ଓଡିଶା

odisha

ETV Bharat / bharat

କାହିଁକି କୁମ୍ଭ ମେଳା ବନ୍ଦ ହେଉନାହିଁ ?

କୋରୋନା ମହାମାରୀ ଯୋଗୁଁ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି କୁମ୍ଭ ମେଳାକୁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ବନ୍ଦ ଘୋଷଣା କରିଦେବାର ସମ୍ଭାବନା ରହିଛି । ଯଦି ଏହା ଘଟେ ତେବେ ପ୍ରତି 12 ବର୍ଷରେ ଆୟୋଜିତ କୁମ୍ଭ ମେଳା ଇତିହାସରେ ଏହା ହେବ ପ୍ରଥମ ଘଟଣା । କୋରୋନା ସ୍ଥିତିକୁ ଦେଖି ପୂର୍ବରୁ ହିଁ କୁମ୍ଭ ମେଳାକୁ ପାଞ୍ଚ ମାସ ପରିବର୍ତ୍ତେ ଗୋଟିଏ ମାସକୁ କମାଇ ଦିଆଯାଇଛି, ଏହା ବି କୁମ୍ଭ ମେଳା ଇତିହାସରେ ପ୍ରଥମ ଥର ପାଇଁ ଘଟିଛି ।

କାହିଁକି କୁମ୍ଭ ମେଳା ବନ୍ଦ ହେଉନାହିଁ ?
କାହିଁକି କୁମ୍ଭ ମେଳା ବନ୍ଦ ହେଉନାହିଁ ?

By

Published : Apr 17, 2021, 1:50 PM IST

ହରିଦ୍ବାର: ପ୍ରତି 12 ବର୍ଷରେ ଥରେ ପଡୁଥିବା କୁମ୍ଭମେଳା 83 ବର୍ଷ ବ୍ୟବଧାନରେ ଏଥର 11 ବର୍ଷ ପରେ ପଡିଛି । ଏବେ ଚାଲିଥିବା ଏହି କୁମ୍ଭ ମେଳା ହୁଏତ ଧାର୍ଯ୍ୟ ଦିନଠାରୁ ଆଗୁଆ ବନ୍ଦ ହୋଇଯାଇପାରେ । ଅବଶ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ କହିଛନ୍ତି ଯେ, କୁମ୍ଭ ମେଳା ଏପ୍ରିଲ 30 ତାରିଖ ଯାଏଁ ଚାଲିବ । ହେଲେ ବର୍ତ୍ତମାନର କୋରୋନା ମହାମାରୀ ଯୋଗୁଁ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି କୁମ୍ଭ ମେଳାକୁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ବନ୍ଦ ଘୋଷଣା କରିଦେବାର ସମ୍ଭାବନା ରହିଛି । ଯଦି ଏହା ଘଟେ ତେବେ ପ୍ରତି 12 ବର୍ଷରେ ଆୟୋଜିତ କୁମ୍ଭ ମେଳା ଇତିହାସରେ ଏହା ହେବ ପ୍ରଥମ ଘଟଣା । କୋରୋନା ସ୍ଥିତିକୁ ଦେଖି ପୂର୍ବରୁ ହିଁ କୁମ୍ଭ ମେଳାକୁ ପାଞ୍ଚ ମାସ ପରିବର୍ତ୍ତେ ଗୋଟିଏ ମାସକୁ କମାଇ ଦିଆଯାଇଛି, ଏହା ବି କୁମ୍ଭ ମେଳା ଇତିହାସରେ ପ୍ରଥମ ଥର ପାଇଁ ଘଟିଛି ।

କୁମ୍ଭ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ କି ?

ବର୍ତ୍ତମାନ ରାଜ୍ୟରେ କୋରୋନା ସ୍ଥିତି ଦୃଷ୍ଟିରୁ କୁମ୍ଭ ମେଳା ଜାରି ରଖିବା ନେଇ ରାଜ୍ୟ ସରକାର ଯେ କୌଣସି ମୁହୂର୍ତ୍ତରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । କୋରୋନା ଉତ୍ତରାଖଣ୍ଡରେ ନାହିଁ ନଥିବା ଭାବେ ସଂକ୍ରମିତ ହେବାରେ ଲାଗିଛି । କୁମ୍ଭ ମେଳା କାରଣରୁ କୋରୋନା ସ୍ଥିତି ଆହୁରି ଅଧିକ ଖରାପ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଗତ ତିନି ଦିନରେ ଉତ୍ତରାଖଣ୍ଡରେ କୋଭିଡ୍-19ରେ 1900ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଗତ ପାଞ୍ଚ ଦିନରେ ଉତ୍ତରାଖଣ୍ଡରେ 8765 ଜଣ ଲୋକ କୋରୋନା ଜୀବାଣୁରେ ସଂକ୍ରମିତ ହୋଇଥିବା ବେଳେ ସଂକ୍ରମିତ 50 ଜଣଙ୍କର ମୃତ୍ୟୁ ଘଟିଛି ।

