ଓଡିଶା

odisha

ETV Bharat / bharat

President Elections: ଯଶୱନ୍ତ ସିହ୍ନା କିଏ, କାହିଁକି ତାଙ୍କୁ ପ୍ରାର୍ଥୀ କଲେ ବିରୋଧୀ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ (Chief Minister Mamata Banerjee) ଅଧ୍ୟକ୍ଷତାରେ ବସିଥିବା ମିଳିତ ବିରୋଧୀ ଦଳ ବୈଠକରେ ଯଶୱନ୍ତ ନା ଉପରେ ମୋହର ବାଜିଛି । ବର୍ତ୍ତମାନ ଟିଏମସିରୁ ରାଜ୍ୟସଭା ସାଂସଦ ଥିବା ଯଶୱନ୍ତ ସିହ୍ନା ଆଜି ଟିଏମସିରୁ ଦେଇଛନ୍ତି ଇସ୍ତଫା । ଅଧିକ ପଢନ୍ତୁ

By

Published : Jun 21, 2022, 7:37 PM IST

PresidentElections
PresidentElections

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ (President Elections) ପାଇଁ ମିଳିତ ବିରୋଧୀ ପ୍ରାର୍ଥୀ ଘୋଷଣା । ପୂ୍ର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା(Yashwant Sinha ) ହେବେ ରାଷ୍ଟ୍ରପତି ପ୍ରାର୍ଥୀ ।

ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ (Chief Minister Mamata Banerjee) ଅଧ୍ୟକ୍ଷତାରେ ବସିଥିବା ମିଳିତ ବିରୋଧୀ ଦଳ ବୈଠକରେ ଯଶୱନ୍ତଙ୍କ ନାଁ ଉପରେ ମୋହର ବାଜିଛି । ବର୍ତ୍ତମାନ ଟିଏମସିରୁ ରାଜ୍ୟସଭା ସାଂସଦ ଥିବା ଯଶୱନ୍ତ ସିହ୍ନା ଆଜି ଟିଏମସିରୁ ଦେଇଛନ୍ତି ଇସ୍ତଫା । ସମ୍ମାନ ସୁଯୋଗ ଓ ପ୍ରତିଷ୍ଠା ଦେଇଥିବାରୁ ସେ ଏନେଇ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଥିଲେ ।

ରାଷ୍ଚ୍ରପତି ନିର୍ବାଚନ ବର୍ତ୍ତମାନ ସୁଦ୍ଧା ବିରୋଧୀଙ୍କ କାର୍ଯ୍ୟକ୍ରମ

ରାଷ୍ଚ୍ରପତି ନିର୍ବାଚନ ପ୍ରାର୍ଥୀ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ 17 ଟି ବିରୋଧୀ ଦଳଙ୍କୁ ନେଇ 15 ଜୁନରେ ବସିଥିଲା ପ୍ରଥମ ବୈଠକ । ବୈଠକରେ ପୁରୁଖା ରାଜନେତା ଶରଦ ପାୱାରଙ୍କ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା ହୋଇଥିଲା । ସେ ଅଗ୍ରାହ୍ୟ କରିବା ପରେ ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ମମତା ବାନାର୍ଜୀ । ପ୍ରସ୍ତାବ ଉପରେ ବିଚାର ପାଇଁ କିଛି ସମୟ ମାଗିଥିଲେ ଗୋପାଳ କୃଷ୍ଣ । ଗତକାଲି ପ୍ରାର୍ଥୀ ହେବାକୁ ମନା କରିବାରୁ ଆଜି ବସିଥିଲା ବିରୋଧୀଙ୍କ ଦ୍ବିତୀୟ ସମନ୍ବୟ ବୈଠକ । ଯେଉଁଥିରେ ତୃଣମୂଳ କଂଗ୍ରେସରୁ ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିବାକୁ ଟିଏମସି ଦେଇଥିବା ପ୍ରସ୍ତାବକୁ ସମସ୍ତ ବିରୋଧୀ ଦଳ ସମର୍ଥନ କରିଥିଲେ । ତେବେ ଆପ, ବିଜେଡି, ଟିଆରଏସ, ୱାଇଏସଆର କଂଗ୍ରେସ ଏହି ବୈଠକରେ ଅନୁପସ୍ଥିତ ଥିଲେ ।

ଯଶୱନ୍ତଙ୍କୁ କାହିଁକି ପ୍ରାର୍ଥୀ କଲେ ବିରୋଧୀ?

