପୋଲ ସଂସ୍ଥା ଭବିଷ୍ୟତବାଣୀ ଶୁଣାଇ ନଥିଲେ ।

ବର୍ତ୍ତମାନର ଏକଜିଟ୍ ପୋଲ ପୂର୍ବାନୁମାନରେ ପୂର୍ବ ୟୁପିରେ ଅନ୍ତିମ ପର୍ଯ୍ୟାୟ ମତଦାନ ହିସାବ ଅନ୍ତର୍ଭୁକ୍ତ ହୋଇଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି । ସୋମବାର ୫୪ ଆସନ ପାଇଁ ପାଇଁ ଏଠାରେ ଭୋଟ ଗ୍ରହଣ ହୋଇଥିବାବେଳେ ସେହି ଦିନ ସନ୍ଧ୍ୟାରେ ହିଁ ବୁଥ୍ ବାହୁଡା ମତାମତ ଆସିଛି । ଶେଷ ପର୍ଯ୍ୟାୟରେ ମତଦାନ କରିଥିବା ଜିଲ୍ଲାଗୁଡିକ ଯଥା- ବାରଣାସୀ, ମିର୍ଜାପୁର, ଆଜମଗଡ, ଭଦୋହି, ଜୌନପୁର, ସୋନଭଦ୍ରାକୁ ୨୦୧୪ ପର୍ଯ୍ୟନ୍ତ ସପା, ଏବଂ ବିଏସପିର ଗଡ଼ କୁହାଯାଉଥିଲା । ଠିକ୍ ସେହି ସମୟରେ ବିଜେପି ଦୁଇ ବିରୋଧି ଦଳକୁ ଚକ୍‌ମା ଦେଇ ନିଜ ଦଖଲକୁ ନେଇଥିଲା । ୨୦୧୭ ବିଧାନସଭା ନିର୍ବାଚନ ଏବଂ ୨୦୧୯ ସଂସଦୀୟ ନିର୍ବାଚନ ବାଦ୍ ଭାଜପା ଉତ୍ତରପ୍ରଦେଶରେ ନିଜର ସ୍ଥିତି ମଜବୁତ୍ କରିଛି । ହେଲେ ପୂର୍ବ ୟୁପି ସଦାସର୍ବଦା ଏକ ଦ୍ବନ୍ଦପୂର୍ଣ୍ଣ ଅଞ୍ଚଳ ଭାବେ ରହିଆସିଛି ।

ସମାଜବାଦୀ ପାର୍ଟି ଏଟା, ଏଟୱା ଏବଂ ମୈନପୁରୀ ଆଦି ଯାଦବ ବହୁଳ ଅଞ୍ଚଳରେ ପରାଜୟ ସାମ୍ନା କରିବା ପରେ ମଧ୍ୟ ପୂର୍ବାଞ୍ଚଳରେ ୫୪ ଆସନରୁ ୧୧ ଆସନ ଜିତିବାରେ ସଫଳ ହୋଇଥିଲା । ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଖାତାକୁ ମାତ୍ର ୫ଟି ଆସନ ଯାଇଥିଲା । ସପା ନେତୃତ୍ବାଧୀନ ମେଣ୍ଟ ଚଳିତ ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟକ ଭୋଟରେ ବିଜୟ ବାନା ଉଡାଇବ ବୋଲି ଆଶା ବାନ୍ଧିଛି । ହେଲେ ଯଦି ଏକଜିଟ୍ ପୋଲ ଆକଳନ ସତ ପ୍ରମାଣିତ ହୁଏ, ସପାର ସ୍ବପ୍ନ ସ୍ବପ୍ନରେ ହିଁ ରହିଯିବ ।

ମହିଳା ଭୋଟର:

ନିର୍ବାଚନ ଆୟୋଗ ଅନୁଯାୟୀ, ଶେଷ ତିନି ରାଉଣ୍ଡରେ ମହିଳା ଭୋଟର ସଂଖ୍ୟା ପୁରୁଷଙ୍କ ସହ ସମାନ ଅଥବା ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ରହିଛି । ପଞ୍ଚମ ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ତୁଳନାରେ ୧୧ ପ୍ରତିଶତ ଅଧିକ ମହିଳା ଭୋଟର ରହିଥିଲେ । ଏହାବାଦ୍ ଷଷ୍ଠ ପର୍ଯ୍ୟାୟରେ ୩ ପ୍ରତିଶତ ଅଧିକ ମହିଳା ଭୋଟ୍ ଦେଇଥିଲେ । ଏକଜିଟ୍ ଆକଳନକୁ ବିଚାରକୁ ନେଇ ଏହି ପରିସଂଖ୍ୟାନରୁ ଏକ ଯୁକ୍ତିଯୁକ୍ତ ନିଷ୍କର୍ସରେ ପହଞ୍ଚି ହେବ ଯେ ଅଧିକାଂଶ ମହିଳା ଭୋଟର ଉତ୍ତମ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପିକୁ ସମର୍ଥନ କରିଛନ୍ତି । ମହିଳା ଭୋଟର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଅର୍ଥ ସ୍ଥାନାନ୍ତର ଏବଂ ମାଗଣା ରାସନ, ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ଭଳି ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ଖୁବ୍ ପ୍ରଭାବିତ ହୋଇଥିବାର ଦେଖାଯାଇପାରେ । ସମାଜବାଦୀ ପାର୍ଟି ବିରୁଦ୍ଧରେ ଗୁଣ୍ଡାରାଜ ରିଟର୍ଣ୍ଣ ଭଳି ବିଜେପି ନାରା ମଧ୍ୟ ମହିଳା ମତଦାତାଙ୍କୁ ପ୍ରଭାବିତ କରିଛି ବୋଲି କୁହାଯାଇପାରେ ।

୨୦୨୨ ବିଧାନସଭା ନିର୍ବାଚନରେ କିଛି ନିର୍ଦ୍ଧିଷ୍ଟ ପ୍ରସଙ୍ଗ ପାଇଁ ସତ୍ତା ବିରୋଧ ଲହରର ସାମ୍ନା କରିପାରନ୍ତି ଯୋଗୀ ସରକାର । ମୁଦ୍ରାସ୍ଫୀତି, ବେକାରୀ ଏବଂ କ୍ଷୁଦ୍ରଚାଷୀ ସମସ୍ୟା ମଧ୍ୟ ବିଜେପି ଭୋଟବ୍ୟାଙ୍କକୁ ପ୍ରଭାବିତ କରିପାରେ । କିନ୍ତୁ ଏକଜିଟ୍ ପୋଲ ପୂର୍ବାନୁମାନକୁ ଲକ୍ଷ୍ୟ କଲେ, ବିରୋଧି ସପା, କଂଗ୍ରେସ ଏବଂ ବିଏସପି ଏସବୁ ସମସ୍ୟାକୁ ମୁଦ୍ଦା କରି ଭୋଟରଙ୍କ ନିକଟତର ହେବାରେ ବିଫଳ ହୋଇଥିବାର ଜଣାପଡୁଛି ।

ଗତବର୍ଷ କୋଭିଡ ଦ୍ବିତୀୟ ଲହର ପିକ୍ ସମୟରେ ସପା ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ବିଏସପି ସୁପ୍ରିମୋ ମାୟାବତୀ କେଉଁଆଡେ ଗାଏବ ହୋଇଯାଇଥିଲେ । ଏହି ନେତାମାନେ ମଧ୍ୟ ବିଜେପିର ହିନ୍ଦୁତ୍ବ ମୁଦ୍ଦାକୁ ସିଧାସଳଖ ମୁକାବିଲା କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ, ଯେହେତୁ ସେମାନେ ଅନେକ ସମୟରେ ମନ୍ଦିର ପରିଦର୍ଶନ କରିବା ଯୋଗୁଁ କେଉଁଠି ନା କେଉଁଠି ହିନ୍ଦୁତ୍ବକୁ ପ୍ରୋତ୍ସାହିତ କରୁଥିଲେ । ତେଣୁ ଏ ତମାମ୍ ପ୍ରସଙ୍ଗ ପୁଣିଥରେ ୟୁପିରେ ବିଜେପିକୁ କ୍ଷମତାକୁ ଆଣିବାର ସଙ୍କେତ ଦେଉଛି ।

ABOUT THE AUTHOR

...view details