ଉତ୍ତରାଖଣ୍ଡରେ ଗତ 5 ଦିନରେ କୋରୋନା ସ୍ଥିତି

⦁ 11ଏପ୍ରିଲ-ପଜିଟିଭ୍ କେସ୍ -1333, ମୃତ୍ୟୁ-8

⦁ 12 ଏପ୍ରିଲ-ପଜିଟିଭ କେସ୍-1334, ମୃତ୍ୟୁ-7

⦁ 13 ଏପ୍ରିଲ-ପଜିଟିଭ କେସ୍ – 1925, ମୃତ୍ୟୁ-13

⦁ 14 ଏପ୍ରିଲ-ପଜିଟିଭ କେସ୍-1953, ମୃତ୍ୟୁ-13

⦁ 15 ଏପ୍ରିଲ-ପଜିଟିଭ କେସ୍-2220, ମୃତ୍ୟୁ-9

ସାଧୁସନ୍ଥଙ୍କ ମଧ୍ୟରେ ଜୋରରେ ବ୍ୟାପୁଛି କୋରୋନା

ଯଦି ଆମେ କୁମ୍ଭ ନଗରୀ ହରିଦ୍ବାର କଥା ଆଲୋଚନା କରିବା, ଗତ ପାଞ୍ଚ ଦିନ ଭିତରେ ଏଠାରୁ କେବଳ 2526 କୋରୋନା ମାମଲା ଚିହ୍ନଟ ହୋଇଛି। ପାରମ୍ପରିକ ସାହି ସ୍ନାନ ପରେ ଏହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଥିବା କହିଲେ କିଛି ଭୁଲ୍ ହେବନାହିଁ । ନିରଞ୍ଜନୀ ଆଖଡାର ସମ୍ପାଦକ ମହନ୍ତ ରବୀନ୍ଦ୍ର ପୁରୀଙ୍କ ସମେତ ବିଭିନ୍ନ ଆଖଡାର 17 ଜଣ ସନ୍ଥ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରିବା ପରେ ଏହା ଜଣାପଡିଛି । ଏହି ସମୟରେ ଆଖଡ଼ା ପରିଷଦରର ସଭାପତି ଥିବା ମହନ୍ତ ନରେନ୍ଦ୍ର ଗିରି ସେହି ଅଞ୍ଚଳରେ ଚଳପ୍ରଚଳ କରିଥିବାରୁ ଏପ୍ରିଲ 11 ତାରିଖଠାରୁ ଅସୁସ୍ଥ ଅଛନ୍ତି, ତାଙ୍କୁ ଏବେ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏମାନଙ୍କ ସମେତ ବିଭିନ୍ନ ଆଖଡ଼ା ସହିତ ସମ୍ପୃକ୍ତ ଅନେକ ସାଧୁସନ୍ଥ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହା କହିବା ଜରୁରୀ, ଏ ଯାଏଁ 60ରୁ ଅଧିକ ସାଧୁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆହୁରି ଅନେକ ସାଧୁ ଓ ଭକ୍ତ ମଧ୍ୟ ଅସୁସ୍ଥ ଅଛନ୍ତି । ହରିଦ୍ବାର ମୁଖ୍ୟ ଚିକିତ୍ସା ଅଧିକାରୀ ଅର୍ଜୁନ ସିଂ ସେନଗାର ଏହା ପ୍ରକାଶ କରିଛନ୍ତି ।

ଅନେକ ସାଧୁ କୋରୋନାର ସଂକ୍ରମିତ

⦁ 16 ଏପ୍ରିଲ: ନିରଞ୍ଜନୀ ଆଖଡାର ସମ୍ପାଦକ ରବୀନ୍ଦ୍ର ପୁରୀଙ୍କ ସମେତ 17 ଜଣ ସାଧୁ ସଂକ୍ରମିତ ।

⦁ 15 ଏପ୍ରିଲ:28,525 ଟେଷ୍ଟ ରିପୋର୍ଟ ମଧ୍ୟରୁ 9 ଜଣ ସାଧୁ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରେ ଜୁନା ଆଖଡାରୁ 4 ଜଣ, ଅହୱାନ ଆଖଡାରୁ 2 ଏବଂ ନିରଞ୍ଜନୀ ଆଖଡାରୁ 3 ଜଣ ।