ପ୍ରଥମତଃ କେନ୍ଦ୍ରରେ ଶାସିତ ବିଜେପି ନେତୃତ୍ବାଧୀନ ଏନଡିଏ ବିରୋଧରେ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ପାଇଁ ବିରୋଧୀଙ୍କ ପାଖେ ଆଉ କୌଣସି ବିକଳ୍ପ ନଥିଲା ଶରତ ପାୱାର, ଫାରୁଖ ଅବଦ୍ଦୁଲ୍ଲା, ଗୋପାଳ କୃଷ୍ଣ ଗାନ୍ଧୀ ଓ ଏଚଡି ଦେବଗୌଡା ପ୍ରାର୍ଥୀ ହେବାକୁ ମନା କରିବାରୁ, ଜଣେ ଉପଯୁକ୍ତ ପ୍ରାର୍ଥୀ ପାଇଁ ବିରୋଧୀଙ୍କ ପାଖେ ଅନ୍ୟ କୌଣସି ବିକଳ୍ପ ନଥିଲା । ଯଦି ଯଥା ସମ୍ଭବ କୌଣସି ପ୍ରାର୍ଥୀ ଘୋଷଣା ନକଲେ ବିରୋଧୀଙ୍କୁ ଏକାଠି ରଖିବା ସମ୍ଭବ ନଥିଲା । ଯାହା ଶାସକ ଏନଡିଏ ପାଇଁ ଲାଭଦାୟକ ହୋଇଥାନ୍ତା । ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ସିହ୍ନା ପ୍ରସ୍ତୁତ ଥିବାରୁ ତାଙ୍କ ନାଁକୁ ବିରୋଧୀ ଘୋଷଣା କରିଛନ୍ତି ।

ଜେଡିୟୁ ସମର୍ଥନ ଆଶା

ଆଉ ଏକ ରଣନୀତି ଅନୁସାରେ ଯଦି ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଏ ତେବେ ଏନଡିଏରେ ଥିବା ନୀତିଶ କୁମାରଙ୍କ ଜେଡିୟୁ ମଧ୍ୟ ସମର୍ଥନ ଦେବ । କାରଣ ଯଶୱନ୍ତ ବିହାରର ମୂଳ ବାସିନ୍ଦା । ତେଣୁ ନୀତିଶ କୁମାର ସମର୍ଥନ କରିପାରନ୍ତି । ଯାହା ପୂର୍ବରୁ ମଧ୍ୟ ନୀତିଶ କରି ଦେଖାଇଛନ୍ତି ।

ଅନ୍ୟ ଦଳର ସମର୍ଥନ ହାସଲ ଉଦ୍ଦେଶ୍ୟ

ବର୍ତ୍ତମାନ ମଧ୍ୟ ଦେଶର କିଛି ଆଞ୍ଚଳିକ ଦଳ ଅଛନ୍ତି ଯେଉଁମାନେ ନା ୟୁପିଏରେ ଅଛନ୍ତି, ନା ଏନଡିଏରେ ଅଛନ୍ତି । ଯେଉଁ ମାନଙ୍କ ମଧ୍ୟରେ ରହିଛନ୍ତି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ(ବିଜେଡି), କେ ଚନ୍ଦ୍ର ଶେଖର ରାଓଙ୍କ ନେତୃତ୍ବାଧୀନ ତେଲେଙ୍ଗାନା ରାଷ୍ଚ୍ର ସମିତି ଓ ଜଗମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ଓ ଅରବିନ୍ଦ କେଜ୍ରିୱାଲଙ୍କ ଆପ । ଏହି 4 ଦଳ ରାଷ୍ଟ୍ରପତି ନିର୍ବାଚନରେ ବଡ ଭୂମିକା ନେଇପାରନ୍ତି । ଏପରି ସ୍ଥଳେ ଯଶୱନ୍ତ ସିହ୍ନା ହେଉଛନ୍ତି ମୂଳ ବିଜେପି ନେତା । ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଫଳରେ ତାଙ୍କର ଉତ୍ତମ ସମ୍ପର୍କ ଏହି ଦଳ ଗୁଡିକ ସହ ମଧ୍ୟ ରହିଛି । ଯଶୱନ୍ତ ମଧ୍ୟ ଏହି ଦଳ ମାନଙ୍କର ସମର୍ଥନ ହାସଲ କରିବା ପାଇଁ କ୍ଷମତା ରଖୁଛନ୍ତି । ଯାହା ବିରୋଧୀଙ୍କୁ ସାହାଯ୍ୟ କରିପାରେ । ତେବେ ଏହି 4 ଦଳ କାହାକୁ ସମର୍ଥନ କରିବେ ତାହା ଆକଳନ କରିବା ଅସମ୍ଭବ ।