⦁ 14 ଏପ୍ରିଲ: କୋରୋନା ସଂକ୍ରମଣ ସମ୍ଭାବନା ଥିବାରୁ 31,308 ଜଣଙ୍କର ପରୀକ୍ଷା କରାଗଲା । ଜୁନା ଆଖଡାର 4 ଜଣ ସାଧୁ, ଅଗ୍ନି, ମହାନିର୍ବାଣୀ, ଦିଗମ୍ବର ଏବଂ ଅନି ଆଖଡାରୁ ଜଣେ ଲେଖାଏଁ ଏବଂ ଆନନ୍ଦ ଆଖଡ଼ାରୁ ଜଣେ କୋରୋନା ପଜିଟିଭ୍ ଚିହ୍ନଟ । ଏହାସହିତ ମୃତ୍ୟୁ ଘଟିଥିବା ମହାମଣ୍ଡଳେଶ୍ବର କପିଳ ଦେବଙ୍କ ବୈରାଗୀ ଆଶ୍ରମରେ ଏକାଠି ହୋଇଥିବା ତିନି ଜଣ ସାଧୁ ମଧ୍ୟ ପଜିଟିଭ୍ ଚିହ୍ନଟ ।

⦁ 13 ଏପ୍ରିଲ: ମୋଟ ଉପରେ 29,825 ପରୀକ୍ଷା ମଧ୍ୟରୁ ଜୁନା ଆଖଡାରୁ ପାଞ୍ଚ ଜଣ ସାଧୁ ଏବଂ ନିରଞ୍ଜନୀ ଆଖଡାରୁ ତିନି ଜଣ ସାଧୁ ପଜିଟିଭ ଚିହ୍ନଟ ।

⦁ 12 ଏପ୍ରିଲ: ହୋଇଥିବା 26,694 ପରୀକ୍ଷା ମଧ୍ୟରୁ ଛଅ ଜଣ ସାଧୁ ପଜିଟିଭ୍ ଚିହ୍ନଟ ।

⦁ 11 ଏପ୍ରିଲ: ପରୀକ୍ଷା ହୋଇଥିବା 23.394 ମଧ୍ୟରୁ ଜୁନା ଆଖଡାର ଦୁଇ ଜଣ ସାଧୁ ଏବଂ ନିରଞ୍ଜନୀ ଆଖଡାର ଜଣେ ସାଧୁ କୋଭିଡ-19 ପଜିଟିଭ ଚିହ୍ନଟ ।

⦁ 3 ଏପ୍ରିଲ: କୃଷ୍ଣ ଧାମର ସାତ ଜଣ ସାଧୁ କୋରୋନା ପଜିଟିଭ୍ ଚିହ୍ନଟ ।

ମହାମଣ୍ଡେଳେଶ୍ବରଙ୍କ ମୃତ୍ୟୁ ପରେ ଭୟଭୀତ ସାଧୁସନ୍ଥ

ଅଖିଳ ଭାରତ ଶ୍ରୀ ପଞ୍ଚ ନିର୍ବାଣୀ ଆଖଡାର ମହାମଣ୍ଡେଳେଶ୍ବର କପିଳ ଦେବ ଦାସ(65)ଙ୍କର ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ପରେ ହରିଦ୍ବାରର ସାଧୁସନ୍ଥଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି । ମହାମଣ୍ଡେଳେଶ୍ବର ଦାସ କୋଭିଡ-19ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ବୟୋବୃଦ୍ଧ ମହାମଣ୍ଡେଳେଶ୍ବର କପିଳ ଦେବ ଦାସଙ୍କ ମୃତ୍ୟୁ ପରେ ବୈରାଗୀ ସନ୍ଥ ସମାଜ ସମେତ ପୂରା ସାଧୁ ସମାଜରେ ଭୟ ପ୍ରକାଶ ପାଇଛି । ଏହି ଘଟଣା ପରେ ପରେ ପଞ୍ଚବତୀ ଆଖଡାର ଶ୍ରୀ ନିରଞ୍ଜନୀ ଏବଂ ଆନନ୍ଦ ଆଖଡାରେ ଥିବା ତାଙ୍କର ସହଯୋଗୀମାନେ ଏପ୍ରିଲ 17ରୁ କୁମ୍ଭ ମେଳା ବନ୍ଦ ଘୋଷଣା କରିଦେଇଛନ୍ତି। ନିରଞ୍ଜନୀ ଆଖଡାର ସାଧୁସନ୍ଥଙ୍କ ପାଇଁ ହୋଇଥିବା ଅସ୍ଥାୟୀ ବ୍ୟବସ୍ଥା ଏପ୍ରିଲ 17ରୁ ହଟାଇ ଦିଆଯିବ ।

ନିରଞ୍ଜନ ଆଖଡାର ମହାମଣ୍ଡଳେଶ୍ବର କୈଳାସନନ୍ଦ ଗିରି କହନ୍ତି:

“କୋରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅତି ଜରୁରୀ । କୁମ୍ଭ ମେଳା ବି ବହୁତ ବଡ଼ ଆକାରରେ ଚାଲିଛି । କୁମ୍ଭର ମହାନତା ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଏହି ଦୃଷ୍ଟିରୁ ନିରଞ୍ଜନ ଏବଂ ଆନନ୍ଦ ଆଖଡାର ମହାମଣ୍ଡେଳେଶ୍ବର ଏବଂ ମହନ୍ତମାନେ ଏପ୍ରିଲ 17ରୁ ସେମାନଙ୍କ ଶିବିର ହଟାଇ ନେବାକୁ ସ୍ଥିର କରିଛନ୍ତି । ଏପ୍ରିଲ 17 ପରେ ସେମାନଙ୍କ ଆଖଡାରେ କୌଣସି ପ୍ରକାର ବଡ଼ ଉତ୍ସବ ଅନୁଷ୍ଠିତ ହେବନାହିଁ । ବାହାରୁ ଆସୁଥିବା ସାଧୁମାନେ ଫେରିଯିବେ । ହରିଦ୍ବାରର ସାଧୁମାନେ ସେମାନଙ୍କ ନିଜ ନିଜ ଆଖଡାକୁ ଫେରିଯିବେ । କୋରୋନା ମହାମାରୀ କାରଣରୁ ସ୍ଥିତି ଆଦୌ ଅନୁକୂଳ ନୁହେଁ ବୋଲି ସେମାନେ କହିଛନ୍ତି । ଏଥିପାଇଁ ସେମାନଙ୍କ ଦ୍ବାରା ଏପରି ନିଷ୍ପତ୍ତି ନିଆଗଲା ।”

ନିରଞ୍ଜନ ଆଖଡାର ସମ୍ପାଦକ ମହନ୍ତ ରବୀନ୍ଦ୍ର ପୁରୀ କହନ୍ତି:

“ କୋରୋନାଭାଇରସର ପ୍ରକୋପ ହରିଦ୍ବାରରେ କମିବା ନାଁ ନେଉନଥିବାରୁ କୁମ୍ଭ ଶେଷ କରିଦେବା ପାଇଁ ନିରଞ୍ଜନ ଆଖଡା ନିଷ୍ପତ୍ତି ନେଇଛି । ମାମଲା ସଂଖ୍ୟା ଅନବରତ ବଢିଚାଲିଛି । ଫଳରେ ଆମେ ସ୍ଥିର କରିଛୁ ଯେ, ପରମ୍ପରା ରକ୍ଷା ପାଇଁ ଆଖଡାରୁ କେବଳ ମାତ୍ର 15ରୁ 20 ଜଣ ସାଧୁ ଏପ୍ରିଲ 27ରୁ ପବିତ୍ର ସ୍ନାନ କରିବେ । ସମସ୍ତ ସାଧୁ ଓ ଭକ୍ତଙ୍କୁ ହରିଦ୍ବାର ଛାଡ଼ି ସେମାନଙ୍କର ନିଜ ନିଜ ସ୍ଥାନକୁ ଫେରିଯିବାକୁ ଅନୁରୋଧ କରଯାଇଛି । ସମସ୍ତଙ୍କର ସୁରକ୍ଷା ପାଇଁ ଏହା ଜରୁରୀ । ``

କୁମ୍ଭ ସାରିବା ନେଇ ଆଖଡ଼ା ମଧ୍ୟରେ ମତଭେଦ

ଅନ୍ୟପକ୍ଷରେ, ନିରଞ୍ଜନ ଆଖଡ଼ା ତରଫରୁ କୁମ୍ଭ ବନ୍ଦ କରିବା ଘୋଷଣାରେ ବୈରାଗୀ ସାଧୁମାନେ ଖୁସୀ ନୁହଁନ୍ତି । ନିରଞ୍ଜନ ଏବଂ ଆନନ୍ଦ ଆଖଡ଼ାର ସାଧୁମାନେ କ୍ଷମା ମାଗନ୍ତୁ ବୋଲି ନିର୍ବାଣୀ ଏବଂ ଦିଗମ୍ବର ଆଖଡା ପକ୍ଷରୁ ଦାବି କରାଯାଇଛି । ସେମାନେ କହିଛନ୍ତି ଯେ, କେବଳ ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ମେଳା ପ୍ରଶାସନ ହିଁ ମେଳା ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇପାରିବେ । ଏପରି ପରିସ୍ଥିତିରେ ମେଳା ବନ୍ଦ ଘୋଷଣା କରିଥିବା ସାଧୁମାନେ ଯଦି ଏଥିପାଇଁ କ୍ଷମା ନମାଗନ୍ତି ତେବେ ସେମାନେ ଆଖଡ଼ା ପରିଷଦରେ ରହିପାରିବେ ନାହିଁ। ସେମାନେ ମେଳା ଜାରି ରଖିବେ ଏବଂ ଏପ୍ରିଲ 27ରେ ବୈରାଗୀ ସାଧୁମାନେ ସାହି ସ୍ନାନରେ ଭାଗ ନେବେ ।

ଇତିମଧ୍ୟରେ,ବଡ ଉଦାସୀନ ଆଖଡ଼ା ଏପରି ଭାବେ କୁମ୍ଭ ମେଳା ଆୟୋଜନ କରିବା ସପକ୍ଷରେ ନୁହେଁ ବୋଲି କହିଛି। ସମସ୍ତ ଆଖଡା ମଧ୍ୟରେ ସହମତି ପ୍ରକାଶ ପାଇବା ଆବଶ୍ୟକ ବୋଲି ସେମାନେ କହିଛନ୍ତି । ଆଖଡାର ମହନ୍ତ ମହେଶ୍ବର ଦାସ କହିଛନ୍ତି ଯେ, କାହାରି କୌଣସି ପରାମର୍ଶ ନନେଇ ଏପରି ନିଷ୍ପତ୍ତି ନେବା ଠିକ୍ ନୁହେଁ ।

କୁମ୍ଭ ଶେଷ ହେବା ନେଇ ଘୋଷଣାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବରୁପାନନ୍ଦ ସରସ୍ବତୀ ମଧ୍ୟ ବିରୋଧ କରିଛନ୍ତି । ଇଟିଭି ଭାରତ ସହିତ କଥାବାର୍ତ୍ତା ବେଳେ ସ୍ବରୁପାନନ୍ଦ ସରସ୍ବତୀଙ୍କ ଜଣେ ଶିଷ୍ୟ ଅଭିମୁକ୍ତେଶ୍ବରାନନ୍ଦ କହିଛନ୍ତି :

“ କୁମ୍ଭ ମେଳା କୌଣସି ବ୍ୟକ୍ତିବିଶେଷ ସହ ସମ୍ପୃକ୍ତ ନୁହେଁ, ଏହା ସମସ୍ତଙ୍କର । କେହି କାହାରି ନିଷ୍ପତ୍ତିକୁ ସମସ୍ତଙ୍କ ଉପରେ ଲଦି ଦେବା ଅଧିକାର କାହାରି ନାହିଁ । କୁମ୍ଭର ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି, ଯାହା ପୂରଣ କରାଯିବା ଉଚିତ୍ । ଗ୍ରହ ଚଳଣି ଅନୁଯାୟୀ କୁମ୍ଭ ମେଳା ଆରମ୍ଭ ଏବଂ ଶେଷ ହୋଇଥାଏ । କୁମ୍ଭ ମେଳା ଶେଷ ହେବା ଯାଏଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବରୁପାନନ୍ଦ ସରସ୍ବତୀ ହରିଦ୍ବାରରେ ରହିବେ । କୋରୋନା ମାମଲା ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ସେ ତାଙ୍କର କିଛି ବଡ଼ ବଡ଼ କାର୍ଯ୍ୟକ୍ରମ ବାତିଲ କରିଛନ୍ତି । ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଯଜ୍ଞ ଶିବିରରେ ଜାରି ରହିବ।”

ଏଥିସହିତ ଶ୍ରୀ ନିରଞ୍ଜନୀ ଏବଂ ଆନନ୍ଦ ଆଖଡା ଉପରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇ ଅଭିମୁକ୍ତେଶ୍ବରାନନ୍ଦ କହିଛନ୍ତି:

“କୋରୋନା ଭାଇରସ ସାରା ଦେଶରେ ଦେଖାଦେଇଛି । ଯଦି ସାଧୁସନ୍ଥମାନେ ହରିଦ୍ବାର ଛାଡ଼ି ଚାଲିଯିବେ ତେବେ ଅନ୍ୟତ୍ର ସେମାନେ କୋରୋନା ଭାଇରସ କଣ୍ଟ୍ରାକ୍ଟରେ ଆସିବେ ନାହିଁ କି? କରୋନା ସଂକ୍ରମଣ ଏଡାଇବାକୁ ହେଲେ ଗୋଟିଏ ସ୍ଥାନରେ ରହି ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସରଣ କରିବା ଭଲ ହେବ ।”

ଇତିମଧ୍ୟରେ, ଜୁନା ଆଖଡା କୁମ୍ଭ ମେଳା ବନ୍ଦ କରିବା ନେଇ କୌଣସି ନିଷ୍ପତ୍ତି ନେଇନାହିଁ । ଜୁନା ଆଖଡାର ସାଧୁସନ୍ଥ ସେମାନଙ୍କର କୋରୋନା ରିପୋର୍ଟ ଅପେକ୍ଷାରେ ଅଛନ୍ତି । ରିପୋର୍ଟ ମିଳିବା ପରେ ସେମାନେ ଏକ ବୈଠକ ଡାକି କୁମ୍ଭ ମେଳା ଜାରି ରଖିବେ କି ନାହିଁ ତାହା ସ୍ଥିର କରିବେ ।