କିଏଯଶୱନ୍ତ ସିହ୍ନା...

6 ନଭେମ୍ବର 1937ରେ ବିହାରର ପାଟନାରେ ଯଶୱନ୍ତ ସିହ୍ନାଙ୍କ ଜନ୍ମ । ରାଜନୀତି ଶାସ୍ତ୍ରରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଯଶୱନ୍ତ, 1960 ରେ ଭାରତୀୟ ପ୍ରଶାସନକି ସେବା(IAS) ପାଇଥିଲେ । ଏହାସହ ବ୍ୟୁରୋକାଟ ଭାବେ ଯଶୱନ୍ତ 24 ବର୍ଷ କାର୍ଯ୍ୟ କରିଥିଲେ । ଏହି 24 ବର୍ଷ ମଧ୍ୟରେ ଯଶୱନ୍ତ ବାଣିଜ୍ୟ ମନ୍ତ୍ରଣାଳୟର ଉପସଚିବ ଭାବେ ମଧ୍ୟ କାମ କରିଛନ୍ତି । ଏତଦବ୍ୟତୀତ ଜର୍ମାନୀରେ ପ୍ରଥମ ବାଣିଜ୍ୟ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଳାଇଛନ୍ତି । 1973 ରୁ 1975 ପର୍ଯ୍ୟନ୍ତ ଯଶୱନ୍ତ ଭାରତର କନସୁଲାଣ୍ଟ ଜେନେରାଲ ମଧ୍ୟ ଥିଲେ ।

ରାଜନୀତି ଜୀବନ...

ବର୍ଷ 1984ରେ ଯଶୱନ୍ତ ସିହ୍ନା ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇ ସେତେବେଳର ଜନତା ପାର୍ଟିରେ ସାମିଲ ହୋଇଥିଲେ । ଏହି ଠାରୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । 1986ରେ ଯଶୱନ୍ତଙ୍କୁ ଦଳ ମହାସଚିବ କରିଥିବା ବେଳେ, 1988 ରେ ପ୍ରଥମ ଥର ରାଜ୍ୟସଭା ସାଂସଦ ହୋଇଥିଲେ । 1990 ରୁ 1991 ପର୍ଯ୍ୟନ୍ତ ଚନ୍ଦ୍ରଶେଖର ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ ଯଶୱନ୍ତ।

1996ରେ ଭାରତୀୟ ଜନତା ପାର୍ଟି(ବିଜେପି) ର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତି ପାଇଥିଲେ ଯଶୱନ୍ତ । 1998ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ବ ଦେଇଥିଲେ । ପରେ ତାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ଦେଇଥିଲେ ବାଜପେୟୀ । 2004 ରେ ଲୋକସଭା ନିର୍ବାଚନରେ ପରାସ୍ତ ହେବା ପରେ, ଦଳ ତାଙ୍କୁ ପୁଣି ଥରେ 2005ରେ ରାଜ୍ୟସଭା ପଠାଇଥିଲା । ହେଲେ ବର୍ଷ 2009 ରେ ଯଶୱନ୍ତ ବିଜେପିରୁ ଇସ୍ତଫା ଦେଇଥିଲେ । ସେହି ଦିନ ଠାରୁ ଯଶୱନ୍ତ ବିଜେପି ବିରୋଧରେ ନିଜ ସ୍ବରକୁ ତୀବ୍ର କରୁଥିଲେ । ଗତବର୍ଷ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ସାମିଲ ହୋଇ ରାଜ୍ୟସଭା ଯାଇଥିଲେ । ଆଜି ଟିଏମସି ଦଳରୁ ଇସ୍ତଫା ଦେଇ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ।

ABOUT THE AUTHOR

...view details