ହରିଦ୍ବାରରେ ବିଗତ 5 ଦିନର ରିପୋର୍ଟ

⦁ 11 ଏପ୍ରିଲ: ପଜିଟିଭ କେସ୍- 386, ମୃତ୍ୟୁ – 0

⦁ 12 ଏପ୍ରିଲ: ପଜିଟିଭ କେସ୍- 408, ମୃତ୍ୟୁ - 2

⦁ 13 ଏପ୍ରିଲ: ପଜିଟିଭ କେସ୍: 594,ମୃତ୍ୟୁ – 1

⦁ 14 ଏପ୍ରିଲ: ପଜିଟିଭ କେସ୍: 525- ମୃ୍ତ୍ୟୁ – 2

⦁ 15 ଏପ୍ରିଲ: ପଜିଟିଭ କେସ୍: 613, ମୃତ୍ୟୁ- 1

ଆରମ୍ଭରୁ ହିଁ ନିବେଦନ କରାଯାଇଥିଲା

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମେଳା ଆରମ୍ଭରୁ ହିଁ ଏହାକୁ ବାତିଲ କରିଦେବାକୁ ନିବେଦନ କରିଥିଲେ, କିନ୍ତୁ ସରକାର ଆଶ୍ବାସନା ଦେଇଥିଲେ କି ପ୍ରତ୍ୟେକ କୋଭିଡ-19 ଗାଇଡଲାଇନ୍ ପାଳନ କରାଯିବ ଏବଂ ଅନ୍ୟମାନଙ୍କୁ ଏହା ମାନିବାକୁ କୁହାଯିବ । କିନ୍ତୁ କୁମ୍ଭ ମେଳା ଆଇଜି ସଞ୍ଜୟ ଗୁଞ୍ଜ୍ୟାଲ ସାହି ସ୍ନାନ ସମ୍ପର୍କରେ ଯେତେବେଳେ ଏହା କହିଲେ, ସେତେବେଳେ ସତ କଥା ପଦାକୁ ଆସିଲା:

“ କୋରୋନା ଜୀବାଣୁ ସଂକ୍ରମଣ ରୋକିବାକୁ ସ୍ଥିର ହୋଇଥିବା ନିୟମ ପାଳନ କରିବାକୁ ଆମେ ନିୟମିତ ଭାବେ ଲୋକଙ୍କୁ ଅନୁରୋଧ କରି ଆସୁଛୁ । କିନ୍ତୁ ଏହା ଏତେ ଜନଗହଳି ଥିଲା ଯାହା ଫଳରେ ନିୟମ ମାନୁନଥିବା ଲୋକଙ୍କ ବିରୁଦ୍ଧରେ ଚାଲାଣ କାଟିବା ଅସମ୍ଭବ ଥିଲା । ଘାଟଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରିବା ନିୟମ ପାଳନ କରିବାକୁ ଯଦି ପୋଲିସ ଲୋକଙ୍କୁ ବାଧ୍ୟ କରିଥାନ୍ତା କିମ୍ବା ଆପଣ ଯଦି ବାଧ୍ୟ କରିଥାନ୍ତେ ତେବେ ଏଠାରେ ଦଳାଚକଟା ଭଳି ପରିସ୍ଥିତ ସୃଷ୍ଟି ହୋଇଥାନ୍ତା ।”

କୁମ୍ଭ ମେଳା ପୂର୍ବରୁ ସରକାର କହିଥିଲେ ଯେ, ଯେଉଁମାନଙ୍କର କୋଭିଡ-19 ରିପୋର୍ଟ ନେଗେଟିଭ ଥିବ ସେମାନେ ହିଁ କେବଳ ମେଳାରେ ଯୋଗ ଦେଇପାରିବେ । ମେଳାକୁ ଆସିବା ପରେ ସମସ୍ତ ଗାଇଡଲାଇନ ପାଳନ କରାଯିବ । କିନ୍ତୁ ଅନେକ ଲୋକ ଏବଂ ଜଣାଶୁଣା ସାଧୁସନ୍ଥ କୋରୋନା ଭାଇରସ୍ ସହିତ ମେଳାକୁ ଆସିଥିଲେ । ଫଳରେ କୋରୋନା ଭାଇରସ ଦ୍ରୁତ ବେଗରେ ସଂକ୍ରମିତ ହୋଇଥିଲା । ଭକ୍ତମାନେ ତୀର୍ଥଯାତ୍ରା ସାରି ନିଜ ନିଜ ଗାଁ ଓ ସହରକୁ ଫେରିବା ପରେ ସେଠାରେ ମଧ୍ୟ ଜୀବାଣୁ ସଂକ୍ରମିତ ହେବାର ସମ୍ଭାବନା ରହିଛି ।

ପାଣିରେ କୋରୋନା ସଂକ୍ରମଣ ଅଧିକ ବେଗରେ ହେବା ସମ୍ଭାବନା

ବେଜ୍ଞାନିକ ଓ ବିଶେଷଜ୍ଞଙ୍କ ମତରେ ପାଣି ଓ ଆଦ୍ରତା ମାଧ୍ୟମରେ କୋରୋନା ଭାଇରସ ସଂକ୍ରମଣ ହେବାର ସମ୍ଭାବନା ଅଧିକ, କାରଣ ଜୀବାଣୁ ଓଦାଳିଆ ଅବସ୍ଥାରେ ଅଧିକ ସମୟ ପାଇଁ ସଚଳ ରହିଥାଏ ।

“ କୁମ୍ଭ ମେଳ କୋଭିଡ-19 ବିପଦକୁ ବହୁଗୁଣରେ ବଢାଇଦେଇଛି । ପାଣି ଏବଂ ଓଦାଳିଆ ମାଟିରେ ଭାଇରସ ଅଧିକ ସମୟ ପାଇଁ ସଚଳ ହୋଇ ରହିଥାଏ । ସମତଳ ଭୂପୃଷ୍ଠର ତାପମାତ୍ରା ଓ ଆଦ୍ରତା ଉପରେ ଭାଇରସର ସଂକ୍ରମଣ ନିର୍ଭର କରିଥାଏ । ତାପମାତ୍ରା 58ରୁ 60 ଡିଗ୍ରି ମଧ୍ୟରେ କୋରୋନା ଭାଇରସ ନଷ୍ଟ ହୋଇଥାଏ । ଯେତେବେଳେ ଏହା ଥଣ୍ଡା ହୋଇଯାଏ ତେବେ ଭାଇରସ ପୁଣି ଥରେ ସଚଳ ହୋଇଉଠେ । ଗଙ୍ଗା ନଦୀ ଜଳ ହେଉଛି ଥଣ୍ଡା ଏବଂ ଏଠାକୁ ଆସୁଥିବା ଲୋକେ କୋରୋନା ସଂକ୍ରମିତ ହୋଇ ଆସିଥାନ୍ତି । ଏଥିସହିତ ସେମାନେ ଗଙ୍ଗାରେ ଗାଧୋଇବା ବେଳେ ଛେପ ପକାଇଥାନ୍ତି ଏବଂ କାଶି ଥାନ୍ତି, ଯାହା ଫଳରେ କୋରୋନା ସଂକ୍ରମଣ ସହଜରେ ବଢିଥାଏ । ପାଣିରେ କୋରୋନା ପ୍ରାୟ 28 ଦିନ ପାଇଁ ସଚଳ ରହିଥାଏ ।”

ଗୁରୁକୁଳ କାଙ୍ଗ୍ରି ବିଶ୍ବବିଦ୍ୟାଳୟର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ରମେଶ ଚନ୍ଦ୍ର ଦୁବେ କହିଛନ୍ତି ଯେ, ଏବେ ଯେଉଁ କୋରୋନା ଭାଇରସର ଲହରୀ ଦେଖାଦେଇଛି ତାହା ହୋଲି ପର୍ବ କାରଣରୁ ହୋଇଛି, କାରଣ ହୋଲି ପାଳନ ବେଳେ ଲୋକେ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିନଥିଲେ । ମହାକୁମ୍ଭର ପ୍ରଭାବ ଆଉ ପ୍ରାୟ 10ରୁ 15 ଦିନ ପରେ ଦେଖିବାକୁ ମିଳିବ ।

କର୍ତ୍ତବ୍ୟରତ ପୋଲିସଙ୍କ ପାଇଁ ମଧ୍ୟ ବିପଦ

ମହାକୁମ୍ଭର ପ୍ରତି ବଡ଼ ବୁଡ ପରେ ପ୍ରାୟ 10 ହଜାର ପୋଲିସ କର୍ମୀଙ୍କ ପରୀକ୍ଷା କରାଯାଇଛି, ଏମାନଙ୍କ ମଧ୍ୟରୁ 33 ଜଣ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଡିଜିପି ଅଶୋକ କୁମାରଙ୍କ କହିବା ଅନୁଯାୟୀ ବର୍ତ୍ତମାନ କୁମ୍ଭ ମେଳା କେବଳ ମାତ୍ର ଏକ ବିଧି ହୋଇ ରହିଯାଇଛି । ସମସ୍ତ ଆଖଡା ଏପ୍ରିଲ 27ରୁ ଆରମ୍ଭ ହେବାକୁ ଥିବା ସାହି ସ୍ନାନରେ ଭାଗ ନେଉନାହାଁନ୍ତି । ମୁତୟନ ହୋଇଥିବା ପୋଲିସ ବାହିନୀର 50 ପ୍ରତିଶତ ଏବେ କମାଇ ଦିଆଯାଇଛି ।

ମେଳା ଆଇଜି ସଂଜୟ ଗୁଂଜ୍ୟାଲ କହିଛନ୍ତି:

“ କୁମ୍ଭ ମେଳା ଏପ୍ରିଲ 30 ତାରିଖ ଯାଏଁ ଚାଲିବା ନେଇ ରାଜ୍ୟସ୍ତରରେ ସ୍ପଷ୍ଟ ସୂଚନା ରହିଛି। ଆମେ ଏପ୍ରିଲ 30 ତାରିଖ ଯାଏଁ ପ୍ରସ୍ତୁତି କରିଛୁ । କୁମ୍ଭ ମେଳା କିପରି ଆୟୋଜିତ ହେବା କଥା ତାହା କେନ୍ଦ୍ର ସରକାର ଏସଓପି ଜାରି କରି ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ଆମେ କାମ କରିଆସୁଚୁ। ଯଦି କେହି ମେଳା ସମ୍ପର୍କରେ କୌଣସି ନିଷ୍ପତ୍ତି ନେଉଛନ୍ତି ତାହା ତାଙ୍କର ନିଜସ୍ବ । ଆମେ ଏପ୍ରିଲ 30 ଯାଏଁ ମେଳା ଦାୟିତ୍ବରେ ରହିବୁ ।”

11 ବର୍ଷ ପରେ ପଡିଛି କୁମ୍ଭ ମେଳା

ଏଥର ପ୍ରଥମ ଥର ପାଇଁ 12 ବର୍ଷ ସ୍ଥାନରେ 11 ବର୍ଷ ପରେ କୁମ୍ଭ ମେଳା ଅନୁଷ୍ଠିତ ହେଉଛି । ଏହି କୁମ୍ଭ 2022ରେ ଆୟୋଜନ କରିବାର ଥିଲା, କିନ୍ତୁ ଗ୍ରହ ଚଳଣି କାରଣରୁ ଏବର୍ଷ ଏପ୍ରିଲ ମାସରେ ପବିତ୍ର କୁମ୍ଭ ମେଳା ଅନୁଷ୍ଠିତ ପାଇଁ ପବିତ୍ର ସ୍ନାନ ତିଥି ସ୍ଥିର ହୋଇଥିଲା । ପ୍ରାୟ ଶହେ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏହା ସ୍ଥିର ହୋଇଥିଲା। ସାଧାରଣତଃ ପ୍ରତି 12 ବର୍ଷରେ ଥରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ । ଆମେ ଯଦି ଗତ ହଜାରେ ବର୍ଷର ହରିଦ୍ବାର କୁମ୍ଭର ପରମ୍ପରା ଦେଖିବା, 1760, 1885 ଏବଂ 1938ରେ 11 ବର୍ଷ ପରେ କୁମ୍ଭ ମେଳ ଅନୁଷ୍ଠିତ ହୋଇଥିଲା। 83 ବର୍ଷ ପରେ 2021ରେ ଏହି ସୁଯୋଗ ପୁଣି ଥରେ ଆସିଛି ।

କାହିଁକି ହୋଇଥାଏ କୁମ୍ଭ ମେଳା?

ସମୁଦ୍ର ମନ୍ଥନ ସହିତ କୁମ୍ଭ ମେଳା ଜଡିତ । ଏହା କୁହାଯାଏ, ଯେତେବେଳେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ଅମୃତ ସହିତ ବିଷ ମଧ୍ୟ ବାହାରିଥିଲା । ଜଗତର କଲ୍ୟାଣ ପାଇଁ ପ୍ରଭୁ ଶିବ ବିଷ ପିଇ ଦେଇଥିଲେ । କିନ୍ତୁ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଅମୃତ ପାଇଁ ଲଢେଇ ଚାଲିଥିଲା । ଅମୃତ ଭରା କଳସକୁ ନେଇ ଧନନ୍ତ୍ୱରୀ ଆକାଶମାର୍ଗରେ ଚାଲି ଯାଇଥିଲେ, ଫଳରେ ରାକ୍ଷସମାନେ ଅମୃତଭରା କଳସକୁ ତାଙ୍କଠାରୁ ଛଡାଇ ପାରିନଥିଲେ । ଏହି ସମୟରେ ଅମୃତର କିଛି ବୁନ୍ଦା ଭୃପୃଷ୍ଠର ପ୍ରୟାଗ, ହରିଦ୍ବାର, ନାସିକ୍ ଏବଂ ଉଜ୍ଜୟିନୀରେ ପଡିଥିଲା ।

ଅମୃତ ପଡ଼ିଥିବା ଏହି ଚାରିଟି ସ୍ଥାନରେ କୁମ୍ଭ ମେଳା ଆୟୋଜନ କରାଯାଇଥାଏ। ଦେବତା ଓ ଅସୁରଙ୍କ ମଧ୍ୟରେ ସଂଘର୍ଷ 12 ଦିନ ଧରି ଚାଲିଥିଲା । ବିଶ୍ବାସ ରହିଛି ଯେ, ଦେବତାଙ୍କ ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ। ସୁତରାଂ ପ୍ରତି 12 ବର୍ଷରେ ଥରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ ।

ABOUT THE AUTHOR

...view details